Advertisment

ଚେତାଇଥିଲେ ପୂର୍ବତନ ଡିଜି, ତଥାପି ପଶିଲାନି ଚେତା !

ଜେଲରେ ସ୍ୱାମୀଙ୍କୁ ଆକ୍ରମଣ ପାଇଁ ଜେଲରଙ୍କୁ ଦାୟୀ କଲେ ପତ୍ନୀ । ସନ୍ଦେହ ଘେରରେ ଜେଲ୍ କର୍ମଚାରୀ-କଏଦୀଙ୍କ ମଧୁଚନ୍ଦ୍ରିକା ।

ଅଦ୍ୟତନ ହୋଇଛି
undefined

Jharpada Jail

Advertisment

ଜେଲ୍ ଅଧିକାରୀ ଓ କଏଦୀଙ୍କ ଭିତରେ ଚାଲିଛି କି ମଧୁଚନ୍ଦ୍ରିକା ? କାରଣ ସୁରକ୍ଷା ବଳୟକୁ ଭେଦ କରି କାରାଗାରର ଚାରିକାନ୍ଥ ଭିତରକୁ ପଶୁଛି ମାଳ ମାଳ ନିଶା ସାମଗ୍ରୀ । ଜେଲ୍ ଭିତରେ ଗ୍ୟାଙ୍ଗ ତିଆରି କରୁଛନ୍ତି କଏଦୀ । କେବଳ ଯେ ଜେଲ୍ ମୁଖିଆଙ୍କ ଜାଣତରେ ଏସବୁ ଘଟୁଛି ତା’ନୁହେଁ, ବରଂ ଏହା ପଛରେ ବଡ଼ ସାଜିସ୍ ଥିବା ଅଭିଯୋଗ ଉଠିଛି। ଯାହାର ସଦ୍ୟ ଉଦାହରଣ ହେଉଛି, ଝାରପଡ଼ା ଜେଲ୍।

Advertisment

ଯେଉଁଠି ଚାଲିଥିବା ଦାଦାଗିରି ଏବଂ ବେଆଇନ ନିଶା କାରବାର ସହ କଏଦୀଙ୍କୁ ତଥାକଥିତ ଭିଆଇପି ଟ୍ରିଟମେଣ୍ଟ ନେଇ DLSAଙ୍କୁ ଚିଠି ଲେଖି ଖୁଲାସା କରିବାରୁ ମାଡ଼ ଖାଇଥିଲେ ବିଚାରାଧିନ ବନ୍ଦୀ ସୌମ୍ୟକାନ୍ତ ମହାନ୍ତି। ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନ୍ନା ଓ ତା’ର ସହଯୋଗୀ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା।

ତେବେ ଝାରପଡ଼ା ଜେଲର ଗୁମର ସଂପର୍କରେ ସୌମ୍ୟକାନ୍ତ ହିଁ DLSAକୁ ଚିଠି ଲେଖିଥିବା କଥା ଅନ୍ୟ କଏଦୀ ଜାଣିଲେ କିପରି ? କିଏ ଏହି ତଥ୍ୟ ପ୍ରଘଟ କଲା ? ଏହାପଛରେ ଜେଲ୍ କର୍ମଚାରୀଙ୍କ ଭୂମିକା ନାହିଁ ତ ? ସୌମ୍ୟକାନ୍ତଙ୍କୁ ଆକ୍ରମଣ ପଛରେ ଝାରପଡ଼ା ଜେଲ୍ କର୍ମଚାରୀଙ୍କ ରହିଛି କି ଷଡ଼ଯନ୍ତ୍ର ?

Advertisment

ଏଭଳି ନାନା ଆଶଙ୍କାକୁ ବଳଦେଇଛି ସୌମ୍ୟକାନ୍ତଙ୍କ ପତ୍ନୀ ବିଶ୍ୱକଳ୍ପନାଙ୍କ ଅଭିଯୋଗ। କହିଛନ୍ତି, ଜେଲରଙ୍କ ଉପସ୍ଥିତିରେ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରାଯାଇଛି। ତେବେ ଭୁବନେଶ୍ୱର ଡିସିପି କହିଛନ୍ତି, ଏ ସଂପର୍କରେ ମାମଲା ରୁଜୁ ହୋଇଛି। ଖୁବଶୀଘ୍ର ତଦନ୍ତ ସହ ଜେଲ୍ ପରେଡ୍ ବ୍ୟବସ୍ଥାକୁ ଜୋରଦାର କରାଯିବ। ଜେଲ୍ ଏଡିଜି ବି ଗତକାଲି ଝାରପଡ଼ା ଜେଲକୁ ଯାଇ ଘଟଣାର ତଦନ୍ତ କରିବା ସହ ଆକ୍ସନ ନିଆଯିବ ବୋଲି କହିଥିଲେ। 

କିଛିମାସ ପୂର୍ବରୁ ଟିଟିଲାଗଡ଼ ଅଞ୍ଚଳରୁ କିଛି ଘଟଣା ସାମ୍ନାକୁ ଆସିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜେଲ୍ ସମ୍ମୁଖରେ ଥିବା ହନୁମାନ ମନ୍ଦିର ପରିସରରେ ଜେଲ କଏଦୀଙ୍କ ସହ ଭୋଜିଭାତରେ ସାମିଲ ଥିଲେ ଜେଲ ଅଧିକାରୀ ଚୈତନ୍ୟ ପଧାନ ଓ ଚିତ୍ତରଞ୍ଜନ ସାହୁ। ଏଭଳି ନିବିଡ଼ ସଂପର୍କର ପରିଣାମ ସ୍ୱରୂପ ଜେଲରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ ଦୁଇ ବିଚରାଧୀନ ବନ୍ଦୀ ଶୁଭମନ ରଣା ଓ ସୁମିତ ବିହାରୀ। ଜେଲ ମୁଖିଆ ଏବଂ କଏଦୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ରାଜ୍ୟର ଅନେକ ଜେଲରେ ଘଟୁଛି ନାନା ଅଘଟଣ।

Advertisment

ଏଭଳି ଉଦବେଗଜନକ ସ୍ଥିତି ପାଇଁ ତତ୍କାଳୀନ ଜେଲ୍ ଡିଜି ଅମ୍ରିତ ମୋହନ ପ୍ରସାଦ ଏକ ଗାଇଡଲାଇନ୍ ତିଆରି କରି ଜେଲରେ ଗୁଇନ୍ଦା ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଜେଲରେ ଗୋଷ୍ଠୀ ତିଆରି ଉପରେ ନଜର ରଖିବା ସହ କୌଣସି ଅଘଟଣ ଘଟିଲେ ତୁରନ୍ତ ଉପରିସ୍ଥ କର୍ମଚାରୀଙ୍କୁ ରିପୋର୍ଟ କରିବାକୁ କହିଥିଲେ।

କେବଳ ଏତିକି ନୁହେଁ, ବନ୍ଦୀଙ୍କ ବାୟୋମେଟ୍ରିକ ଉପସ୍ଥାନ, ତାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ AI SOFTWARE ବ୍ୟବହାର ଏବଂ ଟେଲିଫୋନ କଲ୍ ଆଦିର ତଦାରଖ ଭଳି ପଦକ୍ଷେପ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସବୁ କ୍ଷେତ୍ରରେ ଖିଲାପ ସହ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଭଳି ଜେଲରେ ବାରମ୍ବାର ଘଟିଆସୁଛି ଅଘଟଣ।

Jharpada Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ