ବୋଉ ମୁଁ ସମୁ କହୁଛି....। ତୋ ଝିଅ ଲୋ...। ମୋତେ ଭାରି ବାଧିଲା । ମୋ ଆତ୍ମସମ୍ମାନକୁ ଶକ୍ତ ଧକ୍କା ଲାଗିଲା। ଅନ୍ୟାୟ ବିରୋଧରେ ଲଢ଼େଇ କରି ମୁଁ ଥକି ପଡ଼ିଲି। ମୁଁ ସମସ୍ତଙ୍କୁ ଚିଠି କଲି, ଗୁହାରୀ କଲି ହେଲେ ମୋ କଥା କେହି ଶୁଣିଲେ ନାହିଁ। ଶେଷରେ ମୁଁ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ପ୍ରିନ୍ସିପାଲ କହିଲେ। ମୋତେ ଭାରି ବାଧିଲା ଲୋ।
ମୁଁ ଆଉ ସହି ପାରିଲି ନାହିଁ। ଶେଷ ରେ ଏହି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି। ତୋତେ ମୋ କଥା ଭାରି କଷ୍ଟ ଦେଇଛି ନା। ମୋତେ ବି ଭାରି କଷ୍ଟ ହେଉଛି । ବୋଉଲୋ ମୋ ଶରୀର ଭାରି ପୋଡ଼ାଜଳା କରୁଛି। ଡାକ୍ତରମାନେ ମୋ ଦେହରେ କ’ଣ ଫୋଡ଼ି ଦେଉଛନ୍ତି, କ’ଣ ଲଗାଇ ଦେଉଛନ୍ତି କେଜାଣି ଭାରି ପୋଡ଼ୁଛି । ମୁଁ ଆଉ କଷ୍ଟ ସହିପାରୁନି ଲୋ। ବାପାଙ୍କୁ କହ ମୋତେ ଏଠୁ ନେଇଯିବେ। ମୁଁ ଆମ ଘରକୁ ପଳାଇବି, ସେଠି ମିଶିକରି ରହିବା।
ହଁ ଦର୍ଶକ ବନ୍ଧୁ ନିଜ ପାଇଁ ଲଢ଼ି ଲଢ଼ି ଶେଷରେ ହାରିଯାଇଥିବା ସୌମ୍ୟାଶ୍ରୀ ମେଡିକାଲ ବେଡ୍ରେ ମୃତ୍ୟୁ ସହ ସଂଗ୍ରାମ କଲା ବେଳେ ଏଇମିତି ବାଉଳି ହେଉଥିଲେ। ନିଜର ପୁରୁଣା ଦିନକୁ ଭାବିବା ସହ ନିଜ ବାପାମା’ ଭାଇଭଉଣୀକୁ ଭାରି ମନେ ପକାଇଥିଲେ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ।
ଝିଅର ମୃତ୍ୟୁ ପରେ ମା’ ମଧ୍ୟ ନିଜ ନିଜ ଝିଅକୁ ହରାଇ ପାଗେଳି ହୋଇଯାଇଛି। ତା’ ଆଖିରୁ ଝରିପଡ଼ୁଛି ଧାର ଧାର ଲୁହ। ବୁକୁ ମଧ୍ୟ ଫାଟିଯାଉଛି। ବାରମ୍ବାର ଚେତା ଚାଲିଯାଉଛି। ଚେତା ଫେରିଲା ବେଳକୁ ମୋ ଝିଅ ମୋ ଝିଅ କାହିଁ ବୋଲି କହି ଖୋଜୁଛି। ଯେଉଁ ଝିଅ ପାଇଁ ମା’ ଏତେ ସ୍ୱପ୍ନ ଦେଖିଥିଲା, ସେହି ଝିଅ ଆଜି ନାହିଁ। ଯେଉଁ ଝିଅ ମଲା ବେଳେ ତାର ମୁହଁରେ ନିଆଁ ଦେଇଥାନ୍ତା, ସେହି ଝିଅର ଆଜି ଗାଁ ମଶାଣିରେ ଚିତା ଜଳୁଛି । କିପରି ସହି ଥାନ୍ତା ସେହି ମା’। ବାପା,ଭାଇ ଓ ଭଉଣୀ ମଧ୍ୟ ସୌମ୍ୟାଶ୍ରୀଙ୍କ କଥା ମନେ ପକାଇ କାନ୍ଦିକାନ୍ଦି ଗଡ଼ିଯାଉଛନ୍ତି।
ସୌମ୍ୟାଶ୍ରୀଙ୍କ ପାଇଁ ପୂରା ଗାଁ ଯେମିତି ଚେତାଶୂନ୍ୟ। ସୁନା ଝିଅର ମୃତ୍ୟୁ ପରେ ଗାଁରେ ପଡ଼ିଯାଇଛି କାନ୍ଦବୋବାଳି। ଭାଙ୍ଗିପଡ଼ିଛନ୍ତି ପରିବାର ଓ ସଂପର୍କୀୟ। ଗେଲି ଝିଅକୁ ଝୁରୁଛି ଗାଁ ମାଟି। ଏସବୁ ଭିତରେ ସୌମ୍ୟାଶ୍ରୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ମାଟିରେ ପଞ୍ଚଭୂତରେ ଲୀନ ହୋଇଯାଇଛି ସୌମ୍ୟାଙ୍କ ପାର୍ଥିବ ଶରୀର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଥିଲା। ଜୀବନ ଯୁଦ୍ଧରେ ହାରିଯାଇଥିଲେ ସୌମ୍ୟା। ଜୀବନ ମରଣ ସହ ସଂଗ୍ରାମ କରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।