Flood Situation
ବିତିଲାଣି ୩ ଦିନ। ନା ଆଖିକୁ ନିଦ ନା ପେଟକୁ ଭୋକ । ଜଳବନ୍ଦୀ ଯନ୍ତ୍ରଣା ଭିତରେ ବତୁରି ଗଲାଣି ସର୍ବାଙ୍ଗ। ଯେଉଁ ଚୁଲିରେ ମୁଠାଏ ଭାତ ଫୁଟୁଥିଲା, ତାହା ବନ୍ୟାଜଳରେ ନଷ୍ଟ ହୋଇଯାଇଛି। ଏବେ ପାଣି ସାମାନ୍ୟ କମିବା ପରେ ତାକୁ ସଜାଡ଼ିବାକୁ ଲାଗିଛନ୍ତି ଗୃହିଣୀ। ହେଲେ ପାଖରେ ନା ଡାଲି ଚାଉଳ ଅଛି ନା ସଉଦା। ନା କେହି ଆସି ପଚାରୁଛନ୍ତି ଏମାନଙ୍କ ଅବସ୍ଥା ନା ପହଞ୍ଚିପାରୁଛି ସହାୟତା। ବାଲେଶ୍ବର ଭୋଗରାଇ ଅଞ୍ଚଳରେ ଏଭଳି ଅବସ୍ଥା ।
ଲୋକଙ୍କ କହିବା କଥା, ଲାଗ୍ ଲାଗ୍ ଦୁଇ ଦୁଇଟି ବନ୍ୟା ଯୋଗୁ ଚାରିଆଡ଼େ ପାଣି ଥିଲେ ବି ପିଇବାକୁ ମୁନ୍ଦେ ନାହିଁ। ତେଣୁ ଭୋକଶୋଷରେ ଡହଳ ବିକଳ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ସରକାରୀ ସହାୟତା ମିଳିନଥିବାରୁ ଅସନ୍ତୋଷ ବି ଝାଡ଼ିଛନ୍ତି ବିପନ୍ନ। ଭୋଗରାଇ ବ୍ଲକର ଏମିତି କୌଣସି ଗାଁ ନାହିଁ, ଯାହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇନାହିଁ।
ଯେହେତୁ କ୍ରମାଗତ ଦୁଇ ଦୁଇଟି ବନ୍ୟା ଘାଇଲା କଲାଣି, ତେଣୁ ଆଉ ଘରେ ବସି ହେବନାହିଁ। ଫଳରେ ଲୋକଙ୍କ ଏବେ ଭରସା ସାଜିଛି ଡଙ୍ଗା। ପେଟକୁ ଦାନା ଯୋଗାଡ଼ ପାଇଁ ଏମିତି ଡଙ୍ଗାରେ ଯାଉଛନ୍ତି ହାଟ ବଜାର। ବାଉଁଶ ଖଣା ହେଉ କି କୁଲ୍ଡ଼ା, କୁସୁଡ଼ା ହେଉ କି ଗବଗାଁ। ନଦୀକୂଳିଆ ଏବଂ ତଳିଆ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ଭଳି ଏଥର ବି ଭାସୁଛି ଗାଁ ଗଣ୍ଡା ।
ଭୋଗରାଇ, ବାଲିଆପାଳ, ବସ୍ତା ଏବଂ ଜଳେଶ୍ବର ବ୍ଲକର ୩୦ଟି ପଞ୍ଚାୟତର ଶହେରୁ ଅଧିକ ଗାଁ ଜଳବନ୍ଦୀ ହୋଇରହିଛି । ପାଣିରେ ବୁଡ଼ିଯାଇଛି ୫ ହଜାରରୁ ଅଧିକ ହେକ୍ଟର ଚାଷଜମି। ତାରି ଭିତରେ କାହାର ଧାନ ବୁଡ଼ି ନଷ୍ଟ ହୋଇଯାଇଛି ତ ଆଉ କାହାର ପରିବା ଚାଷ ପଚିସଢ଼ି ନଷ୍ଟ ହୋଇଗଲାଣି। ସୁବର୍ଣ୍ଣରେଖାରେ ଆସିଥିବା ଦୁଇ ଦୁଇଟି ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଦାନାପାଣିକୁ।
ବୁଢ଼ାବଳଙ୍ଗ ପାଣି ଛାଡ଼ିବା ପରେ ବାଲେଶ୍ବର ସଦର ଓ ରେମୁଣା ବ୍ଲକ ଅଞ୍ଚଳରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ପୋଟଳ, ବାଇଗଣ, ବୋଇତାଳୁ କିଛି ବି ଆଉ ବଞ୍ଚିନି।
ଏସବୁ ଭିତରେ ଦୁଃଖଦ ଖବର ହେଉଛି, ଜଳକା ବନ୍ୟା ପାଣିରେ ଭାସି ଗତକାଲି ଠାରୁ ନିଖୋଜ ଥିବା ଯୁବକଙ୍କ ଆଜି ମୃତଦେହ ମିଳିଛି। ବସ୍ତା ବ୍ଲକ କାଳନ୍ଦା ଗାଁର ଶତୃଘ୍ନ ବିନ୍ଧାଣୀ ହାଟକୁ ଯାଇଥିବାବେଳେ ବନ୍ୟା ପାଣିରେ ସେ ଭାସି ଯାଇଥିବା ପରିବାର ଲୋକେ କହିଥିଲେ।
ସେପଟେ ୨ ଦିନ ପରେ ଆଜି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବୈତରଣୀରେ ଯାହା କିଛି ବନ୍ୟାଜଳ ଅଧିକ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକକୁ ଆଲର୍ଟ କରାଯାଇଛି। ଝାଡ଼ଖଣ୍ଡ ଚାନ୍ଦିଲିରୁ ୯ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ଓଡ଼ିଶା ପାଇଁ ସେଭଳି ବିପଦ ନଥିବା କହିଛି ଜଳସମ୍ପଦ ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751384082.jpg)