ବାତ୍ୟା 'ଦାନା' ପାଇଁ ପ୍ରଭାବିତ ହେବ ୪୦ ବିମାନ ସେବା । ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବନ୍ଦ ରହିବ । ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ପବନର ବେଗ ୩୫ରୁ ୪୦ କିମିରୁ ଅଧିକ ରହିବ । ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ ।
ଗତକାଲି ରାତିରେ ଏନେଇ ଜରୁରୀକାଳୀନ ବୈଠକ ବସିଥିଲା । ତେଣୁ ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବ । ପାଣିପାଗର ତଥ୍ୟ ଅନୁସାରେ କାଲି ସକାଳେ ପୁଣି ସମୀକ୍ଷା ହେବ । ଆଜି ୫ଟାରୁ କିଛି ବିମାନ ବନ୍ଦ ରହିବ, କିଛି ବିଳମ୍ବ ହେବ ଏବଂ କିଛି ରିସ୍ୟୁଡ୍ୟୁଲ ହେବ ।
Also Read
ବାତ୍ୟା ପରେ ଗାଇଡଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ । ମାଡ଼ି ଆସୁଛି ଭୀଷଣ ବାତ୍ୟା । ବଙ୍ଗୋପସାଗରରୁ ବଳ ଗୋଟାଇ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି । ସାଇକ୍ଲୋନ୍ 'ଦାନା' ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ‘ଦାନା’ ଲ୍ୟାଣ୍ଡଫଲ୍ କରିବ । ଭିତରକନିକା-ଧାମରା ପାଖରେ ଉପକୂଳ ଅତିକ୍ରମ କରିବ ।
ତେବେ ବାତ୍ୟା ‘ଦାନା’କୁ ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ୨୪ ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା । ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଉପକୂଳରେ ଜୁଆର ଆସିବ । ଉକ୍ତ ୩ ଜିଲ୍ଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ସେହିପରି ଜଗତସିଂହପୁର ଜିଲ୍ଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ।
ଉକ୍ତ ଜିଲ୍ଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ । ନଦୀରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେହିପରି ବାତ୍ୟା ‘ଦାନା’ର ଆଖିକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି IMD ଡିଜି । ସେ କହିଛନ୍ତି, ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି । ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ । ‘ଦାନା’ ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଏହାର ଆଖି ସୃଷ୍ଟି ହୋଇନି । ପୂର୍ବାନୁମାନ ଅନୁସାରେ ବାତ୍ୟା ‘ଦାନା’ର ତୀବ୍ରତା ରହିବ, ଆଉ ବଢ଼ିବନି ବୋଲି IMD ଡିଜି ସୂଚନା ଦେଇଛନ୍ତି ।