Mock Drill in Odisha
ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା ବଢିଥିବା ବେଳେ ଯଦି ଶତ୍ରୁ ପକ୍ଷ ଆକ୍ରମଣ କରେ, ତାହେଲେ କିପରି ନିଜର ଆତ୍ମରକ୍ଷା କରିବେ ସେନେଇ ଆସନ୍ତାକାଲି ସାରା ଦେଶରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ କରାଯିବ । ଓଡ଼ିଶାର ୧୨ଟି ଜିଲ୍ଲାରେ ଏହି ମକଡ୍ରିଲ ହେବ । ଆକାଶରୁ ହମଲା ହେଲେ କେମିତି ସାଇରନ୍ ବାଜିବ, ତାର ପୂର୍ବାଭ୍ୟାସ କରାଯିବ । ଆସନ୍ତାକାଲି ଠିକ୍ ଅପରାହ୍ନ ୪ଟାରେ ଏହି ମକ୍ ଡ୍ରିଲ୍ ସାଇରନ୍ ବାଜିବ । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।
ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ସପ୍ତାହେ ଧରି ମକଡ୍ରିଲ କାର୍ଯ୍ୟକ୍ରମ ଚାଲିବ । କାଲି ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକଡ୍ରିଲ୍ । ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ମକଡ୍ରିଲ ମାଧ୍ୟମରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ । ପ୍ରାୟ ୫ ମିନିଟ୍ ଧରି ସାଇରନ୍ ବାଜିବ, ମକଡ୍ରିଲ ଆରମ୍ଭ ହେବ । ପୁଣି ସାଇରନ୍ ବାଜିଲେ ମକଡ୍ରିଲ୍ ସରିଲା ବୋଲି ଜଣାଇଦିଆଯିବ । ସାଧାରଣତଃ କଂକ୍ରିଟ୍ ଛାତ ତଳେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବ । ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା ହେବ ବୋଲି ଅଗ୍ନିଶମ ଡିଜି କହିଛନ୍ତି ।
ଅଧିକ ପଢ଼ନ୍ତୁ: ପାକିସ୍ତାନ ବିରୋଧରେ ଯୁଦ୍ଧ ପାଇଁ ଭାରତର ବଡ଼ ତୟାରୀ ?
କାଲି ହେବାକୁ ଥିବା ମକଡ୍ରିଲ ପାଇଁ ପ୍ରସ୍ତୁତ ଅଛି OSDMA । ସାଧାରଣ ଲୋକଙ୍କୁ ମଧ୍ୟ ମକ୍ ଡ୍ରିଲରେ ସାମିଲ୍ କରାଯିବ ବୋଲି କହିଛନ୍ତି OSDMA କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । କୌଣସି ଲୋକଙ୍କୁ ମକ୍ ଡ୍ରିଲ୍ ପାଇଁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସେ କହିଛନ୍ତି ।
ତାଳଚେର, ବାଲେଶ୍ବର, କୋରାପୁଟ, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ୧୨ଟି ସ୍ଥାନରେ ଏହି ମକଡ୍ରିଲ କରାଯିବ । ତେବେ କାଟାଗୋରି-1 ଅର୍ଥାତ୍ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସହର ମଧ୍ୟରେ ତାଳଚେର ଥିବାବେଳେ କାଟାଗୋରି-2ରେ ବାଲେଶ୍ବର, କୋରାପୁଟ, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା ରହିଛି ।
ସେହିପରି କାଟାଗୋରି-3ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଚାଲିଥିବା ବୈଠକ ଶେଷ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746522383.jpg)