ବାଃ ବାଃରେ ବ୍ୟବସ୍ଥା!!! ସରକାରୀ ଅଧ୍ୟାପକ ଚଳାଉଛନ୍ତି ଭୂତ କଲେଜ

ଅଧ୍ୟାପକଙ୍କ କାମ ଅଧ୍ୟାପନା କରିବା । ହେଲେ ଜ୍ଞାନ ବାଣ୍ଟିବା ଜାଗାରେ ଟଙ୍କା ରୋଜଗାରକୁ ନେଇ ଏବେ ଚର୍ଚ୍ଚାରେ ଜଣେ ସରକାରୀ ଅଧ୍ୟାପକ ।

Govt Lecture

ଅଧ୍ୟାପକଙ୍କ କାମ ଅଧ୍ୟାପନା କରିବା । ହେଲେ ଜ୍ଞାନ ବାଣ୍ଟିବା ଜାଗାରେ ଟଙ୍କା ରୋଜଗାରକୁ ନେଇ ଏବେ ଚର୍ଚ୍ଚାରେ ଜଣେ ସରକାରୀ ଅଧ୍ୟାପକ । କଲେଜରେ ଚାକିରି କରି ଆଉ ଗୋଟିଏ ଘରୋଇ କଲେଜ ଖୋଲି, ଏବେ ଫସିଯାଇଛନ୍ତି ରାଜନୀତି ବିଜ୍ଞାନର ଅଧ୍ୟାପକ କିଶୋର ସାହୁ ।

ବଲାଙ୍ଗିର ବେଳଗାଁ ଯୁକ୍ତ ଦୁଇ କଲେଜର ଅଧ୍ୟାପକ କିଶୋର ସାହୁଙ୍କ କେଳେଙ୍କାରୀକୁ ନେଇ ପ୍ରଶାସନର ତଦନ୍ତ । ଖାଲି ନକଲି କଲେଜ ନୁହେଁ, ନକଲି ଅଧ୍ୟକ୍ଷ ଓ ଅଧ୍ୟାପକ ନିଯୁକ୍ତି ଦେଇ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ଚକମା ଦେଇଛନ୍ତି ସରକାରୀ ଅଧ୍ୟାପକ କିଶୋର ସାହୁ । ପ୍ରଶାସନର ଦୁଇଦଫା ତଦନ୍ତ ସରିଛି ।

ଦୋଷୀ ବିରୋଧରେ ମାମଲା ରୁଜୁ କରିବାକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଓଟିଭିର ଗୁପ୍ତ କ୍ୟାମେରାରେ ନିଜ ଘରୋଇ ବେପାର ବଖାଣିଥିଲେ ଅଧ୍ୟାପକ କିଶୋର ସାହୁ । ନକଲି କଲେଜ ଖୋଲି କେମିତି ପିଲାଙ୍କଠୁ ଆଦାୟ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା ସେ ବିଷୟରେ କହିଥିଲେ ।

ତେବେ ଘଟଣାର ପ୍ରଘଟ ହେଲା ପରେ, ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ତେଣୁ ଗତକାଲି ଟିଟିଲାଗଡରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ କିଶୋର ସାହୁ ଖୋଲିଥିବା ହୃଷିକେଶ ପ୍ରିୟାବତୀ କଲେଜର ଛାତ୍ରଛାତ୍ରୀ । ଜିଲ୍ଳାପାଳଙ୍କୁ ଭେଟି କେମିତି ଅଧ୍ୟାପକଙ୍କ ମାଇଣ୍ଡ ଗେମ୍‌ରେ ଫସିଛନ୍ତି ବଖାଣିଥିଲେ ଛାତ୍ରଛାତ୍ରୀ ।

୨୦୨୩-୨୪ ବର୍ଷରେ ୪୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । କିନ୍ତୁ ଉପସ୍ଥାନ ଖାତା ଖାଲି ପଡିଛି । କାରଣ କଲେଜ ବୋଲି କିଛି ନଥିବାରୁ, ବେଳଗାଁ ଗୋପବନ୍ଧୁ ଯୁକ୍ତଦୁଇ କଲେଜରେ କ୍ଳାସ କରୁଥିଲେ ଛାତ୍ରଛାତ୍ରୀ । ଆଉ ଏହି କଲେଜର ସରକାରୀ ଅଧ୍ୟାପକ କିଶୋର ସାହୁ ।

ଅନ୍ୟପଟେ ପିଲାଙ୍କ ଅଭିଯୋଗ ଶୁଣିଲା ପରେ ଉପ-ଜିଲ୍ଳାପାଳ ତଦନ୍ତ ଜାରି ରଖି କହିଛନ୍ତି ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ନିକଟରେ ଥିବା କଲେଜରେ ଫସିଥିବା ଛାତ୍ରଛାତ୍ରୀଙ୍କ ନାଁ ଲେଖାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଗତକାଲି ଅଧ୍ୟାପକଙ୍କ ମାଇଣ୍ଡ ଗେମ୍‌କୁ ନେଇ ଓଟିଭିରେ ଖବର ପ୍ରକାଶିତ ହୋଇଥିଲା ।

ଏହା ପରେ ଚଳଚଞ୍ଚଳ ହୋଇପଡ଼ିଛି ଜିଲ୍ଲା ପ୍ରଶାସନ । ସେପଟେ ସଇଁନ୍ତଲା ବ୍ଳକ ସିଲେଟପଡାରେ ଥିବା ଘରୋଇ କଲେଜର ସ୍ଥିତି ନକହିବା ଭଲ । ଗୋଟିଏ ମାତ୍ର ଅଫିସ କଠୋରୀ । ଆଉ କୌଣସି ଶ୍ରେଣୀ ଗୃହ ନାହିଁ, କାନ୍ଥ ମଧ୍ୟ ଉଠିନି । କିନ୍ତୁ ଦୁଇବର୍ଷ ହେଲା ସେଠାରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଉଛି ।

ତେବେ ଓଟିଭିରେ ଖବର ପ୍ରକାଶିତ ହେଲା ପରେ ତରବରିଆ ଭାବେ, ଟ୍ରାକ୍ଟର ଯୋଗେ ବେଞ୍ଚ ଓ ଟେବୁଲ ବୁହା ଚାଲିଛି । ଏପରିକି ବେଳଗାଁ ଠାରେ ଥିବା ସରକାରୀ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟକ୍ଷା ଓ ରାଜନୀତି ବିଜ୍ଞାନ ଅଧ୍ୟାପକ କିଶୋର ସାହୁଙ୍କ ସଂପୃକ୍ତି ନେଇ ତଦନ୍ତ କରି ରିପୋର୍ଟ ଦେଇଛନ୍ତି ସ୍ଥାନୀୟ ବି.ଇ.ଓ । ଜିଲ୍ଳାପାଳ କହିଛନ୍ତି ଖୁବଶୀଘ୍ର ସଂପୃକ୍ତ ଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହେବ ।