Piyush Tripathy
ପୁଣି ବିବାଦ ଓ ଅନିଶ୍ଚିତତା ଘେରରେ ପୀୟୂଷ ତ୍ରିପାଠୀଙ୍କ କ୍ୟାରିୟର ! ପୀୟୂଷଙ୍କ ଯାତ୍ରା କ୍ୟାରିୟର ଖତମ୍ କରିବାକୁ ଚାଲିଛି କି ଷଡ଼ଯନ୍ତ୍ର? ଯାତ୍ରା ଇଣ୍ଡଷ୍ଟ୍ରିରୁ ସିଂହବାହିନୀକୁ ହଜାଇ ଦେବାକୁ ଚାଲିନି ତ ଚକ୍ରାନ୍ତ? ଦୁଇ ଦୁଇଟି ଯାତ୍ରାପାର୍ଟିରୁ ଟଙ୍କା ନେଇ ବିବାଦରେ ଫସିଥିଲେ ଏବଂ ତା ପରେ ଅସୁସ୍ଥତା କାରଣ ଦର୍ଶାଇ ୨୦୨୫-୨୬ ବର୍ଷକ ପାଇଁ ମଞ୍ଚରୁ ବିରତି ନେଇଥିଲେ ଚର୍ଚ୍ଚିତ ମଞ୍ଚ ଅଭିନେତା ପୀୟୂଷ ତ୍ରିପାଠୀ।
ସପ୍ତାହେ ତଳେ ପୀୟୂଷ ଅଚାନକ ଘୋଷଣା କଲେ, ୨୦୨୬-୨୭ରୁ ପରବର୍ତ୍ତୀ ୫ ବର୍ଷ ଯାଏଁ ସେ ଯାତ୍ରାପାର୍ଟି ସିଂହବାହିନୀରେ ରହିବେ। ଏହାକୁ ନେଇ ପୀୟୂଷଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଥିବା ବେଳେ, ଏଥିରେ ପୁଣି କେଁ ପୂରାଇଛି ଯାତ୍ରା ମାଲିକ ସଂଘ।
ସଂଘ କହିଛି- ୨୦୨୬-୨୭ରେ ପୀୟୂଷ କୁଆଡ଼େ ଯିବେ, କେଉଁ ଯାତ୍ରାପାର୍ଟିରେ ଯୋଗ ଦେବେ, ତାହା ମାଲିକ ସଂଘ ଆଲୋଚନା କରି ନିଷ୍ପତ୍ତି ନେବ। ଗତକାଲି ଚଣ୍ଡିଖୋଲରେ ବସିଥିବା ଯାତ୍ରାପାର୍ଟି ମାଲିକ ସଂଘର ବୈଠକ ପରେ, ଏକଥା ରୋକଠୋକ୍ ଶୁଣାଇ ଦେଇଛନ୍ତି ନିଜେ ସଂଘ ସଭାପତି ଭରତ ଭୂଷଣ ଦେଓ।
ତେବେ ପ୍ରଶ୍ନ ଉଠୁଛି, କେଉଁ କଳାକାର କେଉଁ ଯାତ୍ରାପାର୍ଟିରେ ରହିବେ, କିଏ ନେବ ସେ ନିଷ୍ପତ୍ତି ? ନିଜେ କଳାକାର, ନା ମାଲିକ ସଂଘ ? ନିଜ ଇଚ୍ଛା ମୁତାବକ ନିଜ ପସନ୍ଦର ମଞ୍ଚ ଚଢ଼ିପାରିବେନି କି ଯାତ୍ରା କଳାକାର ? ପୀୟୂଷଙ୍କର କଣ ସ୍ବାଧୀନତା ବୋଲି କିଛି ନାହିଁ ? ଯାତ୍ରାପ୍ରେମୀଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ, ଯାତ୍ରା କମିଟି ମଧ୍ୟ ମାଲିକ ସଂଘର ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।
ଏ ନୂଆ ବିବାଦର ଆଉ ଗୋଟିଏ ଦିଗ ବି ରହିଛି। ସନ୍ଦେହ ଉପୁଜୁଛି, ପ୍ରକୃତରେ ଯାତ୍ରା ମାଲିକ ସଂଘର ନିଶାନାରେ କିଏ ? ପୀୟୂଷ ତ୍ରିପାଠୀ ନା ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ? ଇଏ ପୀୟୂଷଙ୍କ ଅଭିନୟ କ୍ୟାରିୟର ଖତମ୍ କରିବାକୁ ଷଡ଼ଯନ୍ତ୍ର ? ନା ସେ ୫ ବର୍ଷ ପାଇଁ ଯୋଗଦେବାକୁ ଥିବା ଯାତ୍ରା ସିଂହବାହିନୀକୁ ଇଣ୍ଡଷ୍ଟ୍ରିରୁ ହଜାଇ ଦେବାକୁ ଅନ୍ୟ ମାଲିକ ମାନଙ୍କ ଚକ୍ରାନ୍ତ?
ଏଭଳି ସନ୍ଦେହ ଉପୁଜିବାର କାରଣ... କିଛି ଦିନ ତଳେ ସଞ୍ଜୀବ ପାଢ଼ୀ ଅଭିଯୋଗ କରିଥିଲେ ଯେ, ତାଙ୍କ ଯାତ୍ରାପାର୍ଟିରୁ କଳାକାରଙ୍କୁ ନେଇ ସିଂହବାହିନୀକୁ ଭାଙ୍ଗି ଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଅନ୍ୟ କିଛି ମାଲିକ। ଏନେଇ ମାଲିକ ସଂଘ ବି କିଛି ନିଷ୍ପତ୍ତି ନେଉନାହିଁ ବୋଲି ସେ ବିଷୋଦଗାର କରିଥିଲେ।
ଏସବୁ ଭିତରେ ବିବାଦକୁ ଆହୁରି ଖୋରାକ୍ ଯୋଗାଇଥିଲା ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ ଏବଂ ସିଂହବାହିନୀ ଅଭିନେତ୍ରୀ ତାମସା ମିଶ୍ରଙ୍କ ଏକ ଅଡିଓ ଲିକ୍। ଯେଉଁଥିରେ ଯାତ୍ରା ପ୍ରମୋଦିନୀ, ଓଁକାର୍ ଏବଂ ସିଂହବାହିନୀ ଭଙ୍ଗାଯିବା କଥା ନାଣ୍ଡୁବାବୁ କହୁଥିବା ଅଭିଯୋଗ ହୋଇଥିଲା। ଗତକାଲି ବସିଥିବା ମାଲିକ ସଂଘ ବୈଠକରେ ନାଣ୍ଡୁ ବାବୁ ଉପସ୍ଥିତ ଥିଲେ ବି, ଯୋଗ ଦେଇ ନଥିଲେ ସଞ୍ଜୀବ ପାଢ଼ୀ।
ସେପଟେ ଯାତ୍ରା କର୍ମଚାରୀଙ୍କ ପାରିଶ୍ରମିକକୁ ନେଇ ବସିଥିବା ଏହି ବୈଠକରେ ମାଲିକଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧର କୌଣସି ସମାଧାନ ହୋଇପାରିନଥିଲା। ତେବେ ସଂଘ ସଭାପତି ଚେତାବନୀ ଦେଇଛନ୍ତି, ଯେଉଁ ଯାତ୍ରା ମାଲିକମାନେ ଗଣମାଧ୍ୟମରେ ସଂଘ ପ୍ରସଙ୍ଗରେ ମନ୍ତବ୍ୟ ଦେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751300018.jpg)