Advertisment

ଅଚ୍ୟୁତ ସାମନ୍ତଙ୍କ 'KISS'କୁ ବଡ଼ ଝଟକା, ଜଙ୍ଗଲ ଜମି କିସମ ପରିବର୍ତ୍ତନ ଉପରେ ରୋକ୍

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଭୁବନେଶ୍ବରସ୍ଥିତ କିସ୍‌କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ବଡ଼ ଟ୍ବିଷ୍ଟ୍।

ଅଦ୍ୟତନ ହୋଇଛି
undefined

KISS Land Row

Advertisment

ଜୁନ୍ ୨୧ର ସେଇ ଚିଠି... ଯାହାକି ଜୋରଦାର ଝଟକା ଦେଇଛି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା, ଭୁବନେଶ୍ବରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସ୍- 'କିସ୍' କୁ । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ।

Advertisment

ଚିଠିରେ ଉଲ୍ଲେଖ ରହିଛି, କିସ୍ ସପକ୍ଷରେ ୪.୦୩୨ ହେକ୍ଟର ରାଜସ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ଜଙ୍ଗଲ ଅଧିକାର ଆଇନର ସଠିକ୍ ଅନୁପାଳନ ହୋଇନଥିବା ଅଭିଯୋଗ ଆସିଛି । ତେଣୁ ଆଦିବାସୀ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ ଏବଂ ଆନୁଷ୍ଠାନିକ ଅନୁମୋଦନ ଦିଆନଯିବା ପର୍ଯ୍ୟନ୍ତ ସେହି କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏସବୁ ଭିତରେ ସାମ୍ନାକୁ ଆସିଛି ଗତ ଫେବୃଆରୀ ୨୧ର ଆଉ ଏକ ଚିଠି । ଯେଉଁଥିରେ କିସ୍‌କୁ ଜଙ୍ଗଲ ଜମି ହସ୍ତାନ୍ତର ପୂର୍ବରୁ ଏବଂ ପରେ କେତେକ ସର୍ତ୍ତ ଅନୁପାଳନ ପାଇଁ ରାଜ୍ୟ ଜଙ୍ଗଲ ବିଭାଗକୁ ଲେଖିଥିଲେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ।

ଅନ୍ୟପକ୍ଷରେ ଜୁଏଲଙ୍କ ଚିଠି ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ସୂଚନା ଦେଇଛନ୍ତି ଯେ, ମନ୍ତ୍ରାଳୟର ଚିଠି ମିଳିବା ପରେ ଘଟଣାର ଅନୁଧ୍ୟାନ ଚାଲିଛି । ଆଗରୁ କ’ଣ ହୋଇଥିଲା ଜାଣିନୁ, କେସ୍ ରେକର୍ଡ ଷ୍ଟଡି କରାଯାଉଛି । ସେହି ସ୍ଥାନରେ କ'ଣ ହୋଇଛି ତା’ର ତଦନ୍ତ କରାଯିବ ।

Advertisment

ଭୁବନେଶ୍ବର ପଥରଗାଡ଼ିଆ ମୌଜାରେ ଥିବା ଜଙ୍ଗଲ ଜମିକୁ ଜବରଦଖଲ କରିବା ନେଇ କିସ୍ ବିରୋଧରେ ୨୦୧୬ରେ NGTରେ ଅଭିଯୋଗ ହୋଇଥିଲା । ସୁବାସ ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି ୨୦୧୭ ମାର୍ଚ୍ଚ ୨୧ରେ ଅନ୍ତରୀଣ ରାୟ ଦେଇଥିଲେ NGTର କୋଲକାତାସ୍ଥିତ ଇଷ୍ଟର୍ଣ୍ଣ ଜୋନ୍ । କିସ୍ ଜବରଦଖଲରେ ଥିବା ଜଙ୍ଗଲ ଜମିରୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରି, ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ NGT। କେବଳ ଏତିକି ନୁହେଁ, ଅନୁମତି ନ ମିଳିବା ପର୍ଯ୍ୟନ୍ତ ସେଠାରେ ଅଣଜଙ୍ଗଲ କାର୍ଯ୍ୟକଳାପ ହୋଇପାରିବ ନାହିଁ ବୋଲି ୨୦୨୦ର ଚୂଡ଼ାନ୍ତ ରାୟରେ ଶୁଣାଇଥିଲେ NGT । ତେବେ ବିଡ଼ମ୍ବନା, ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବା ତ ଦୂରର କଥା, ବରଂ ଏହାକୁ ଭୃକ୍ଷେପ ନକରି କିସ୍ ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଆଉ ଠିକ୍ ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ, କିସ୍ ଦଖଲରେ ଥିବା ୧୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି ବୋଲି ଗତ ମାର୍ଚ୍ଚ ୯ ତାରିଖରେ ଖବର କାଗଜରେ ବିଜ୍ଞାପନ ଜାରି ହୋଇଥିଲା ।

କିସ୍ ହେଉଛି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ବରରେ ଥିବା ଏକ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନ । ଏହା ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିବା ବେଳେ, ପ୍ରଶ୍ନ ଉଠୁଛି- ଆଦିବାସୀ ପିଲାଙ୍କ ପାଠପଢା ଆଳରେ ଜଙ୍ଗଲ ଜମି ହଡ଼ପ କରିବାକୁ ଚାହୁଁଛନ୍ତି କି ଅଚ୍ୟୁତ ସାମନ୍ତ ? ସରକାରୀ ଦଳର ସାଂସଦ ଥିବା ବେଳେ କରିଛନ୍ତି କି କ୍ଷମତାର ଅପବ୍ୟବହାର ? ବର୍ଷ ବର୍ଷ ଧରି କାହିଁକି ଏନ୍‌ଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ତତ୍କାଳୀନ ବିଜେଡି ସରକାର? ଏଥିପାଇଁ ଅସାଧୁ ସହାୟତା ଯୋଗାଇ ଦେଇଥିଲେ କି ବଡ଼ ବଡ଼ିଆ ଅଫିସର? ପୂରା ମାମଲାର ଖୋଳତାଡ଼ ହୋଇ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?

Advertisment

ପୂର୍ବରୁ ମଧ୍ୟ ଅନେକ ସମୟରେ କିଟ୍ ଓ କିସ୍ ଦ୍ବାରା ଜମି ଚଂଚକତା ନେଇ ଅଭିଯୋଗ ହୋଇଆସୁଥିଲା। ତେବେ ଏ ତମାମ୍ ପ୍ରସଙ୍ଗରେ ଅଚ୍ୟୁତ ସାମନ୍ତଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, କିଟ୍ ଲୋକସମ୍ପର୍କ ବିଭାଗ ମୁଖ୍ୟ ଶ୍ରଦ୍ଧାଞ୍ଜଳି ନାୟକ ସୂଚନା ଦେଇଛନ୍ତି, ଏ ସଂକ୍ରାନ୍ତୟ କୌଣସି ଅଫିସିଆଲ୍ ଲେଟର୍ ଆମ ପାଖକୁ ଆସିନାହିଁ । ସେପଟେ NGT ରାୟ କାର୍ଯ୍ୟକାରୀ କରାନଯିବା ଅଭିଯୋଗ ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Achyuta Samanta Forest Land KISS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ