ram
ଦୀଘା ଦାରୁ ଦିଅଁ ବିବାଦରେ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୋଧରେ କଣ ହେବ ଆକ୍ସନ୍ ? ଜେରା ପରେ ଆସନ୍ତା ୭ ଦିନ ଭିତରେ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଉତ୍ତର ସନ୍ତୋଷଜନକ ନହେଲେ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ମହାପ୍ରଭୁଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତି କରିବା ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରାଯାଇଛି। ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନମିଳିଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି। ନୋଟିସ୍ ପୂର୍ବରୁ ଆଜି ରାମକୃଷ୍ଣଙ୍କ ସହ ଦଇତାପତି ନିଯୋଗ ସଭାପତି ଗଣେଶ୍ବର ଦାସ ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଘଣ୍ଟାଏ 15 ମିନିଟ୍ ଧରି ମାରାଥନ୍ ଜେରା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ରାଜଧାନୀର ସାଲିଆସାହିରେ ରେଡ୍; ବିପୁଳ ପରିମାଣର ଦେଶୀ ମଦ ଜବତ, ୯ ଗିରଫ
ନିଜେ ନିଜକୁ ଧରାପକେଇ ଦେଇଥିବା ଦଇତାପତି ନିଯୋଗର ସଂପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ଉପରେ କ'ଣ ହେବ କାର୍ଯ୍ୟାନୁଷ୍ଠାନ ? ସାରା ଜଗନ୍ନାଥପ୍ରେମୀ ଓ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା,ଉଦବେଗ ଭିତରେ ଆଜି ରାମକୃଷ୍ଣଙ୍କ ସହ ଦଇତାପତି ନିଯୋଗ ସଭାପତି ଗଣେଶ ଦାସ ମହାପାତ୍ରଙ୍କୁ ମାରାଥନ୍ ପଚରାଉଚରା କରିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ। ଇଏ ତାରି ଚିତ୍ର। ଘଣ୍ଟେ 15 ମନିଟ୍ କାଳ ଗୁଡ଼େଇ ତୁଡ଼େଇ ପ୍ରଶ୍ନ। ଦାରୁ ଘରେ କେତୋଟି ଚାବି ଅଛି ? ଚାବି କାହା ପାଖରେ ଥିଲା ? ବଳକା କାଠରେ ଯେଉଁ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରିଛନ୍ତି ? ସେ ଦାରୁ ବାହାରକୁ କେମିତି ଗଲା ? କାହା ଜରିଆରେ ବାହାରକୁ ଗଲା ? କେତେ ଦାରୁ ହରଣଚାଲ୍ ହୋଇଛି ? ପୂରା ଘଟଣାରେ କିଏ କିଏ ସାମିଲ୍ ? ଏହା ଛଡ଼ା ଯେଉଁ ବ୍ରହ୍ମସ୍ଥାପନ କେମିତି କଲ ? କୋଉଠୁ କେମିତି ଆଣିଲ ସେ ବ୍ରହ୍ମ ? କୁହାଯାଉଛି ଏମିତି ପୁଳା ପୁଳା ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ରାମକୃଷ୍ଣ। ନିର୍ଦ୍ଦିଷ୍ଟ ଭାବେ ଉତ୍ତର କଣ ରଖିଛନ୍ତି ତାହା ସାମ୍ନାକୁ ଆସି ନଥିଲା ବେଳେ ପଚରାଉଚରା ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସାମ୍ନାରେ କିଛି ଏଭଳି ମୁଦ୍ରାରେ ଦେଖିବାକୁ ମିଳିଥିଲା ରାମକୃଷ୍ଣଙ୍କୁ। ପଚରାଉଚରା ପରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରୁ ରାମକୃଷ୍ଣ ବାହିବା ବେଳେ ପୂର୍ବର ସେ ତୋଡ଼ ନଥିଲା, ଗଣମାଧ୍ୟମ ପ୍ରଶ୍ନର ଉତ୍ତର ବି ନଥିଲା। ସବୁ ପ୍ରଶ୍ନକୁ ଏଡ଼ାଇ କେବଳ ହାତଯୋଡ଼ି ଚାଲିଯାଇଥିଲେ। ନିଯୋଗ ସଭାପତି କହିଥିଲେ ସବୁ ତଥ୍ୟ ଲିଖିତ ଆକାରରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦିଆଯାଇଛି।
ସରକାରଙ୍କ ନିର୍ଦ୍ଦେଶରେ ବିବାଦକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ତନାଘନା ଭିତରେ କିନ୍ତୁ ରାମକୃଷ୍ଣଙ୍କ ନେଇ ବିରୋଧ ଥମୁନି। ଦାରୁ ହରଣଚାଲ ଘଟଣାରେ ରାମକୃଷ୍ଣଙ୍କ ସହ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରି ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ବେଳେ ରାମକୃଷ୍ଣଙ୍କ ଭଳି ଯାତ୍ରୀବ୍ୟବସାୟୀଙ୍କ ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ବିପଦରେ ବୋଲି କହିଛି ଦତ୍ତ ମହାପାତ୍ର ନିଯୋଗ। ସେହିପରି ଘଟଣାରେ ପୂରା ଦଇତାପତି ସମାଜ ବଦନାମ ହେଉଥିବା କହି, ଜେରାରୁ କିଛି ସତ୍ୟାସତ୍ୟ ସାମ୍ନାକୁ ଆସିବନି, ଆଗ ଦାରୁ ଘରର ସରଜମିନ୍ ତଦନ୍ତ ହେଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଦଇତା ବିନାୟକ ଦାସ ମହାପାତ୍ର।
ଏସବୁ ଭିତରେ ରାଜନୀତି ବି ତେଜିଛି। ବିଜେଡି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଥିବା ବେଳେ ଆଇନମନ୍ତ୍ରୀ କହିଛନ୍ତି ପୁରୀରେ ସେବା ସଂସ୍କୃତିକୁ ଖରାପ କରିଥିବା ପୂର୍ବ ସରକାର ଆଗ ନିଜ କୃତକର୍ମକୁ ଦେଖୁ। ଏବର ଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ। ଏବେ ଅପେକ୍ଷା ଶ୍ରୀମନ୍ଦିର ପ୍ରଶାସନ ଆରମ୍ଭ କରିଥିବା ତଦନ୍ତରୁ କି ସତ ସାମ୍ନାକୁ ଆସୁଛି ଓ ବାସ୍ତବରେ ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ram_1746370359.jpg)