Advertisment

ରୋଷେଇ ଘରେ ମହଙ୍ଗା ମାଡ଼, ଖାଉଟିଙ୍କୁ କନ୍ଦାଇଲାଣି ପରିବାର ଉଚ୍ଚା ଦର

ଆଳୁ, ପିଆଜ ପରେ ଏବେ କନ୍ଦାଇଲାଣି ପରିବା । ଟମାଟୋ, ବିନ୍ସ ୧୦୦ ପାର୍ କରିଥିବା ବେଳେ ପ୍ରାୟ ପରିବା ଦର ୬୦ ଟଙ୍କା ଉପରେ।

undefined

Vegetable Price Hike

Advertisment

ଖାଲି ଆଳୁ କି ପିଆଜ ନୁହେଁ, ଆକାଶଛୁଆଁ ପ୍ରାୟ ସବୁ ପନିପରିବାର ଦର । କିଣିବା ଦୂରେ ଥାଉ ହାତ ମାରିବାକୁ ଡର । ସ୍ଥିତି ଏମିତି ଯେ ପରିବାର ବଜାରକୁ ଗଲେ ୫୦୦ ଟଙ୍କାରେ ବ୍ୟାଗ ଅଧା ବି ପୁରୁନି । ଶହେ ଉପରେ ଟମାଟୋ, ବିନ୍ସ, ଫୁଲକୋବି, ଶିମଲା ଲଙ୍କା । ରାଜ୍ୟର ବିଭିନ୍ନ ସହରରେ ଟମାଟୋ କିଲୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍ସ ୧୪୦ରୁ ୧୫୦, ଫୁଲକୋବି ଟିକେ ବଡ଼ ସାଇଜ୍ ହେଲେ ଶହେ, କ୍ୟାପସିକମ ଓ କଞ୍ଚାଲଙ୍କା ୧୨୦ ଟଙ୍କାରେ ବିକ୍ରି ହେଉଛି ।

Advertisment

ସେହିପରି ଖୁଚୁରା ବଜାରରେ ବାଇଗଣ କିଲୋ ୬୦ରୁ ୭୦ ଟଙ୍କା ଥିବା ବେଳେ ଭେଣ୍ଡି, କଲରା, ଝୁଡ଼ଙ୍ଗ, ପୋଟଳ, ଗୁଆଁର, ବନ୍ଧାକୋବି କିଲୋ ବି ୬୦ ଉପରେ। ଭଣ୍ଡା, କୁନ୍ଦୁରିକୁ ଛାଡ଼ିଦେଲେ ୫୦ ଟଙ୍କା ତଳକୁ କିଛି ପରିବା ହିଁ ନାହିଁ । କାର୍ତ୍ତିକ ମାସ ନ ଛୁଁଉଣୁ ପରିବାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଖାଉଟି । କ’ଣ ଖାଇବ, ନ ଖାଇବ, ଭାବି ପାରୁନି । ଏପଟେ ବ୍ୟବସାୟୀଙ୍କ କହିବା କଥା, ଅଧିକାଂଶ ପରିବା ପାଇଁ ଆମକୁ ଆନ୍ଧ୍ର, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏ ସ୍ଥିତି ।

ଖାଲି ପରିବା ନୁହେଁ, ଗ୍ରୋସେରୀ ସାମଗ୍ରୀ ଦର ବି ହୁ ହୁ ହୋଇ ବଢ଼ି ଚାଲିଛି । ମାସକ ଭିତରେ ଖାଇବା ତେଲ ଲିଟର ପିଛା ୨୫ରୁ ୪୦ ଟଙ୍କା ବଢ଼ିଗଲାଣି। ଗତ ମାସରେ ୧୧୦ ଟଙ୍କାରେ ବିକ୍ରି ହେଉଥିବା ସୋରିଷ ତେଲ ଏବେ ୧୫୦ ଟଙ୍କାରେ ପହଞ୍ଚିଥିବା ବେଳେ ପାମୋଲିନ୍ ତେଲ ୮୫ ଟଙ୍କାରୁ ୧୨୦ ଟଙ୍କା, ସନ୍‌ଫ୍ଲାୱାର ୧୦୦ ଟଙ୍କାରୁ ୧୨୫ ଟଙ୍କା ହେଲାଣି । ସୁଜି, ମଇଦା, ଅଟା ଦାମ ବି କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ମହଙ୍ଗା ହୋଇଛି। ଫାଇନ୍ ଚାଉଳ ଦାମ କ୍ବିଣ୍ଟାଲ ପିଛା ୪୦୦ ଟଙ୍କା ବଢ଼ି ୫ ହଜାର ୨୦୦ ଟଙ୍କା ହେଲାଣି ।

Advertisment

ବ୍ୟବସାୟୀ ମହାସଂଘର ଅଭିଯୋଗ, ଖୁଚୁରା ବ୍ୟବସାୟରେ ପାଦ ଥାପିଥିବା କର୍ପୋରେଟ୍ ହାଉସଙ୍କ ଏକଚାଟିଆ କାରବାର ଯୋଗୁଁ ବଢ଼ୁଛି ଦରଦାମ । ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ, ସେମାନଙ୍କୁ ଆଇନ ପରିସରଭୁକ୍ତ କରନ୍ତୁ । ନଚେତ ଆଗାମୀ ଦିନରେ ଖାଉଟି ଓ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି କଡ଼ା ଚେତାବନୀ ବି ଶୁଣାଇଛି । ପରିବା ତଥା ଗ୍ରୋସରୀ ଦରରେ ଦେଖାଦେଇଥିବା ଏ ଦରବୃଦ୍ଧି ଆଗକୁ କି ରୂପ ନେଉଛି ଓ ଏହାକୁ ନିୟନ୍ତ୍ରଣ କରିବାରେ ସରକାର କେତେ ସଫଳ ହେଉଛନ୍ତି, ତା’ ଉପରେ ନଜର ।

Vegetable Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ