Advertisment

CM Kisan Yojana: ଚାଷୀଙ୍କୁ ନୂଆଁଖାଇ ଭେଟି, ମିଳିଲା ସିଏମ୍ କିଷାନ୍ ଟଙ୍କା

ନୂଆଁଖାଇରେ ନୂଆ ଆରମ୍ଭ । କାଳିଆ ବଦଳରେ ସିଏମ୍ କିଷାନ୍ । ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ସହାୟତାର ପ୍ରଥମ କିସ୍ତି ଟଙ୍କା।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

CM Kisan Yojana

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆସିଲା ସିଏମ୍ କିଷାନ୍। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସମ୍ବଲପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ ୯୨୫ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏଥିସହ ସିଏମ୍ ଓ ପିଏମ୍ କିଷାନରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜିକରଣ ପାଇଁ ସିଏମ୍ କିଷାନ୍ ପୋର୍ଟାଲର ବି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ନୂଆଁଖାଇରେ ନୂଆ ଆରମ୍ଭ । କାଳିଆ ବଦଳରେ ସିଏମ୍ କିଷାନ୍ । ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ସହାୟତାର ପ୍ରଥମ କିସ୍ତି ଟଙ୍କା। ସମ୍ବଲପୁର ଜିଏମ୍ ୟୁନିଭର୍ସିଟି ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ବଟନ୍ ଦବାଇ ଯୋଜନାର ଶୁଭାରମ୍ଭ ସହ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଟଙ୍କା ପଠାଇଛନ୍ତି ସିଏମ୍ ମୋହନ ମାଝୀ। 

ସିଏମ୍ କିଷାନ୍ ଯୋଜନାରେ ରାଜ୍ୟର ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ। ଏଥିପାଇଁ ପ୍ରଥମ କିସ୍ତିରେ ଚାଷୀଙ୍କୁ ୯୨୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି। ଉଭୟ ଖରିଫ ଓ ରବି ଫସଲ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷକଙ୍କ ଖାତାକୁ ୩ଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ଲେଖାଏଁ ଯିବ। ଏଥିପାଇଁ ଚଳିତ ବଜେଟରେ ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ରାଜ୍ୟ ସରକାର।

Advertisment

୨୦୧୯ ନିର୍ବାଚନକୁ ଯିବା ପୂର୍ବରୁ ଡିସେମ୍ବର ୨୦୧୮ରେ ଚାଷୀଙ୍କ ସହାୟତା ପାଇଁ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ପ୍ରଥମେ ପ୍ରଥମେ ଦୁଇଟି କିସ୍ତିରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦିଆଯାଉଥିଲା । ହେଲେ ୨୦୧୯ରେ ମୋଦି ସରକାର ପିଏମ୍ କିଷାନ ସମ୍ମାନ ନିଧି ଘୋଷଣା କରିବାରୁ କାଳିଆକୁ ତା’ ସହ ମିଶାଇ ୧୦ ହଜାରରୁ ସହାୟତା ରାଶିକୁ ୪ ହଜାରକୁ ଖସାଇ ଦେଇଥିଲେ ନବୀନ ସରକାର ।

ତେବେ ଗତମାସ ୩୧ ତାରିଖରେ ବିଧାନସଭାରେ କୃଷିମନ୍ତ୍ରୀଙ୍କ ତଥ୍ୟରୁ ପିଏମ୍ କିଷାନରେ ୨୯ ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀ ସାମିଲ ହୋଇଥିବାରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଉଦ୍ୟମ କରିଛନ୍ତି ମୋହନ ସରକାର।  ଏଥିପାଇଁ ଆଜି ସିଏମ୍ କିଷାନ୍ ପୋର୍ଟାଲର ବି ଶୁଭାରମ୍ଭ କରାଯାଇଛି। ଯେଉଁଥିରେ ସିଏମ୍ ଓ ପିଏମ୍ କିଷାନରୁ ବଞ୍ଚିତ ଚାଷୀ ନାମ ପଞ୍ଜିକରଣ କରିପାରିବେ। ଆଜିଠୁ ଏହି ପଞ୍ଜିକରଣ ଆରମ୍ଭ ହୋଇଛି। ଯାହା ଆସନ୍ତା ୨ ମାସ ପର୍ଯ୍ୟନ୍ତ ଚାଲିବ। ତେଣୁ ନବୀନ ସରକାର ଅମଳରେ ସହାୟତା ଯୋଜନାରୁ ବଞ୍ଚିତ ଚାଷୀଙ୍କ ଭିତରେ ଏବେ ଆଶା ଜାଗିଛି।

ଏପଟେ ସିଏମ୍ କିଷାନ୍ ଆସୁ ଆସୁ ରାଜନୀତି ବି ତେଜିଛି । ବିଜେଡି କହିଛି, ଏଥିରେ ଚାଷୀର କିଛି ଅଧିକ ଫାଇଦା ନାହିଁ। ଖାଲି ନାଁ ବଦଳେଇ ଆମ ଯୋଜନା ହିଁ ଆଣିଛନ୍ତି। ଯାହାର ଜବାବ ରଖିଛି ବିଜେପି।

ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ଭିସିରେ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂଦେଓ ଓ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ। ଏହି ଅବସରରେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗିକ ବିଭାଗ ସମ୍ବଧୀୟ ଯୋଜନା ଲାଗି ଆବେଦନ ପାଇଁ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ବି ଶୁଭାରମ୍ଭ କରାଯାଇଛି।

Chief Minister Farmers PM-KISAN Yojana
Advertisment
Advertisment