Advertisment

ଖୁବଶୀଘ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ, ବୈଧ ପ୍ରମାଣପତ୍ର ନଥିଲେ ଛାଡ଼ିବେ ଓଡ଼ିଶା

ଖୁବଶୀଘ୍ର ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ । ଭାରତରେ ରହିବା ପାଇଁ ବୈଧ ପ୍ରମାଣ ପତ୍ର ନଥିଲେ ନିଜ ଦେଶକୁ ଫେରିବାକୁ ପଡ଼ିବ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Prithviraj Harichandan

Prithviraj Harichandan

ଖୁବଶୀଘ୍ର ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ ହେବ। ଯେଉଁମାନଙ୍କ ପାଖରେ ଓଡ଼ିଶା କିମ୍ବା ଭାରତରେ ରହିବା ପାଇଁ ବୈଧ ପ୍ରମାଣ ପତ୍ର ନଥିବ, ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାର୍ପଣର ବ୍ୟବସ୍ଥା କରାଯିବ । ବାଂଲାଦେଶୀ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ପୂର୍ବରୁ ଶରଣାର୍ଥୀ ହୋଇ ଆସିଛନ୍ତି, CAA ଆଇନ ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇ ଦିଆଯିବ ।

Advertisment

କିନ୍ତୁ ବହୁ ବାଂଲାଦେଶୀ ପଶ୍ଚିମବଙ୍ଗ ଓ ସମୁଦ୍ର ପଥ ଦେଇ ଓଡ଼ିଶା ଭିତରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ସେହି ଅନୁପ୍ରବେଶକାରୀଙ୍କୁ 
ଅଟକାଇବା ପାଇଁ ବର୍ଡର ପୋଲିସ, କୋଷ୍ଟ ଗାର୍ଡ ଓ ସାମୁଦ୍ରିକ ପୋଲିସ ମୁତୟନ ପାଇଁ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହେବେ ବୋଲି କୁହାଯାଇଛି । 

ବାଂଲାଦେଶରେ ଅସ୍ଥିରତା ପରେ ଓଡ଼ିଶାକୁ ବଢ଼ିଛି ଅନୁପ୍ରବେଶ ଚିନ୍ତା । କାରଣ ଜଳପଥ ଦେଇ ରାଜ୍ୟର ଉପକୂଳ ଜିଲ୍ଲାକୁ ବାଂଲାଦେଶୀ ନାଗରିକ ପଶି ଆସିବାର ଆଶଙ୍କା ଥିବାରୁ ରାଜ୍ୟର ସମସ୍ତ ସାମୁଦ୍ରିକ ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ସେହି ଅନୁସାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାର ମେରାଇନ ଥାନା ପୋଲିସ ସମୁଦ୍ର ଉପକୂଳରେ ସଜାଗ ରହିଛନ୍ତି । କେତେବେଳେ ଗଭୀର ସମୁଦ୍ର ତ ଆଉ କେତେବେଳେ ଉପୂକଳ ଅଞ୍ଚଳ ବୁଲି ତନ୍ନ ତନ୍ନ ଯାଞ୍ଚ କରୁଛି ମେରାଇନ୍ ପୋଲିସ । ଆବଶ୍ୟକସ୍ଥଳେ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ଦେବାକୁ ମତ୍ସ୍ୟଜୀବୀମାନଙ୍କୁ ବି ନିବେଦନ କରାଯାଇଛି ।

Advertisment

ଓଡ଼ିଶା ସରକାରଙ୍କ ୨୦୨୩ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ବାଂଲାଦେଶୀ ଶରଣାର୍ଥୀ ଭାବେ ରହିଛନ୍ତି । ତା ଛଡ଼ା ରାଜ୍ୟ ବିଭିନ୍ନ ଜିଲ୍ଲାରେ ବେଆଇନ୍ ଭାବେ ମଧ୍ୟ ଅନେକ ବାଂଲାଦେଶୀ ନାଗରିକ ବସବାସ କରୁଛନ୍ତି । ଆଉ ବର୍ତ୍ତମାନ ପରିସ୍ଥିତିର ଏମାନଙ୍କ ଜରିଆରେ ଆହୁରି ବାଂଲାଦେଶୀଙ୍କ ଆଗମନ ଓ ଅନୁପ୍ରବେଶ ଆଶଙ୍କା ଥିବାରୁ ଏଭଳି ପରିସ୍ଥିତିରେ ଅଧିକ କଠୋର ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ତୁରନ୍ତ ଚିହ୍ନଟ କରାଯିବ, ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତା ସହ ଓଡ଼ିଶାକୁ ଏବେ କେହି ଅନୁପ୍ରବେଶ କରିଥିବା ଖବର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

Bangladeshi Immigrants Odisha News Bangladeshi National
Advertisment
Advertisment