Unseen Mandi Problem: ଧାନ କିଣାରେ ବାଧା ସାଜିଛି FAQ ମାନ ! ମଣ୍ଡିରେ ବିକି ପାରୁନଥିବାରୁ ଦଲାଲ ଖୋଜିଲେଣି ଚାଷୀ !

ଡିସେମ୍ବର ୨ ତାରିଖ । ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଲପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ ।

Unseen Mandi Problem

ଏଥର ନିର୍ବାଚନରେ ଚାଷ ଓ ଚାଷୀ ଥିଲା ପ୍ରମୁଖ ମୁଦ୍ଦା । ବିଜେପିର ପ୍ରତିଶ୍ରୁତି ମୁତାବକ, ସରକାର ବି କ୍ୱିଣ୍ଟାଲ ପିଛା ୮ ଶହ ଇନପୁଟ୍ ଆସିଷ୍ଟାଣ୍ଟନ୍ସ ଦେଇ, ଚାଷୀଙ୍କ ପାଖରୁ ୩୧ଶହରେ ଧାନ କିଣୁଛନ୍ତି । ମନ୍ତ୍ରୀମାନେ ମଣ୍ଡିରୁ ମଣ୍ଡି ବୁଲିବାର ବି ଦେଖାଯାଉଛି । ହେଲେ ଅନେକ ମଣ୍ଡିରେ ବାସ୍ତବ ଚିତ୍ର ପୂରା ଅଲଗା । ଧାନ କିଣାବିକାରେ ପ୍ରତିବନ୍ଧକ ସାଜିଛି FAQ ମାନ । ତେଣୁ ଧାନ ବିକିବାକୁ ଏବେ ଦଲାଲ ଖୋଜୁଛି ଚାଷୀ ।

ନଭେମ୍ବର ୨୦ । ରାଜ୍ୟର ଭାତହାଣ୍ଡି ବରଗଡ଼ ଜିଲ୍ଳାର କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ବାଜା ପଟୁଆରରେ ଆସି ନଡ଼ିଆ ଭାଙ୍ଗି ଆରମ୍ଭ କରିଥିଲେ ଧାନ କିଣା । ହେଲେ ଅଭିଯୋଗ ହୋଇଛି, ମଣ୍ଡିରୁ ମନ୍ତ୍ରୀ ଗଲା ପରେ ସ୍ଥିତି ‘ଯଥା ପୂର୍ବଂ ତଥା ପରଂ’ । ଆରମ୍ଭ ହୋଇଯାଇଛି ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ ।

FAQ ମାନ ନାଁରେ କଟନୀ ଛଟନୀ । ମିଲର୍ସଙ୍କ କଥା ମାନିଲେ, ଧାନ ଉଠୁଛି । ବିରୋଧ କଲେ, ପେଡି ଆନାଲାଇଜର୍ ମେସିନରେ ମାନ ନିର୍ଦ୍ଧାରଣ କରି ନନ୍ ଏଫଏକ୍ୟୁ ଧାନ ବୋଲି କହି ଫେରେଇ ଦେଉଛନ୍ତି ପେକ୍ସ ଅଧିକାରୀ । ମିଲର୍ସଙ୍କ ମନମାନି ପାଇଁ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ୩ ଦିନ ତଳେ ବରଗଡ଼ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ ଚାଷୀ ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାରକୁ ପ୍ରବେଶ କଲା ASI, ପ୍ରଥମ ଦିନରେ ସରିଲା ଭାରାବନ୍ଧା

ସମସ୍ୟାର ସମାଧାନ ନହେବାରୁ, ପାଖାପାଖି ୨ ଘଣ୍ଟା ଧରି ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ତାଲା ଦେଇ ଧାରଣା ଦେଇଥିଲେ । ଜିଲ୍ଳାରେ ଏଯାଏଁ ଧାନ କିଣାବିକା ସ୍ୱାଭାବିକ ହେଉନଥିବା ଚାଷୀ ଅଭିଯୋଗ କରୁଥିବା ବେଳେ ଯୋଗାଣ ଅଧିକାରୀ କହିଛନ୍ତି, ସବୁ ଠିକ୍ ଚାଲିଛି ।

ଡିସେମ୍ବର ୨ ତାରିଖ । ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଲପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ । ୩ ଦିନ ତଳେ, ଚୁଡାପାଲି ଓ ଯୋଗୀମୁଣ୍ଡା ମଣ୍ଡି ବୁଲି ଦେଖିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ହେଲେ ବଲାଙ୍ଗିର ସଦର ମହକୁମା ଉପକଣ୍ଠରେ ଥିବା ପୁଇଁନ୍ତଳା ମଣ୍ଡି କହିଲେ, ଜରିପାଲ ଟଣା ହୋଇଥିବା ଏତକ ଜାଗା ।

ଧାନ ରଖିବା ପାଇଁ ଗୋଦାମ ବି ନାହିଁ । ଶୀତ କାକରରେ ବାହାରେ ଗଦା ହୋଇଛି ଧାନ, ଜଗିଛି ଚାଷୀ । ବଡ କଥା ହେଉଛି ଯେ, ଚାଷୀର ଏ ପରିଶ୍ରମ ବିକ୍ରି ନହେବାର କାରଣ ହେଉଛି ଧାନର ମାନ । ମଣ୍ଡିର ମେସିନ କହୁଛି, ଏ ସବୁ ନନ୍ ଏଫ୍ଏକ୍ୟୁ ଧାନ । ମାନ ପୂରଣ କରୁନଥିବାରୁ, ପୁଇଁନ୍ତଲା ମଣ୍ଡିରେ ଏଯାଏ ଆରମ୍ଭ ହୋଇପାରିନି ଧାନ କିଣାବିକା ।

ସେପଟେ ମଲମୁଣ୍ଡା ମଣ୍ଡିରେ ବି ସମାନ ସ୍ଥିତି । ମେସିନ୍ ଭୟରେ ମଣ୍ଡିକୁ ଧାନ ଆଣୁନି ଚାଷୀ । ଭଡ଼ା କରି ଧାନ ଆଣି ମଣ୍ଡି ବାହାରେ ଗଦା କିଏ କରିବ, ତେଣୁ ବିକ୍ରି କରିବାକୁ ଦଲାଲ ଖୋଜୁଛି ଚାଷୀ । ପେକ୍ସ ସଭାପତି ବି କହୁଛନ୍ତି, ବର୍ତ୍ତମାନର ଚାଷ ପ୍ରଣାଳୀ ଓ ମେସିନର ମାନ ନିର୍ଦ୍ଧାରଣ ମ୍ୟାଚ୍ କରୁନାହିଁ । ତେଣୁ ଆଗକୁ ଧାନର ଅଭାବୀ ବିକ୍ରୀ ଯୋଗୁଁ, ରାଜରାସ୍ତାକୁ ଆସିପାରନ୍ତି ଚାଷୀ । ସେପଟେ ସବୁ ଠିକଠାକ ଚାଲିଥିବା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଅଟୋ ଚାଳକଙ୍କ ଉତ୍ପାତ ! ରାସ୍ତା ମଝିରେ ଅଟକାଉଛନ୍ତି ବାଇକ୍