ଲଗାଣ ବର୍ଷାରେ ବେହାଲ କୋରାପୁଟ, ବଢୁଛି କୋଲାବ ନଦୀର ଜଳସ୍ତର

ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି ।

Flood

ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲା । ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି । ଫଳରେ କୁନ୍ଦୁରା ଦୀଗାପୁର ଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । କୁନ୍ଦୁରା ବ୍ଲକର କୁରଲୁ ଓ ବିରି ନଦୀ ମଧ୍ୟ ଫୁଲିବାରେ ଲାଗିଛି । ବର୍ଷା ପ୍ରଭାବରେ ଜିଲ୍ଲାର କୁନ୍ଦୁରା ଓ କୋଟପାଡ ବ୍ଲକରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଏମିତି କି କିଛି ସ୍ଥାନରେ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି ।

ସେପଟେ ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ । ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏବେ ଅବପାତ କେନ୍ଦ୍ରୀଭୂତ ଅଛି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ୨୬୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଗଭୀର ଅବପାତରେ ପରିଣତ ହେବ ।

ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗଭୀର ଅବପାତ ହେବା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ । ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ପୁରୀ, ଜଗତସିଂପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି । ବର୍ଷା ସମେତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିବ ପବନ। ଝଟକା ପବନ ଘଣ୍ଟାପ୍ରତି ୬୦ କିଲୋମିଟର ରହିପାରେ ।

ଏହାର ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । କଚ୍ଚା ଘର, କଚ୍ଚା ରାସ୍ତା ପ୍ରଭାବିତ ହେବା ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି । ଧାମରା, ପାରାଦୀପ, ପୁରୀ ଏବଂ ଗୋପାଳପୁର ପୋର୍ଟକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।