ବଢ଼ୁଛି ମହାନଦୀ ଜଳସ୍ତର, ତଳିଆ ଅଞ୍ଚଳରେ ପଶିପାରେ ବନ୍ୟାପାଣି

ଆଜି ରାତି ସୁଦ୍ଧା ପିକ୍‌ ଜଳସ୍ତର ମୁଣ୍ଡଳୀରୁ ଅତିକ୍ରମ କରିବ । ଦୟା, ଭାର୍ଗବୀର ତଳ ଅଞ୍ଚଳକୁ ପାଣି ପଶିପାରେ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

Flood

ଉପରମୁଣ୍ଡରେ ଲଗାଣ ବର୍ଷା ପରେ ବଢିଛି ହୀରାକୁଦ ଜଳସ୍ତର । ଆଜି ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲିଛି । ମୋଟ ୧୪ଟି ଗେଟ୍ ଦେଇ ଏବେ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳଭଣ୍ଡାରରୁ ଗେଟ୍ ଖୋଲିବା ପରେ ବଢିଛି ମହାନଦୀ ଜଳସ୍ତର । ଆଜି କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୬୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି । ଆଜି ରାତି ସୁଦ୍ଧା ପିକ୍‌ ଜଳସ୍ତର ମୁଣ୍ଡଳୀରୁ ଅତିକ୍ରମ କରିବ । ଦୟା, ଭାର୍ଗବୀର ତଳ ଅଞ୍ଚଳକୁ ପାଣି ପଶିପାରେ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସେ ଆହୁରି କହିଛନ୍ତି ବର୍ତ୍ତମାନ କେବଳ ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଉଛି । ସେହିପରି ଆଖୁଆପଦାରେ ବିପଦ ସଂକେତ ୧୮.୩୩ ମିଟର ରହିଥିବାବେଳେ ଏବେ ଜଳସ୍ତର ୧୭.୩ ମିଟର ରହିଛି । ଉପରମୁଣ୍ଡରେ ସେମିତି ବର୍ଷା ନାହିଁ, ତେଣୁ ଜଳସ୍ତର କମିବ ବୋଲି କହିଛନ୍ତି ଭକ୍ତ ରଞ୍ଜନ ମହାନ୍ତି।

ଅଧିକ ପଢ଼ନ୍ତୁ: ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ହେକ୍ଟର ହେକ୍ଟର ଚାଷ ଜମି ବାଲିଚର

ସେହିପରି ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାକୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସବୁ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ପାଣି ପ୍ରବାହିତ ହେଉଥିବା ରାସ୍ତା, ବ୍ରିଜ୍‌ ଉପରେ ଯାଆସ ନକରିବାକୁ ବାରଣ କରାଯାଇଛି।

ଲଗାଣ ବର୍ଷା ଓ ହୀରାକୁଦରୁ ଗେଟ୍ ଖୋଲିଲା ପରେ ଫୁଲିଛି ମହାନଦୀ । କଟକ ଜିଲ୍ଲା ବାଙ୍କୀର ତଳିଆ ଅଞ୍ଚଳରେ ପଶିଲା ଚଳିତ ବର୍ଷର ପ୍ରଥମ ବନ୍ୟା ପାଣି । ବିଲିପଡ଼ାରୁ ତାଳବସ୍ତ ରାସ୍ତାରେ ୨ ଫୁଟ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଯାତାୟତ। ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଏହାର ଶାଖା ରଣନଦୀରେ ବଢିଛି ଜଳସ୍ତର । ଫଳରେ ବିଲିପଡା, ତାଳବସ୍ତ, କୁଶପଙ୍ଗି, ପାଥପୁର ଓ ବରହମପୁରୀ ପଞ୍ଚାୟତରେ ଶହ ଶହ ହେକ୍ଟର ଚାଷ ଜମିରେ ମାଡି ଯାଇଛି ପାଣି।

ମହାନଦୀ ଜଳସ୍ତର ବୃଦ୍ଧି ପରେ ନଦୀ ଅବବାହିକାର ତଳିଆ ଅଞ୍ଚଳରେ ପଶିଲାଣି ପାଣି । କଟକ ଜିଲ୍ଲା ଆଠଗଡ଼ର ବଡ଼ଭୂଇଁ-ଖଣ୍ଡହତାକୁ ସଂଯୋଗ କରୁଥିବା ବଡ଼ବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୨ ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଉତ୍ତରବାଙ୍କୀ ଘୋଡ଼ାବରଠାରେ ହୁଳୁହୁଳି ପୋଲ ଦେଇମହାନଦୀ ବନ୍ୟା ଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି ।