ଘନ କୁହୁଡିରେ ଆଚ୍ଛାଦିତ ଶ୍ରୀମନ୍ଦିର । କୁହୁଡି ମୁଖ୍ୟ ମନ୍ଦିରକୁ ଲୁଚାଇ ଦେଇଛି । ଶୀତର ମାତ୍ରା ବଢିନଥିବା ବେଳେ ସକାଳୁ କୁହୁଡି ଦେଖିବାକୁ ମିଳିଲାଣି । ଗତକାଲି ଦୀପାବଳି ଅମାବାସ୍ୟାରେ ହଜାର ହଜାର ଲୋକ କାଉଁରିଆ ଜାଳିଥିଲେ, ବାଣ ଫୁଟିଥିଲା । ତେଣୁ ଆକାଶରେ ଧୂଆଁର ମାତ୍ରା ବଢିଛି । ଆକାଶରେ କୁହୁଡି ରହିଥିବାରୁ ଏହି ଧୂଆଁର ପ୍ରଭାବ ପଡି ଥାଇପାରେ ।
ସୂର୍ଯ୍ୟ କିରଣ ପଡିବା ପରେ କୁହୁଡି ଦୂରୀଭୂତ ହେବ । ସ୍ପଷ୍ଟ ଦୃଶ୍ୟମାନ ହେବ ଶ୍ରୀମନ୍ଦିର । ସେପଟେ ଭୁବନେଶ୍ୱରରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ । ଦୃଶ୍ୟମାନ ହେଉନି ୧୦୦ ମିଟରରୁ ଅଧିକ ଦୂର ରାସ୍ତା । ଦୀପାବଳିରେ ପ୍ରବଳ ବାଣ ଫୁଟାଇବାରୁ ବଢ଼ିଛି ପ୍ରଦୂଷଣ । ସନ୍ଧ୍ୟା ୭ରୁ ୯ ପର୍ଯ୍ୟନ୍ତ ବାଣ କଟକଣା ରହିଥିଲା । କମ୍ ଶବ୍ଦ ବିଶିଷ୍ଟ ବାଣ ଫୁଟାଇବାକୁ କୁହାଯାଇଥିଲା । ଡାକ୍ତରଖାନା, କୋର୍ଟ, ଶିକ୍ଷାନୁଷ୍ଠାନ ଆଦି ସ୍ଥଳରେ ୧୦୦ ମିଟର ପରିସୀମା ବାହାରେ ବାଣ ଫୁଟାଇବାକୁ କୁହାଯାଇଥିଲା ।
Also Read
ତେବେ ଅମାନିଆଙ୍କ ଉପରେ କଟକଣାର କୌଣସି ପ୍ରଭାବ ପଡ଼ିନଥିଲା । ସବୁଜବାଣ ବଦଳରେ ନିଷିଦ୍ଧ ବାଣ ମଧ୍ୟ ଫୁଟିଲା । ଦୁଇଦିନ କାଳ ବାଣ ଫୁଟାଇ ଫୁଟାଇ ପରିବେଶକୁ ପ୍ରଦୂଷଣ କରିଦେଲେ । ସେପଟେ ଦୀପାବଳିରେ ୩୫୦ କୋଟି ଟଙ୍କାର ବାଣ ଜଳିଥିବା ଜଣା ପଡ଼ିଛି । ଏହା ମଧ୍ୟରେ ଅଧିକ ସବୁଜ ବାଣ ରହିଥିବା ବେଳେ ଦେଶୀ ବାଣ ମଧ୍ୟ ବାଦ୍ ପଡ଼ିନାହିଁ । ସବୁ ବର୍ଷ ପ୍ରାୟ ୩୦୦ ଭିତରେ ସୀମିତ ରହୁଥିବା ବାଣ ବେପାର ଏଥର ୩୫୦ କୋଟି ପାର୍ କରିଛି ।
ସେପଟେ କୋଇଡ଼ାରେ ଶୀତ ସାଙ୍ଗକୁ କୁହୁଡ଼ି ପଡ଼ିଛି । ଡେରିରେ ହେଲେ ବି ହାଲୁକା ଶୀତର ଆଗମନରେ ଚଳଚଞ୍ଚଳ ହେଲାଣି ଖଣି ଖାଦାନ ଅଞ୍ଚାଳରେ ପ୍ରାତଃ ଭ୍ରମଣ । ସୁନ୍ଦରଗଡ଼ କୋଇଡା ବ୍ଲକରେ ଚଳିତ ବର୍ଷ ଡେରିରେ ଶୀତ ପହଞ୍ଚିଥିଲେ ମଧ୍ୟ ହାଲୁକା ଶୀତର ମଜା ନେଉଛନ୍ତି ବୟସ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ।
ଚଳିତ ବର୍ଷ ଏଠାରେ ଡେରିରେ ଶୀତର ପ୍ରଭାବ ଦେଖା ଦେଇଥିଲେ ସୁଦ୍ଧା ଏହାର ଖୁବ୍ ମଜା ଉଠାଉଛନ୍ତି ଛାତ୍ରଛାତ୍ରୀ । ଏପରିକି ବ୍ୟାୟାମ୍ କରି ଶୀତର ବେଶ ମଜା ନେଉଛନ୍ତି ଛାତ୍ରଛାତ୍ରୀ।