Advertisment

କେହି କିଛି ଜାଣିପାରିଲେନି କେମିତି ? ଜଣେ ବୃଦ୍ଧ ଚଢ଼ିଗଲେ ଶ୍ରୀମନ୍ଦିର ଉପରକୁ !

ଦଧି ନଉତି ଯାଏଁ ଜଣେ 65 ବର୍ଷୀୟ ଭକ୍ତ ଚଢ଼ିଯିବାକୁ ନେଇ ଉଠିଲା ପ୍ରଶ୍ନ । ସେବାୟତ ଓ ସୁରକ୍ଷାକର୍ମୀଙ୍କ ଦାୟିତ୍ବପଣିଆ ଉପରେ ଭକ୍ତଙ୍କ ଅସନ୍ତୋଷ ।

undefined

Srimandir Security

Advertisment

ତେଜୁଛି ଜନତାଙ୍କ ଅସନ୍ତୋଷ । ବଢ଼ୁଛି ଭକ୍ତଙ୍କ ଉଦବେଗ । ସମସ୍ତଙ୍କୁ ଘାରିଛି ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । କାହିଁକି ବା ନହେବ । ତ୍ରିସ୍ତରୀୟ ସୁରକ୍ଷାକୁ ଭେଦି ୬୫ ବର୍ଷିୟ ବୃଦ୍ଧ ଜଣକ ଶ୍ରୀମନ୍ଦିର ଦଧିନଉତିକୁ ଯେପରି ଅନାୟସରେ ଚଢ଼ିଗଲେ ସାରା ଦୁନିଆ ଦେଖିଲା। ଶ୍ରୀମନ୍ଦିରର ଉଚ୍ଚତା ହେଉଛି ୨୧୪ ଫୁଟ୍। ତା ଉପରେ ନୀଳଚକ୍ରରେ ଫରଫର୍ ଉଡୁଛି ପତିତପାବନ ବାନା। ସମୟ ରାତି ପ୍ରାୟ ସାଢ଼େ ୯ଟା। ଏତେ ଉଚ୍ଚତାକୁ ଖାତିର ନକରି କେମିତି ଚଢ଼ିଗଲେ ଗଞ୍ଜାମ ଛତ୍ରପୁରର ବଳରାମ ମହାରଣା ଓରଫ୍ ବାୟା?

Advertisment

ଉପରକୁ ଚଢ଼ି ଅଁଳାବେଢ଼ାରେ ଛିଡ଼ା ହେବା ସହ ପତିତପାବନ ବାନାକୁ ବି ସ୍ପର୍ଶ କରିଛନ୍ତି ବଳରାମ। ଦୀର୍ଘ ସମୟ ଧରି କେହି ବି କିଛି ଟେର୍ ପାଇପାରିଲେନି। ଶେଷରେ ଅନ୍ୟ କାହାଠୁ ଖବର ପାଇ ଜଣେ ଚୁନରା ସେବାୟତ ଅଁଳାବେଢ଼ା ଯାଏଁ ପହଞ୍ଚି ବଳରାମଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ। କେବଳ ଥରେ ନୁହେଁ, ପୂର୍ବରୁ ବି ଅନେକ ଥର ବଳରାମ ଏଭଳି ଚଢ଼ିବାକୁ ଚେଷ୍ଟା କରିଥିବା କହିଛନ୍ତି ସଂପୃକ୍ତ ଚୁନରା ସେବାୟତ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଗତ ୨ ଦିନ ଧରି ଶ୍ରୀମନ୍ଦିର ଆଖପାଖରେ ବୁଲାବୁଲି କରୁଥିଲେ ବଳରାମ। ଆଉ ତା’ପରେ ଗତକାଲି ଚଢ଼ିଗଲେ ଶ୍ରୀମନ୍ଦିର ଉପରକୁ। 

ତେବେ ବଳରାମ କାହିଁକି ଚଢ଼ିଲେ ଶ୍ରୀମନ୍ଦିର ଉପରକୁ ? କିଏ କହୁଛନ୍ତି ବଳରାମଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ ତ ଆଉ କିଏ କହିଛନ୍ତି ତଦନ୍ତ ଚାଲିଛି। ଘଟଣା ପଛର କାରଣ ଯାହା ବି ଥାଉନା କାହିଁକି, ବଳରାମ ଯଦି ଏତେ ଉଚ୍ଚତାରୁ ତଳକୁ ଖସି ପଡ଼ିଥାନ୍ତେ, ଏଥିପାଇଁ ଦାୟୀ ହୋଇଥାନ୍ତା କିଏ ? କିଭଳି ତ୍ରିସ୍ତରୀୟ ସୁରକ୍ଷା ବଳୟ ଭେଦି ଦଧିନଉତି ଯାଏଁ ପହଞ୍ଚିଗଲେ ସେ ? ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ କେମିତି ସୁରାଗ୍ ପାଇପାରିଲେନି ?

Advertisment

ବାନା ବାନ୍ଧିବା, ମହାଦୀପ ଉଠାଇବା କିମ୍ବା ଦଧିନଉତିରେ ଚୁନ ମାରିବା ପାଇଁ ନିର୍ଦ୍ଧିଷ୍ଟ ସମୟରେ ଶ୍ରୀମନ୍ଦିରକୁ ଚଢ଼ିଥାନ୍ତି କେବଳ ଚୁନରା ସେବାୟତ । ଅଥଚ ସେଭଳି ନୀତିକାନ୍ତି ନଥିବାବେଳେ ଜଣେ ବ୍ୟକ୍ତି ଏଭଳି ଚଢ଼ିବାକୁ ନେଇ କାହା ମନରେ ପ୍ରଶ୍ନ ଆସିଲାନି କେମିତି ? ବଳରାମଙ୍କ ସ୍ଥାନରେ ଯଦି କୌଣସି ଅପରାଧ ମାନସିକଧାରୀ ହୋଇଥାନ୍ତା, ତେବେ ପରିଣାମ ଭୟଙ୍କର ହୋଇନଥାନ୍ତା କି ?

ଶ୍ରୀମନ୍ଦିରରେ ସୁରକ୍ଷା ବଳୟକୁ ଭେଦି ଏଭଳି ଅନେକ ଘଟଣା ପୂର୍ବରୁ ବି ଘଟିଛି। ରାତି ତମାମ ଜଣେ ଯୁବକ ରୋଶାଷାଳାରେ ପଶି ରୋଷଚୁଲି ଭାଙ୍ଗିବା, ୯ ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା, ସିଂହଦ୍ୱାର ଗୁମୁଟରେ ଜଣେ ଟ୍ରାନ୍ସଜେଣ୍ଡର ଡେଇଁ ପ୍ରାଣହାନୀ ଭଳି ନାନା ଘଟଣା ଘଟିଛି। ତଥାପି କାହାରି ଚେତା ପଶୁନଥିବାବେଳେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି।

Advertisment

ତଥ୍ୟ କହୁଛି, ଶ୍ରୀମନ୍ଦିର ଚାରି ଦୁଆରଠାରୁ ଆରମ୍ଭ କରି ଭିତର ପ୍ରବେଶ ପଥ, ସାତପାହାଚ, ନାଟମଣ୍ଡପ, ଭିତରକାଠ, ଜଗମୋହନ, ରୋଷଘର ଜଗିବାକୁ ୧୭୫ ଜଣଙ୍କ ବଦଳରେ ଅଛନ୍ତି ୧୦୨ ଜଣ ଜେଟିପି। ସେହିପରି OSAPର ୧୨ ପ୍ଲାଟୁନ୍ ଫୋର୍ସ, ଏସ୍ଆଇ ଏବଂ ଏଏସଆଇ ୧୨ ଜଣ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ୫ ଜଣ ରହିଛନ୍ତି। କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ନା ଓ୍ୱାଚ୍ ଟାଓ୍ୱାର ଅଛି ନା ଲଗାଯାଇଛି AI କ୍ୟାମେରା। ପରିଣାମ ସ୍ବରୂପ ଗତକାଲି ପୁଣି ଘଟିଗଲା ଅଘଟଣ। ଏବେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ପୋଲିସ ତନାଘନା ଚଳାଇଛି। ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରୁଛି।

Srimandir Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ