Special Story: ଉପରେ 132 KV ବିଦ୍ୟୁତ ତାର, ତଳେ ନିର୍ମାଣ ହେଉଛି ବିରାଟ ଅଟାଳିକା

132 KV ବିଦ୍ୟୁତ ତାର ଓ ଖୁଣ୍ଟ ରହିଥିବାରୁ ବଡ଼ ବିପଦ ଥିଲା ଭଳି ଅନୁଭବ କରି ତତ୍କାଳୀନ ନିର୍ବାହୀ ଅଧିକାରୀ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରାଇ ଦେଇଥିଲେ । କିନ୍ତୁ ବର୍ତ୍ତମାନ ପୁଣି ଏହାକୁ କିଭଳି ମଞ୍ଜୁର ଦିଆଗଲା ତା’ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଶୋଇଛି ପ୍ରଶାସନ, ବାଜିରେ ଲାଗିଛି ଶ୍ରମିକ ଜୀବନ

ଉପରେ ୧୩୨ KV ବିଦ୍ୟୁତ ତାର, ତଳେ ନିର୍ମାଣ ହେଉଛି ବିରାଟ ଅଟାଳିକା । ଶ୍ରମିକମାନେ ନିଜ ଜୀବନକୁ ପାଣି ଛଡ଼ାଇ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି l ତାଳଚେର ସହରର ମୁଖ୍ୟ ହାତତୋଟା ବଜାର ନିକଟର OPTCLର ୧୩୨ KV ବିଦ୍ୟୁତ ତାର ତଳେ ଏତେ ବଡ଼ ଅଟାଳିକା ନିର୍ମାଣ କରିବାକୁ ପ୍ରଶାସନ କିପରି ମଞ୍ଜୁରୀ ଦେଲା, ତାହା ଏବେ ବଡ଼ ପ୍ରଶ୍ନ । ଅଞ୍ଚଳବାସୀଙ୍କ ଅଭିଯୋଗ, ୨ ବର୍ଷ ପୂର୍ବେ ଏହି ଘର ନିର୍ମାଣ ଆରମ୍ଭ ହୋଇଥିଲା । 132 KV ବିଦ୍ୟୁତ ତାର ଓ ଖୁଣ୍ଟ ରହିଥିବାରୁ ବଡ଼ ବିପଦ ଥିଲା ଭଳି ଅନୁଭବ କରି ତତ୍କାଳୀନ ନିର୍ବାହୀ ଅଧିକାରୀ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରାଇ ଦେଇଥିଲେ । କିନ୍ତୁ ବର୍ତ୍ତମାନ ପୁଣି ଏହାକୁ କିଭଳି ମଞ୍ଜୁର ଦିଆଗଲା ତା’ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ସେପଟେ କିନ୍ତୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଏହି ଘଟଣାରେ ବାରମ୍ବାର ମତ ପରିବର୍ତ୍ତନ କରୁଛନ୍ତି । ନିଜର କାର୍ଯ୍ୟାଳୟ ଠାରୁ ମାତ୍ର ୨ ଶହ ମିଟର ଦୂରରେ ବିରାଟ ଅଟାଳିକା ନିର୍ମାଣ ହେଉଛି, କିନ୍ତୁ ସେ ବିଷୟରେ ବାବୁ ଜାଣି ପାରୁନାହାନ୍ତି । ପଚାରିଲେ କହୁଛନ୍ତି ଏ ନେଇ ତଦନ୍ତ ହେବ ।

ଅନ୍ୟପଟେ OPTCL ଓ ବିଦ୍ୟୁତ ବିଭାଗର ତାଳଚେରସ୍ଥିତ ଚାଇଁପାଳ ଗ୍ରୀଡ୍‌ର ମୁଖ୍ୟ ପ୍ରଦୀପ ଭୋଇଙ୍କ କହିବା କଥା, ଉକ୍ତ ବିଦ୍ୟୁତ ଖୁଣ୍ଟ ଓ ତାରରେ 132 KVର କରେଣ୍ଟ ଯାଉଛି l ତେଣୁ ତା’ ଆଖପାଖରେ ଚଳପ୍ରଚଳ କରିବା ବି ବିପଦପୂର୍ଣ୍ଣ । ସେହି ସ୍ଥାନରେ ବେଆଇନ ଘର ନିର୍ମାଣ ହେଉଥିବା ଜାଣି ଆମେ ତାଳଚେର ଥାନା ଓ ତାଳଚେର ଉପଖଣ୍ଡ ପ୍ରଶାସନକୁ ଲିଖିତ ଆକାରରେ ଦେଇଛୁ । ଯଦି କୌଣସି ଅଘଟଣ ଘଟେ, ତେବେ OPTCL ଓ ବିଦ୍ୟୁତ ବିଭାଗ ଏଥିପାଇଁ ଦାୟୀ ରହିବ ନାହିଁ l

ଅଧିକ ପଢ଼ନ୍ତୁ: ନିଆଁ ଲଗାଇଛି ସ୍ମାର୍ଟ ମିଟର, ରାଜରାସ୍ତାରେ ଉପଭୋକ୍ତା