ରତ୍ନଭଣ୍ତାର ଭିତରେ ତେଣ୍ଟା ଆଉ ବର୍ଚ୍ଛା, ଜଷ୍ଟିସ ବିଶ୍ୱନାଥ ରଥ କଲେ ବଡ଼ ଖୁଲାସା...

ପ୍ରତୀକ୍ଷାର ଅବସାନ ହୋଇଛି । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ତେବେ ଭଣ୍ତାର ଭିତରେ କଣ କଣ ସାମଗ୍ରୀ ରହିଛି, ଏସବୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି ।

Ratna Bhandar

ପ୍ରତୀକ୍ଷାର ଅବସାନ ହୋଇଛି । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ତେବେ ଭଣ୍ତାର ଭିତରେ କଣ କଣ ସାମଗ୍ରୀ ରହିଛି, ଏସବୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି । ଏହା ଭିତରେ ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ ମିଳିଛି । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।

ସୁନା ଅଳଙ୍କାର ସହ ସମସ୍ତ ଅସ୍ତ୍ରଶସ୍ତ୍ରକୁ ସିଲ୍ କରାଯାଇ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇଛି ବୋଲି ଜଷ୍ଟିସ ରଥ କହିଛନ୍ତି । ଏହା ସହ ବର୍ଚ୍ଛା ଓ ତେଣ୍ଟା ସହ ଅନେକ ଯୁଦ୍ଧ ସାମଗ୍ରୀ ରହିଥିବା କଥା କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଗଜପତି ଜୟ କରିଥିବା ଅନେକ ରାଜ୍ୟରେ ବ୍ୟବହୃତ ହୋଇଥିବା ଅନେକ ଯୁଦ୍ଧାସ୍ତ୍ର ରତ୍ନଭଣ୍ତାରରେ ରହିଛି ବୋଲି ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଥିଲେ ଜଷ୍ଟିସ ବିଶ୍ୱନାଥ ରଥ ।

ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ିନଥିଲେ ବି ଏହା କଳା ପଡ଼ିଯାଇଥିବା ସେ କହିଛନ୍ତି । ବାହାରେ ଗୋଟେ ଭୟର କୁହେଳିକା ଥିଲା । ଭିତରେ ସାପ କି ଅନ୍ୟ କାହାର ଭୟ ରହିଥିଲା । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା କହିଛନ୍ତି ଜଷ୍ଟିସ । ଭଗବାନଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହୋଇଛି ।

ଭିତରେ ପହଞ୍ଚିବା ପରେ ଭୟ କଟିଯାଇଥିଲା ବୋଲି ମଧ୍ୟ କହିଥିଲେ ଜଷ୍ଟିସ ବିଶ୍ୱନାଥ ରଥ । ସୂଚନାଯୋଗ୍ୟ ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାରର ଘର ଭିତରକୁ ଯାଇ ଦ୍ୱିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ ୩ଟି ସିନ୍ଦୁକ ଥିବା ଦେଖିଥିଲେ ଅଧିକୃତ ଟିମ୍‌ ।

ଏହାଛଡ଼ା ଭିତର ରତ୍ନଭଣ୍ଡାରରେ ଠାକୁର ରଖିବା ଖଟୁଲି ମଧ୍ୟ ରହିଛି । ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । କପିଳେନ୍ଦ୍ର ଦେବଙ୍କ ଅମଳରେ ଦାକ୍ଷିଣାତ୍ୟ ବିଜୟ ବେଳେ ୧୬ଟି ହାତୀରେ ରତ୍ନ ଅଳଙ୍କାର ବୋହି ଆଣିଥିଲେ ରାଜା । ସେ ଏହି ସବୁ ସଂପତ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟି ଦେଇଥିବା କିମ୍ବଦନ୍ତୀରେ ରହିଛି । ଉତ୍କଳ ପ୍ରଦେଶର ବିଭିନ୍ନ ଗଜପତି ସେତେବେଳେ ଅନେକ ରାଜ୍ୟ ଜୟ କରି ସେହି ରାଜ୍ୟର ରାଜାଙ୍କ ମୁକୁଟ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଥିଲେ । ସେ ସବୁ ମଧ୍ୟ ରତ୍ନଭଣ୍ଡାରରରେ ଥିବା ବିଶ୍ୱାସ ରହିଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଗତକାଲି ରତ୍ନଭଣ୍ଡାର ପରିଦର୍ଶନ ପରେ ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ପ୍ରସଙ୍ଗକୁ ସିଧା ମନା କରିନଥିଲେ ଗଜପତି । ସେ କହିଥିଲେ ASI ଏହାର ଲେଜର ସ୍କାନିଂ କଲେ ସବୁ ତଥ୍ୟ ପଦାକୁ ଆସିବ ।