Advertisment

Puri Srimandir: ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି

କେବଳ ସିଂହଦ୍ୱାର ବାଟ ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।

Puri Srimandir

ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି

Advertisment

କାର୍ତ୍ତିକ ମହାପଞ୍ଚୁକର ପ୍ରଥମ ଦିନରେ ଭକ୍ତିରେ ଭିଜିଲା ଭାବର ଠାକୁର କାଳିଆର ବଡ଼ଦାଣ୍ଡ। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ଶ୍ରୀକ୍ଷେତ୍ର। ଭକ୍ତି ସାଗରରେ ଭାସିଲା ବଡ଼ଦାଣ୍ଡ। ଧର୍ମ ମାସ କାର୍ତ୍ତିକ ମହାପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ ଦେଖି ଭାବବିହ୍ୱଳ ଭକ୍ତ। ହରି ଉତ୍ଥାପନ ଏକାଦଶୀରେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରି ଗଦଗଦ ଶ୍ରଦ୍ଧାଳୁ ।

Advertisment

ଭକ୍ତଙ୍କ ଭଜନ, ଜଣାଣ, ସିଂହଦ୍ୱାର ଆଗରେ ମୁରୁଜରେ କାଳିଆର ପ୍ରତିକୃତି ଆଙ୍କି ଭକ୍ତିରସରେ ଜଡ଼ସଡ଼ ଭକ୍ତ। ପଞ୍ଚୁକର ପ୍ରଥମ ଦିନରେ ବଡ଼ଦାଣ୍ଡରେ ଭକ୍ତ ସମୁଦ୍ର ଭିତରେ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆର ଦିବ୍ୟ ଦର୍ଶନ ପାଇବା ପରେ ଆତ୍ମତୃପ୍ତିର ସ୍ୱାଦ ବଖାଣି ଥିଲେ ଶ୍ରଦ୍ଧାଳୁ। ସୁବର୍ଣ୍ଣ ଅଳଙ୍କାର, ହାତରେ ଶ୍ରୀଭୂଜ, ପାଦରେ ଶ୍ରୀପୟର, ବିଭିନ୍ନ ସୁବର୍ଣ୍ଣମାଳା ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭାବର ଠାକୁର।

ପଞ୍ଚୁକ ପ୍ରଥମ ଦିନରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଥିଲା ଜନସମୁଦ୍ର । ମରିଚିକୋଟ ଛକ ଯାଏଁ ଲାଗିଥିଲା ଭକ୍ତଙ୍କ ଲମ୍ବା ଧାଡ଼ି। ଆଜିଠୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ବାକି ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିବାରୁ ସିଂହଦ୍ୱାରଠାରୁ ଯେତେ ବାଟ ଯାଏ ଆଖି ପାଇବ ସେ ଯାଏଁ ଲାଗିଥିଲା ଭକ୍ତଙ୍କ ଭିଡ଼।

Advertisment

ଏହାରି ଭିତରେ ରାଧାବଲ୍ଲଭ ମଠ ସମ୍ମୁଖରେ ଭକ୍ତଙ୍କ ଭିଡ଼ ଯୋଗୁଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା । ସେବାୟତ ଓ ଭିଆଇପି ପ୍ରବେଶ ରାସ୍ତାରେ କିଛି ଭକ୍ତ ପଶିବାକୁ ଉଦ୍ୟମ କରିବାରୁ ଏଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି। କେବଳ ଶ୍ରୀମନ୍ଦିର ବାହାରେ ନୁହେଁ ଭିତରେ ବି ଅସମ୍ଭାଳ ଭିଡ଼ ଥିବା କହିଛନ୍ତି ଭକ୍ତ। ତେବେ ଆଗକୁ ଦର୍ଶନ ଆହୁରି ବ୍ୟବସ୍ଥିତ କରାଯିବ ଓ ଭକ୍ତ ଭଲ ଅନୁଭୂତି ନେଇ ଫରିବେ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।

ପଞ୍ଚୁକର ଦ୍ୱିତୀୟ ଦିନ ଗରୁଡ଼ ଉତ୍ଥାପନ ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ଓ ଭିତରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ୫ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥର ପଞ୍ଚୁକ ୫ ଦିନ ବଦଳରେ ୪ ଦିନ ପଡ଼ୁଥିବାରୁ ଆଗକୁ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଂଜ ହେବ। 

Advertisment
Srimandir Jagannath Temple Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ