ମୃତ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦଙ୍କୁ ଝୁରୁଛି ଗାଁ, ଜନ୍ମଦିନ ପାଳନ ପାଇଁ ଯାଇ ପାଲଟିଲେ ଶବ

ମାଟି ତଳୁ ଚାଲିଛି ମଣିଷ ଖୋଜା । ଉଦ୍ଧାରକାରୀ ଟିମ୍ ସକାଳୁ ରାତି ଯାଏଁ ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ଘନ ଘନ ବୈଠକ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି ।

Waynad Landslide

କେରଳ ୱାୟନାଡ ଭୂସ୍ଖଳନରେ ୩୦୦ ମୁହାଁ ମୃତ୍ୟୁ ସଂଖ୍ୟା । ଏବେବି ୨୦୦ରୁ ଅଧିକଙ୍କ ପତ୍ତା ମିଳୁନି । କେରଳ ବୁଲିବାକୁ ଯାଇ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଖୋଜ୍ ଖବର ମିଳୁନଥିବା ବେଳେ ଝାରସୁଗୁଡ଼ାର ସ୍ୱୀକୃତି ମହାପାତ୍ର ଏବେବି ଭେଣ୍ଟିଲେଟରରେ ଅଛନ୍ତି ।

ସେପଟେ ମାଟି ତଳୁ ଚାଲିଛି ମଣିଷ ଖୋଜା । ଉଦ୍ଧାରକାରୀ ଟିମ୍ ସକାଳୁ ରାତି ଯାଏଁ ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ଘନ ଘନ ବୈଠକ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି । ବିରୋଧୀ ଦଳ ନେତା ତଥା ୱାଏନାଡର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଗତକାଲି ବିପର୍ଯ୍ୟୟସ୍ଥଳୀକୁ ଯାଇ ଉଦ୍ଧାରକାରୀ ଟିମ୍ ସହ ଆଲୋଚନା କରିଛନ୍ତି ।

ଅଧିକ ପଢନ୍ତୁ : ଅଧୁରା ରହିଲା ଭ୍ରମଣ ସୁଖ; ୱାୟନାଡରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ, ଅନ୍ୟଜଣେ ନିଖୋଜ

ବିପର୍ଯ୍ୟୟ ମୁହଁରୁ ବଂଚିଯାଇଥିବା ଆହତଙ୍କୁ ମଧ୍ୟ ଭେଟିଛନ୍ତି । ସେପଟେ କେରଳର ଭୁସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ପୈତୃକ ଗାଁରେ ଏବେ ଶୋକର ଛାୟା । ପୁରୀ ଜିଲ୍ଲା ଗୋପ ବ୍ଲକ କୁଆଁପଡା ପଂଚାୟତ ପରାଳ ଗାଁ ଝୁରୁଛି ବିଷ୍ଣୁପ୍ରସାଦଙ୍କୁ । ବାପା ପ୍ରମୋଦ ଚିନାରା ଦୀର୍ଘ ବର୍ଷ ହେଲା ଚୌଦ୍ୱାରରେ ରହୁଥିଲେ ।

ଏକମାତ୍ର ପୁଅ ବିଷ୍ଣୁପ୍ରସାଦ ଜନ୍ମଦିନ ପାଳନ ପାଇଁ ଡାକ୍ତର ବନ୍ଧୁ ସ୍ୱାଧିନ ପଣ୍ଡାଙ୍କୁ ଧରି ଗତ ୨୭ ତାରିଖରେ ସପତ୍ନୀକ କେରଳ ଯାଇଥିଲେ । କିନ୍ତୁ ହୋଟେଲରେ ରାତ୍ରୀ ଯାପନବେଳେ ମାଡ଼ି ଆସିଲା ମୃତ୍ୟୁର କରାଳ ଛାୟା । ଏବେ ଗାଁରେ ଥିବା ଜେଜେ ବାପା, ଜେଜେ ମା’, ବଡ଼ ବାପା, ବଡ଼ ବୋଉ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଆଖିରୁ ଶୁଖୁନି ଲୁହ । ଗାଁ ଓ ତାଙ୍କ ଘରେ ଏବେ ଶୋକାକୁଳ ଅବସ୍ଥା ।

ଆଜି ଓଡ଼ିଶା ଆସିପାରେ ମୃତ ବିଷ୍ଣୁ ପ୍ରସାଦଙ୍କ ମରଶରୀର । ବୁଲିବାକୁ ଯାଇ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମରଶରୀର ଘରକୁ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୁବଶୀଘ୍ର ତାଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କେରଳ ଯାଇଥିବା ଡାକ୍ତର ଦିଲୀପ ରାଉତରାୟ ।

ଅଧିକ ପଢନ୍ତୁ : ଲୁହ ଆଉ କୋହରେ ଭାସୁଛି କେରଳ; ୩୦୦ ମୁହାଁ ମୃତ୍ୟୁ ସଂଖ୍ୟା, ୨୦୦ରୁ ଅଧିକ ନିଖୋଜ