Advertisment

ହାଉସ୍ ସର୍ଜନଙ୍କୁ ନର୍ସ ସାର୍ ନଡାକିବାରୁ SCBରେ ଘନଉଛି କଳି

ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ । କାଲିଠୁ ରାଜ୍ୟବ୍ୟାପି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର ।

ଅଦ୍ୟତନ ହୋଇଛି
undefined

SCB

Advertisment

କଟକ ବଡ଼ ମେଡ଼ିକାଲରେ ହାଉସ୍ ସର୍ଜନ ବନାମ ନର୍ସ । ତେଜୁଛି କଳି, ବଢୁଛି ବିବାଦ। ଦଶା ଭୋଗୁଛନ୍ତି ସାଧାରଣ ରୋଗୀ। ଦୀର୍ଘ ସମୟ ଧରି ରୋଗୀମାନେ ରୋଗର ନିଦାନ ପାଇଁ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି । ହେଲେ ଫଳ ଶୂନ । ଅନ୍ୟପଟେ ଆଉ କିଏ ଡାକ୍ତରଙ୍କୁ ରୋଗ ଦେଖାଇବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି। ଘଣ୍ଟା ପରେ ଘଣ୍ଟା ବିତୁଛି, କିନ୍ତୁ ମିଳିପାରୁନି ଉପଯୁକ୍ତ ସେବା।

Advertisment

ଇନଡୋରରେ ଯେତିକି ସମସ୍ୟା ଉପୁଜୁଛି, ଆଉଟ୍ ଡୋରରେ ବି ସମାନ ଦୁର୍ଦ୍ଦଶା। କାରଣ ଗତ ରବିବାର ହାଉସ୍ ସର୍ଜନ ଏବଂ ନର୍ସଙ୍କ ମଧ୍ୟରେ ଉପୁଜିଥିବା କଳି ପାଇଁ କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ଆନ୍ତଃ ଏବଂ ବର୍ହି ବିଭାଗରେ ଚିକିତ୍ସା ସେବାକୁ ବନ୍ଦ କରିଛନ୍ତି ପ୍ରାୟ ଅଢ଼େଇ ଶହ ହାଉସ୍ ସର୍ଜନ। ଏଭଳି ସ୍ଥିତିରେ ଏସସିବିରେ ଡାକ୍ତର ଅଭାବ ଯୋଗୁଁ ଉତ୍କଟ ହେବାକୁ ବସିଛି ରୋଗୀ ସେବା।

ସେଦିନ ଥିଲା ରବିବାର। ସଂଧ୍ୟାରେ ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ନର୍ସିଂ ଷ୍ଟାଫ୍ ଏବଂ ଜଣେ ହାଉସ୍ ସର୍ଜନଙ୍କ ଭିତରେ ହୋଇଥିଲା ବଚସା। ଡ୍ୟୁଟିରେ ଥିବା ହାଉସ୍ ସର୍ଜନଙ୍କୁ ସାର୍ ସମ୍ବୋଧନ ନକରି ସଂକ୍ଷେପରେ HS ବୋଲି ଜଣେ ନର୍ସିଂ ଷ୍ଟାଫ୍ ଡାକିଦେବାରୁ ଉପୁଜିଥିଲା ବିବାଦ। ଏହାକୁ ନେଇ ରୋଗୀ ଓ ସଂପର୍କୀୟଙ୍କ ସାମ୍ନାରେ ଓ ପରେ ସଂପୃକ୍ତ ନର୍ସଙ୍କ ସହ ମୁହାଁମୁହିଁ ହୋଇଥିଲେ ହାଉସ୍ ସର୍ଜନ।

Advertisment

ସେହି ସମୟର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଯେଉଁ ଭିଡିଓରୁ ଜଣାପଡୁଛି କ’ଣ ଘଟିଥିଲା ସେଦିନ। ଏଭଳି ଘଟଣାକୁ ନେଇ ହାଉସ୍ ସର୍ଜନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଶତାଧିକ ନର୍ସ ରବିବାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେଣେ ନର୍ସିଂ କର୍ମଚାରୀଙ୍କ ବିରୋଧରେ ପାଲଟା ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଜୁନିୟର୍ ଡାକ୍ତର। ଏହି ଟକରା ଟକରି ସ୍ଥିତି ସତ୍ତ୍ୱେ ସମାଧାନ ନହେବାରୁ ଏବଂ ସମ୍ପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବିରେ ହାଉସ୍ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଯାହାକୁ ସମର୍ଥନ କରିଛି ଏସସିବି ଜୁନିୟର ଡାକ୍ତର ସଂଘ, ମେଡିକାଲ ଛାତ୍ର ସଂଘ ଓ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍।

ଅପରପକ୍ଷେ ହାଉସ ସର୍ଜନଙ୍କ ଗିରଫଦାବିରେ ଆସନ୍ତାକାଲି ରାଜ୍ୟବ୍ୟାପି କଳାବ୍ୟାଜ୍ ପରିଧାନ କରି ନର୍ସ ସଂଘ ପ୍ରତିବାଦ ପାଇଁ ଚେତାବନୀ ଦେଇଛି। ସମାଧାନ ନହେଲେ ୩ ଦିନ ଟୋକନ ଷ୍ଟ୍ରାଇକ ଓ ୨୪ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ନର୍ସିଂ ସଂଘ । 

Advertisment

ଗୋଟିଏ ପଟେ ନର୍ସ-ହାଉସ୍ ସର୍ଜନ କଳିକୁ ବିତିଗଲାଣି ୩ ଦିନ। ଆରପଟେ ଏହି କଳିରେ ବଳି ପଡୁଛନ୍ତି ସାଧାରଣ ରୋଗୀ। ଏଭଳି ସ୍ଥିତିରେ କାହିଁକି ଏହି ବିବାଦକୁ ତୁଟାଉନାହାଁନ୍ତି ଏସସିବି କର୍ତ୍ତୃପକ୍ଷ ? କାହିଁକି ଫିଟିପାରୁନି ସମାଧାନର ବାଟ ? ତାକୁ ନେଇ ନାନା ପ୍ରଶ୍ନ ଉଠୁଛି।

Scb Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ