ଏଏସ୍‌ଓଙ୍କୁ ମାଡ଼ ଅଭିଯୋଗ: ଆଶ୍ୱାସନା ଦେଲେ ରାଜ୍ୟପାଳ, ୭ ଦିନ ଭିତରେ ନ୍ୟାୟ

ଜଣେ ASOଙ୍କୁ ରାଜ୍ୟପାଳଙ୍କ ପୁଅ ଓ ଅନ୍ୟ ୫ ଜଣ ମାଡ଼ ମାରିବା ଅଭିଯୋଗ ଘଟଣା । ASO ବୈକୁଣ୍ଠନାଥ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଭେଟି ନ୍ୟାୟ ପାଇଁ ଆଶ୍ୱାସନା ଦେଲେ ରାଜ୍ୟପାଳ ।

Odisha News

ଜଣେ ASOଙ୍କୁ ରାଜ୍ୟପାଳଙ୍କ ପୁଅ ଓ ଅନ୍ୟ ୫ ଜଣ ମାଡ଼ ମାରିବା ଅଭିଯୋଗ ଘଟଣା । ASO ବୈକୁଣ୍ଠନାଥ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଭେଟି ନ୍ୟାୟ ପାଇଁ ଆଶ୍ୱାସନା ଦେଲେ ରାଜ୍ୟପାଳ । ଉଭୟଙ୍କୁ ରାଜଭବନ ଡାକି ରାଜ୍ୟପାଳ ସେମାନଙ୍କ ସହିତ ଘଟଣା ସଂପର୍କରେ ସବୁକଥା ପଚାରି ବୁଝିଛନ୍ତି ।

ଏଥିସହ ୭ ଦିନ ଭିତରେ ନ୍ୟାୟ ଦେବାକୁ ଆଶ୍ୱାସନା ଦେଇଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ବୈକୁଣ୍ଠଙ୍କ ପତ୍ନୀ । ରାଜ୍ୟପାଳଙ୍କ ଉପସ୍ଥିତିରେ ରୋଷେୟା ଭୁଲ ମାଗିଥିବା ବେଳେ ଅନ୍ୟ ୫ ଜଣ ଅନୁପସ୍ଥିତ ଥିଲେ । ତେବେ ଆମେ ନ୍ୟାୟ ଅପେକ୍ଷାରେ ରହିଛୁ ବୋଲି କହିଛନ୍ତି ଏଏସ୍‌ଓଙ୍କ ପତ୍ନୀ ସୟୋଜ କୁମାରୀ ପ୍ରଧାନ ।

ଗତ ୭ ତାରିଖରେ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସ୍‌ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଓ ଅନ୍ୟ ୫ ଜଣ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି ବୈକୁଣ୍ଠଙ୍କ ପତ୍ନୀ । ସେପଟେ ଏହି ଘଟଣାରେ ତେଜିଛି ରାଜନୈତିକ ବୟାନବାଜି ।

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ୱରରେ ରାଜଭବନ ଆଗରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ବିଜେଡି ଦାବି କରିଥିବା ବେଳେ, ବିଜେପି କହିଛି ମାମଲା ରୁଜୁ ହୋଇଛି, ଦୋଷୀ ଦଣ୍ଡ ପାଇବ । ତେବେ ଏନେଇ ରାଜ୍ୟପାଳଙ୍କ ପୁଅ, ରାଜଭବନ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୂଚନାଯୋଗ୍ୟ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନେଇ ଓଡ଼ିଶା ସଚିବାଳୟ ସେବାର ଅଧିକାରୀ ବୈକୁଣ୍ଠନାଥ ପ୍ରଧାନ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା ।

ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ବୈକୁଣ୍ଠ ଦର୍ଶାଇଛନ୍ତି ଯେ, ପୁରୀ ରାଜଭବନରେ ଜୁଲାଇ ୭ତାରିଖ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ ଗତ ୫ତାରିଖରୁ ପୁରୀରେ ରହିଥିଲେ ।

୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ବେଶ୍ ଭଲରେ ସମ୍ପାଦନ ହୋଇଥିଲା । କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବା ବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ । ରାଜଭବନର ସୁଟ୍ ନମ୍ବର-୪ରେ ରହୁଥିବା ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ, କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ କୁଆଡ଼େ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଅଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ । ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ ବୋଲି ବୈକୁଣ୍ଠ ଅଭିଯୋଗ କରିଥିଲେ ।