ରାଜ୍ୟ ସରକାର ଚାଷୀଙ୍କଠୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବାକୁ ସ୍ଥିର କରିବା ପରେ ଏଥିରେ ସ୍ବଚ୍ଛତା ଆଣିବାକୁ ଆପଣେଇବାକୁ ଯାଉଛନ୍ତି ନୂଆ ବ୍ୟବସ୍ଥା। ଚଳିତ ଖରିଫ ଋତୁରୁ ପ୍ରଥମ ଥର ପାଇଁ ପ୍ରତି ମଣ୍ଡି, ପ୍ୟାକ୍ସ ଓ ଲ୍ୟାମ୍ପସରେ କ୍ବାଲିଟି ଆନାଲାଇଜର ମେସିନ୍ ବସାଇବାକୁ ସ୍ଥିର କରିଛି ଯୋଗାଣ ବିଭାଗ । ଯାହାଦ୍ବାରା ମିଲର ମାନେ ଆଉ ମନ ଇଚ୍ଛା ଧାନର ମାନ ନିର୍ଦ୍ଧାରଣ କରି କଟନି ଛଟନି କରି ପାରିବେନି । ଚାଷୀ ବି ନିର୍ଦ୍ଧାରିତ ଏଫଏକ୍ୟୁ ମାନର ଧାନ ବିକି ଉଚିତ୍ ମୂଲ୍ୟ ପାଇବ । ବିଭିନ୍ନ ସ୍ଥାନରେ ଚାଷୀ, ସରକାରଙ୍କ ଏ ନୂଆ ବ୍ୟବସ୍ଥାକୁ ସ୍ବାଗତ କରିଥିଲା ବେଳେ ବରଗଡ଼ ଜିଲ୍ଲାରୁ କିନ୍ତୁ ଆସିଛି ଭିନ୍ନମତ । ଚାଷୀନେତାଙ୍କ ଅଭିଯୋଗ ଏହାଦ୍ବାରା କେବଳ ଏଫଏକ୍ୟୁ ମାନର ଧାନ ସଂଗ୍ରହର ବ୍ୟବସ୍ଥା ଥିବାରୁ ତାଠୁ କମ୍ ମାନର ଚାଷୀ ଧାନବିକ୍ରିରେ ସମସ୍ୟାର ସମ୍ମୁଖୀନ ହେବେ ।
Also Read
ପ୍ରତିବର୍ଷ ଖରିଫ ଧାନ କିଣାବେଳେ କଟନି ଛଟନି ଜରିଆରେ ମିଲରଙ୍କ ଦୌରାତ୍ମ୍ୟର ଶିକାର ହୋଇଥାନ୍ତି ଚାଷୀ । ଏପରିକି, ଧାନର ଉଚିତ୍ ମୂଲ୍ୟ ପାଇବା ପ୍ରତିବଦଳରେ ମଣ୍ଡିକୁ ଆଣିଥିବା ଧାନରେ ଅଗାଡି, ଆର୍ଦ୍ରତା ଭଳି ବିଭିନ୍ନ କାରଣ ପାଇଁ କମ୍ ମୂଲ୍ୟରେ ବିକିବାକୁ ବାଧ୍ୟ ହୋଇଥାଏ । ହେଲେ ନୂଆ ବ୍ୟବସ୍ଥାରେ ଆଉ ସେଭଳି ହେବନି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମିଲର କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ FAQ ମାନର ଧାନ କିଣବେ। କ୍ବାଲିଟ୍ ଆନାଲାଇଜର ମେସିନ୍ ବ୍ୟବହାର ଦ୍ବାରା ଆଉ କେହି କାହାକୁ ଠକିପାରିବେନି । ସେପଟେ ଏ ନୂଆ ବ୍ୟବସ୍ଥାରେ ମିଲର ବି ଖୁସ୍। ଏହାଦ୍ବାରା ଏଣିକି କେବଳ FAQ ମାନର ଧାନ ପାଇବୁ ବୋଲି ଆଶା ରଖିଛନ୍ତି ମିଲର ।
ତାରିଖ ସ୍ଥିର ହୋଇନଥିଲେ ମଧ୍ୟ ପ୍ରଥମାଷ୍ଟମୀ ପରେ ପରେ ରାଜ୍ୟ ସରକାର ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଦେଖିବା କଥା ପ୍ରଥମ ଥର ପାଇଁ ୩୧ଶହ ଟଙ୍କାରେ ଧାନ କିଣି ଚାଷିଙ୍କୁ ଖୁସି କରିବାକୁ ଯାଉଥିବା ରାଜ୍ୟ ସରକାର କ୍ବାଲିଟ୍ ଆନାଲାଇଜର ମେସିନର ବ୍ୟବହାର ଦ୍ବାରା ବି ଚାଷୀଙ୍କୁ କେତେ ଫାଇଦା ଦେଉଛନ୍ତି ।