ଉପରମୁଣ୍ଡାରେ ବର୍ଷା ପରେ ଫୁଲୁଛି ହୀରାକୁଦ, ଖୋଲିଲା ଆଉ ୮ ଗେଟ୍‌

ହୀରାକୁଦଠାରେ ବନ୍ୟା ଜଳ ଅଧିକ ପ୍ରବେଶ କରିଥିବାରୁ ଆଉ ୮ଟି ଗେଟ ଖୋଲାଯାଇଛି । ଆଶା କରାଯାଉଛି ଆସନ୍ତାକାଲି ସୁଦ୍ଧା ଇନ୍‌ ଫ୍ଲୋ ୩ ଲକ୍ଷ ୬୦ ହଜାର କ୍ୟୁସେକ ଟପିବ ।

Flood

ଉପରମୁଣ୍ଡାରେ ବର୍ଷା ପରେ ଫୁଲିଛି ହୀରାକୁଦ ଡ୍ୟାମ୍ । ଆଜି ଖୋଲିଲା ଆଉ ୮ଟି ଗେଟ୍ । ବର୍ତ୍ତମାନ ମୋଟ୍ ୧୪ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଲଗାଣ ବର୍ଷାରେ ଫୁଲୁଛି ମହାନଦୀ ଓ ବ୍ରାହ୍ମଣୀ ନଦୀ । ହୀରାକୁଦଠାରେ ବନ୍ୟା ଜଳ ଅଧିକ ପ୍ରବେଶ କରିଥିବାରୁ ଆଉ ୮ଟି ଗେଟ ଖୋଲାଯାଇଛି । ଆଶା କରାଯାଉଛି ଆସନ୍ତାକାଲି ସୁଦ୍ଧା ଇନ୍‌ ଫ୍ଲୋ ୩ ଲକ୍ଷ ୬୦ ହଜାର କ୍ୟୁସେକ ଟପିବ ।

ତେବେ ଖଇରମାଳରେ ୩ ଲକ୍ଷ ୫୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳି ଦେଇ ପାସ୍‌ ହେଉଛି ପ୍ରାୟ ୩ ଲକ୍ଷ କ୍ୟୁସେକ ଜଳ। ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ନଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିଲେ ବି ବିପଦ ସଂକେତ ତଳେ ଅଛି । ସେହିପରି ଜଳକା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ତଳେ ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ସେପଟେ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ୪୮ ଘଣ୍ଟାରେ ଲଘୁଚାପ ରୂପ ନେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୭ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ପାଣିପାଗ ବିଭାଗ ଆକଳନ କରିଛି, ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ୍ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଆଗାମୀ ୩ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଯାଏ ୮ ଜିଲ୍ଲାକୁ ଅରେଞ୍ଜ୍ ଓ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭ ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।