ମିଳୁନି ସରକାରୀ ସୁବିଧା, ପୋଲ ତଳେ ବିତୁଛି ଜୀବନ

ବର୍ଷା ହେଉ କି ଖରା ଏମାନେ କାଟନ୍ତି ଏଇଠି ଜୀବନ ।

House Problem

ମୁଣ୍ଡ ଉପରେ ଓଭରବ୍ରିଜ୍.... ଆଉ ମୁଣ୍ଡ ଗୁଞ୍ଜିବାକୁ ଏଇ ଜରିପାଲ ହିଁ ଭରସା । କାଳକ ସରିଗଲାଣି.... ଆଉ ଯାହା ବେଳକ ବାକି ରହିଛି ଏହି ବୃଦ୍ଧ ବୃଦ୍ଧାଙ୍କର । ଜୀବନର ୭୦ ବର୍ଷ ବିତିଯାଇଥିଲେ ବି ଏମାନଙ୍କ ମୁଣ୍ଡ ଉପରେ ନାହିଁ ଖଣ୍ଡେ ଛାତ କି ମିଳୁନି ସରକାରୀ ସୁବିଧା । ବାସ୍ ଖାଲି ଅଛିତ କେବଳ ଅଭାବ ଆଉ ଅଭାବ । ଏମାନେ ହେଉଛନ୍ତି ୭୦ ବର୍ଷୀୟ ବୃଦ୍ଧ କୁନା ଓ ପତ୍ନୀ ଦଇତା ନାୟକ । ଆଉ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧାରୁ ପିପିଲିକୁ ଯିବା ରାସ୍ତାରେ ପଡ଼ୁଥିବା କୁଦିଆରୀ ବଜାର ଓଭର ବ୍ରିଜ ତଳେ । ପ୍ରାୟ ୩ ବର୍ଷରୁ ଅଧିକ ହେବ ପୁଅ ଓ ନାତିଙ୍କ ସହ ମିଶି ଏହି ବୃଦ୍ଧ-ବୃଦ୍ଧା ଏଇଠି ଆଶ୍ରୟ ନେଉଛନ୍ତି । ହେଲେ ପ୍ରଶାସନ କି ସରକାରଙ୍କ ଏଯାଏଁ ଏମାନଙ୍କ ଉପରେ କାହାର ବି ନଜର ପଡ଼ିନି ।

ବର୍ଷା ହେଉ କି ଖରା ଏମାନେ କାଟନ୍ତି ଏଇଠି ଜୀବନ । ବୃଦ୍ଧ କୁନା ନାୟକ ଦିନ ମଜୁରିଆ ଭାବେ କାମ କରନ୍ତି । ହେଲେ ବୟସ ହୋଇଯିବାରୁ ଏବେ ସେମିତି କାମ ମିଳୁନି । ଯେବେ କାମ କରି କିଛି ଟଙ୍କା ଆଣନ୍ତି, ସେବେ ହାଣ୍ଡିରେ ଚାଉଳ ପଡ଼େ । ନଚେତ୍ ଉପବାସରେ ଦିନ କଟେ । ପୂର୍ବରୁ କୁନା ଓ ତାଙ୍କ ପରିବାର ଦୀର୍ଘ ବର୍ଷ ଧରି ଜଟଣୀ ସ୍ଥିତ ଲୋକୋ କଲୋନୀ ଅଞ୍ଚଳରେ ଝୁମ୍ପୁଡ଼ି କରି ରହି ଆସୁଥିଲେ । କିନ୍ତୁ ଗତ ତିନିବର୍ଷ ତଳେ ରେଳବାଇ ଦ୍ଵାରା ସମସ୍ତ ବସ୍ତି ଉଚ୍ଛେଦ କରାଯିବା ପରେ ଘର ହରେଇଥିଲେ ଏମାନେ । ତେଣୁ ବାଧ୍ୟ ହୋଇ କୌଣସି ଉପାୟ ନପାଇ ଏହି ରାସ୍ତା କଡରେ ହିଁ ପରିବାର ଆଶ୍ରୟ ନେଇଛି ।

ସରକାରଙ୍କ ମାଳ ମାଳ ଯୋଜନା ରହିଛି । କିନ୍ତୁ ସେସବୁ ଯୋଜନା ସତେ ଯେମିତି କୁନାଙ୍କ ପାଇଁ ସାତ ସପନ । ସରକାରଙ୍କ ତରଫରୁ ଏମାନଙ୍କ ପାଖରେ ଆଜିଯାଏଁ କୌଣସି ସୁବିଧା ପହଞ୍ଚି ପାରିନାହିଁ । ତେଣୁ ସ୍ଥାନୀୟ ପ୍ରଶାସନ କୁନାଙ୍କ ପରିବାର ପ୍ରତି ଦୃଷ୍ଟି ଦେଇ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାପାଇଁ ଏଠିକାର ବାସିନ୍ଦା ପ୍ରଶାସନକୁ ଅନୁରୋଧ କରିଛନ୍ତି ।