ବନ୍ୟା ପାଣି ମାଡ଼ିଯିବା ପରେ ଗାଁ ଦାଣ୍ଡରେ ମାଳ ମାଳ କୁମ୍ଭୀର । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢ଼ି ଭୟକୁ ବଳିଗଲା କୁମ୍ଭୀର ସାଙ୍ଗକୁ ଜନ୍ତୁଜୁନ୍ତା ଟେନସନ୍। ବ୍ରାହ୍ମଣୀ ଓ ଖରସ୍ରୋତା ଆଦି ନଦୀ କୂଳ ଲଂଘିବାରୁ ଆଳି ଓ ରାଜକନିକା ଆଦି ଅଞ୍ଚଳର ବହୁ ଗାଁରେ ଏବେ ସଂଗୀନ ସ୍ଥିତି।
ସାବଧାନ...ହୁସିଆର...ଗାଁ ଦାଣ୍ଡରେ କୁମ୍ଭୀର ଖେଳୁଛି। କି ଦିନ...କି ରାତି...। କି ନଈ...କି ସାହି...। ମାଳ ମାଳ କୁମ୍ଭୀର ଭାସିବା ଦେଖି, ସବୁଠି କୋକୁଆ ଭୟ। ଗାଁରେ ବନ୍ୟାଜଳ ପଶିବା ପରେ, ବର୍ଦ୍ଧିତ ସାମ୍ରାଜ୍ୟର ନିରୀକ୍ଷଣ କରୁଛନ୍ତି ମଗର ମହାରାଜ। କେତେବେଳେ ଟହଲ ମାରୁଛନ୍ତି, ପୁଣି କେତେବେଳେ ଶିକାର ଖୋଜୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଚଉଦକୁଲାଟ ଅଞ୍ଚଳ। ବ୍ରାହ୍ମଣୀରେ ବଢ଼ି ଆସିବା ପରେ, ଘାଗରା, ଅଳପୁଆ, ବଲୁରିଆ, ପେଣ୍ଠପାଳ, କୂଳସାହି ଆଦି ଗାଁ ଗାଁରେ କୁମ୍ଭୀର ଆତଙ୍କ।
Also Read
କେନ୍ଦ୍ରାପଡ଼ାର ଅନେକ ଅଞ୍ଚଳରେ ବନ୍ୟା ବେଳେ ଡବଲ୍ କଷ୍ଟ। କଥାରେ ନାହିଁ, ପାଣିରେ ଘର କରି କୁମ୍ଭୀର ସାଙ୍ଗେ ବାଦ। ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀ କୂଳ ଲଂଘିବା ପରେ ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ବାସୀଙ୍କର ଏବେ ସେଇ ଅବସ୍ଥା। ଖାଲି କୁମ୍ଭୀର ନୁହେଁ, ସାପ, ବିଛା ଆଦି ସରିସୃପ, ତା ସାଙ୍ଗକୁ ଶିଆଳ-ବିଲୁଆ। ଜମି ବାଡ଼ି, ବଣବୁଦା ଚାରିଆଡ଼େ ପାଣି ଭରିଯାଇଥିବାରୁ, ଉଚ୍ଚା ଜାଗାକୁ ଆଶ୍ରୟ ପାଇଁ ପଳାଇ ଆସୁଛନ୍ତି ଜନ୍ତୁଜୁନ୍ତା। ଘରେ ପଶିଯିବା ଭୟରେ ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ତେଣୁ ସଞ୍ଜ ନଇଁଲେ ଟର୍ଚ୍ଚ ଓ ଠେଙ୍ଗା ଧରି ବିଭିନ୍ନ ସ୍ଥାନରେ ପହରା ଦେଉଛନ୍ତି ଲୋକେ।
ଯେଉଁଠି ରାସ୍ତାରେ ପାଣି...ଶୋଇବା ଘରରେ ପାଣି...ଚୁଲି ମୁଣ୍ଡରେ ପାଣି...ଗୁହାଳ ଭିତରେ ପାଣି...। ସେଠି ଲୋକମାନେ କେତେ ଯେ ହୀନସ୍ତା ହେଉଥିବେ, ତାର କଳନା କେବଳ ବନ୍ୟା ପୀଡ଼ିତ ଲୋକ ହିଁ ଜାଣିବେ। ଆଳିର ଧୋୟା ଅଞ୍ଚଳ, ପାଖାପାଖି ୧୦ଟି ପଞ୍ଚାୟତ। କାହା ଘରେ ଚୁଲି ଜଳୁନି, ତ ଆଉ କିଏ ଅନ୍ଧାର ରାତିରେ ଉଚ୍ଚ ଜାଗା ଦେଇ ଆଶ୍ରୟ ନେଇଛି ଗୃହପାଳିତ ପଶୁଙ୍କ ସହ। ଗୋରୁଗାଈ, ଛେଳି କୁକୁର, ସେଇଠି ଜାକିଜୁକି ହୋ ରାତି କାଟୁଛି ମଣିଷ । ଘରୁ ଗୋଡ଼ କାଢ଼ିଲେ ଅଣ୍ଟାଏ-ଛାତିଏ ପାଣି। ତେଣୁ ସଉଦାପତ୍ର ଓ ପାନୀୟ ଜଳ ଆଦି ଆଣିବା ପାଇଁ ଲୋକଙ୍କୁ ଡରି ଡରି ପାଣିରେ ହିଁ ଯାଆସ କରିବାକୁ ପଡ଼ୁଛି। କେତେବେଳେ ଯେ କିଏ କୁମ୍ଭୀର ହାବୁଡ଼ରେ ପଡ଼ିବ କାହାକୁ ବା ଜଣା।
ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ କୁମ୍ଭୀର ପ୍ରବଣ ସ୍ଥାନରେ ପ୍ରଶାସନ ପକ୍ଷରୁ ସତର୍କ ଘୋଷଣା କରାଯାଉଥିବା ସୂଚନା ମିଳିଛି।