ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ । ଶିମିଳିପାଳ ଜଙ୍ଗଲରେ ଲାଗିଛି ନିଆଁ। ମୟୂରଭଞ୍ଜରେ ଶିମିଳିପାଳ ଅଭୟାରଣ୍ୟର ଡୁକୁରା, ତାଳବନ୍ଧ, କେନ୍ଦୁମୁଣ୍ଡି ଏବଂ ଗୁଡୁଗୁଡ଼ିଆ ରେଞ୍ଜର ଅନେକ ଅଞ୍ଚଳରେ ନିଆଁ ଲାଗିଛି। ଗରମ ବଢ଼ୁଥିବାରୁ ନିଆଁ ବି ଧିରେ ଧିରେ ବ୍ୟାପୁଛି । ଗତକାଲି ୧୩ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଏହା ଏବେ ୩୦ରୁ ଅଧିକ ପଏଣ୍ଟ ଅର୍ଥାତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି ।
Also Read
ଜଳୁଛି ଜଙ୍ଗଲ। ପାହାଡ଼ରେ କୁହୁଳୁଛି ନିଆଁ। କୋରାପୁଟ ଲକ୍ଷ୍ମୀପୁରର ପାହାଡ଼କୁ ଘୋଡ଼ାଇ ଦେଉଛି ଧୂଆଁର ଆସ୍ତରଣ। ମାଲକାନଗିରି ବାଲିମେଳା ଅଞ୍ଚଳରେ ବି ଜଙ୍ଗଲ ଜଳିବାରେ ଲାଗିଛି। ପୂରା ପାହାଡ଼କୁ ମାଡ଼ିଗଲାଣି ନିଆଁ। ବୁଦାଠୁ ଆରମ୍ଭ କରି ବଡ଼ ବଡ଼ ଗଛ, ସବୁକିଛି ଜଳି ପଦା ହୋଇଗଲାଣି।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି, ଚଳିତ ଥର ଅର୍ଥାତ୍ ୨୦୨୩ ନଭେମ୍ବରରୁ ଆଜି ସୁଦ୍ଧା ରାଜ୍ୟର ୧୩ ହଜାର ୫୮୯ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧ ହଜାର ୩୯୬ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଛି। କେବଳ ଆଜି ରାଜ୍ୟର ୧ ହଜାର ୩୮୭ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ସେଥିରୁ ୧୨୭ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଛି। ଦିନକୁ ଦିନ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଥିବାରୁ ଚିନ୍ତାରେ ସ୍ଥାନୀୟ ଅଧିବାସୀ।
ଗତ ସପ୍ତାହକ ଭିତରେ ରାଜ୍ୟର ୫ ହଜାର ୩୭୫ ସ୍ଥାନରେ ଜଳିଛି ଜଙ୍ଗଲ, ଯାହାକି ଦେଶରେ ସର୍ବାଧିକ। ଜଙ୍ଗଲ ନିଆଁ ନେଇ ପିସିସିଏଫ୍ କହିଛନ୍ତି, ୯୯ ପ୍ରତିଶତ ଜଙ୍ଗଲ ନିଆଁ ମନୁଷ୍ୟକୃତ। କେଉଁଠି ପୋଡ଼ୁଚାଷ ପାଇଁ ତ ଆଉ କେଉଁଠି ମହୁଲ ଗୋଟାଇବାକୁ ଓ କେନ୍ଦୁପତ୍ର ତୋଳିବାକୁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ପିସିସିଏଫ୍। ତେବେ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ରାଜ୍ୟରେ ଜଙ୍ଗଲ ନିଆଁ ଉଗ୍ର ରୂପ ନେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। କହିଛନ୍ତି, ଏମିତି ଜାରି ରହିଲେ, ଆଗକୁ ମରୁଭୂମି ପାଲଟିଯିବ ଓଡ଼ିଶା। ଆଗକୁ ତାତି ବଢ଼ିବା ସହ ଜଙ୍ଗଲ ନିଆଁ ଆହୁରି ବ୍ୟାପକ ହେବ ବୋଲି ଆଶଙ୍କା କଲେଣି ବିଶେଷଜ୍ଞ।