ବର୍ଷକ ତଳେ ରାଜ୍ୟରେ କ୍ଷମତାକୁ ଆସିଥିଲା ବିଜେପି । ହଟିଥିଲା ବିଜେଡି ସରକାର । ମୁଖ୍ୟମନ୍ତ୍ରୀ ହୋଇଥିଲେ ମୋହନ ଚରଣ ମାଝୀ । ଗୋଟିଏ ବର୍ଷର ଶାସନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ଯୋଜନା ହେଉଥିଲା କିନ୍ତୁ କାର୍ଯ୍ୟକାରୀ ହେଉନଥିଲା । ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର ।
ପ୍ରଶ୍ନ- ଠିକ୍ ବର୍ଷକ ତଳେ ନୂଆ ସରକାର ଯେତେବେଳେ ଦାୟିତ୍ୱ ନେଲା, ସେତେବେଳେ ଚାଲେଞ୍ଜ କ’ଣ ସବୁ ଥିଲା ? ଆତ୍ମସନ୍ତୁଷ୍ଟି କେତେ ମିଳିଛି ଓ ଉପଲବ୍ଧି କଣ ସବୁ ହାସଲ କରିଛନ୍ତି ?
Also Read
ମୁଖ୍ୟମନ୍ତ୍ରୀ – ନୂଆ ସରକାରର ଚାଲେଞ୍ଜ କିଛି ନଥିଲା । ଆମ ପାଇଁ ପ୍ରାଥମିକତା ଥିଲା । କାହାକୁ ପ୍ରାଥମିକତା ଦିଆଯିବ । ସେଥିପାଇଁ ଶୀର୍ଷ ନେତୃତ୍ୱ ଆମର ଘୋଷଣାପତ୍ର ଓ ଇସ୍ତାହାର ତିଆରି କରିଥିଲେ । ଲୋକ ଯାହା ଚାହୁଁଥିଲେ, ସେହି ଅନୁସାରେ ବନେଇ ଦେଇଥିଲେ ।
ପ୍ରଶ୍ନ- ପୂର୍ବ ସରକାର କଣ ସମସ୍ୟା ଛାଡି ଯାଇଥିଲେ, ଯାହା ଆପଣଙ୍କୁ କଷ୍ଟକର ହୋଇଥିଲା ?
ମୁଖ୍ୟମନ୍ତ୍ରୀ - ପୂର୍ବ ସରକାର ଲୋକଙ୍କ ସହ ନଥିଲେ, ନିର୍ବାଚନ ସହ ଥିଲେ । ସେମାନେ ନିର୍ବାଚନ ପାର୍ ହେବାକୁ ଯୋଜନା କରୁଥିଲେ । ଭୋଟ ପାଇଁ ଯୋଜନା କରୁଥିଲେ, ଭୋଟବ୍ୟାଙ୍କ ତିଆରି କରୁଥିଲେ । ପୂର୍ବ ସରକାରରେ କୌଣସି ଯୋଜନା ସଂପୂର୍ଣ୍ଣ ଭାବେ ସଫଳ ହେଉନଥିଲା । ସ୍କିମ୍ ଗୁଡିକ ଫେଲ୍ ହେଉଥିଲା । ପଞ୍ଚାୟତ ନିର୍ବାଚନ ଠାରୁ ସାଧାରଣ ନିର୍ବାଚନ ଯାଏ ସବୁଥିରେ ଏମିତି କରୁଥିଲେ । ଲୋକ ଯେତେବେଳେ ଜାଣିଗଲେ, ସରକାର ପରିବର୍ତ୍ତନ କରିଦେଲେ ।
ପ୍ରଶ୍ନ- ବର୍ତ୍ତମାନର ମୋହନ ମାଝୀ ସରକାର ଓ ପୂର୍ବର ନବୀନ ପଟ୍ଟନାୟକ ସରକାର ମଧ୍ୟରେ ସବୁଠାରୁ ବଡ଼ ଫରକ୍ କ’ଣ ?
ମୋହନ ମାଝୀ ହେଉଛି ସରକାର ଲୋକଙ୍କ ସରକାର । ଲୋକଙ୍କ ସହିତ ଅଛନ୍ତି । ଲୋକଙ୍କ ପ୍ରସ୍ତାବ ଅନୁସାରେ କାମ କରୁଛନ୍ତି । ଏଇଟା ହେଉଛି ଫରକ୍ ।
ପ୍ରଶ୍ନ- ଗତ ସରକାରରେ ଲୋକଙ୍କ ମନରେ ପ୍ରଶ୍ନ ଥିଲା ଏ ସରକାର ଚଲାଉଛି କିଏ ? ଅଫିସରମାନେ ଅଧିକ ପାୱାରଫୁଲ୍ ଥିଲେ ? ଆପଣ କ୍ଷମତାକୁ ଆସିବା ପରେ କେମିତି ବଡ଼ ପରିବର୍ତ୍ତନ କରିଛନ୍ତି ?
ମୁଖ୍ୟମନ୍ତ୍ରୀ – ଘୋଡ଼ା ଯଦି ମୁଁ ଚଢ଼ି ଜାଣିବି ନାହିଁ, ଘୋଡ଼ାକୁ ଦୋଷ ଦେବି ? ଘୋଡ଼ା ଚଢିବା ପାଇଁ ମୋର ତାକତ ତିଆରି କରିବା ଦରକାର । ଲିଡରଶିପ୍ ଡେଭଲପ୍ କରିବା ଦରକାର । ମୁଁ ଏହା ଭିତରେ ଲିଡରଶିପ୍ ଡେଭଲପ୍ କରିଛି । ମୁଁ ଆଗରୁ କେବେ ସରକାରରେ ମନ୍ତ୍ରୀ ନଥିଲି । ବିଧାୟକରୁ କିଛି ଛୋଟମୋଟ ଦାୟିତ୍ୱ ତୁଲାଇଛି । ସରକାରକୁ ପାଖରୁ ଦେଖିଛି ଓ ଦୂରରୁ ବି ଦେଖିଛି । ମୋର ଇଚ୍ଛାଶକ୍ତି ଅଛି । ଯେଉଁ ଅଧିକାରୀ ମାନେ ଗତ ସରକାରରେ ଦଳୀୟ ଆଧାରରେ କାମ କରୁଥିଲେ ବା ଅଫିସରରାଜ ଚଳାଇଥିଲେ, ସେଇଟା ସବୁ ବେଳେ କାମ ଦେବ ନାହିଁ । ବିଚାରଧାରା ଅଲଗା ଅଛି । ଦଳ ଅଲଗା ଅଛି । ନୀତି ଅଲଗା ଅଛି ।
ପ୍ରଶ୍ନ – ସେ ଅଫିସରମାନେ ଏବେ ବି ଅଛନ୍ତି ?
ମୁଖ୍ୟମନ୍ତ୍ରୀ - ଏବେ ବ୍ୟାପକ ପରିବର୍ତ୍ତନ ହୋଇଛି । ଶାସନରେ ପରିବର୍ତ୍ତନ ହୋଇଛି । ପୂର୍ବ ସରକାରରେ କ୍ୟାବିନେଟ୍ କିଏ ପରିଚାଚାଳନା କରୁଥିଲେ ? କିଏ ଉପସ୍ଥାପନା କରୁଥିଲେ ? କ୍ୟାବିନେଟକୁ ଏକ ଉଦାହରଣ ଭାବେ ନିଆଯାଇପାରେ । ଆଜି କ୍ୟାବିନେଟ୍ ବୈଠକ ବେଳେ ଅଫିସରମାନେ ବାହାରେ ଅପେକ୍ଷା କରୁଛନ୍ତି । ଦରକାର ପଡିଲେ, ସେଇ ବିଭାଗର ସଚିବଙ୍କୁ ଡକାଯାଉଛି । ମନ୍ତ୍ରୀମାନେ ଉପସ୍ଥାପନ କରୁଛନ୍ତି । ଆଜି ଶାସନ ଠିକଠାକ୍ ଚାଲିଛି । ବର୍ଷେ ହେଲାଣି କୌଣସି ଟେନସନ୍ ନାହିଁ । ସମସ୍ୟା ନାହିଁ ।
ପ୍ରଶ୍ନ – ଆପଣଙ୍କ ସରକାର ନୂଆ ଦାୟିତ୍ୱ ନେଲାବେଳେ ଅନେକ ବିଧାୟକ ନୂଆ ନୂଆ ମନ୍ତ୍ରୀ ହୋଇଥିଲେ । ଗଭର୍ଣ୍ଣାନ୍ସର ଅଭିଜ୍ଞତା ନଥିଲା । ଏଇଟା ଚାଲେଞ୍ଜିଂ ନଥିଲା କି ?
ମୁଖ୍ୟମନ୍ତ୍ରୀ- ନା ଆଦୌ ଚାଲେଞ୍ଜିଂ ଲାଗୁନଥିଲା । ଏବେ ବି ଲାଗୁନାହିଁ । ମୁଁ ତ ନିଜେ ପ୍ରଥମଥର ମୁଖ୍ୟମନ୍ତ୍ରୀ । କେବେ ମନ୍ତ୍ରୀ ହୋଇନଥିଲି । ଯଦି ଲିଡରଶିପ୍ ଦେଇପାରିଲି, ବଡ଼ ଅଭିଜ୍ଞତାର ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀଙ୍କ ଉଦାହରଣ ନେଇପାରିବା । କୌଣସି ଅଭିଜ୍ଞତା ନଥାଇ ସିଧାସଳଖ ମୁଖ୍ୟମନ୍ତ୍ରୀ । ତା ପରେ ପ୍ରଧାନମନ୍ତ୍ରୀ । ବିଶ୍ୱର ସବୁଠୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛାଶକ୍ତି ଥିବା ଦରକାର । ସିଧାସଳଖ ମନ୍ତ୍ରୀମାନେ ମୋ ଠାରୁ ପରାମର୍ଶ ନେଉଛନ୍ତି । ଆଗ୍ରହ ଦେଖାଉଛନ୍ତି । ଯେଉଁମାନେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି ବା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେମାନେ କିଭଳି କାମ କରୁଛନ୍ତି, ଦେଖନ୍ତୁ । ସୁଭଦ୍ରା ଯୋଜନା ଭାରତ ବର୍ଷରେ ଭଲ ଯୋଜନା । ଲକ୍ଷପତି ଦିଦି ବନେଇବାରେ ସାହାଯ୍ୟ କରୁଛି ।
ପ୍ରଶ୍ନ – ବିରୋଧୀ ଦଳ ଆପଣଙ୍କୁ କୋଠାର ରଙ୍ଗ ବଦଲେଇବା ନେଇ ସମାଲୋଚନା କରୁଥିଲେ ?
ମୁଖ୍ୟମନ୍ତ୍ରୀ – ଆମ ସରକାର ଆସିବାର ୬ ମାସ ପରେ ସେମାନେ ସମାଲୋଚନା ଆରମ୍ଭ କରିଦେଲେ । ଆମ ମନ୍ତ୍ରୀମାନେ ବିଚଳିତ ହୋଇପଡିଥିଲେ । କିନ୍ତୁ ମୁଁ ହସୁଥିଲି । ୨୪ ବର୍ଷର ଗୋଟାଏ ସରକାର ଚଲାଇଥିବା ଦଳ ଆମ ସରକାରକୁ ସମାଲୋଚନା କରୁଥିଲା । ଆମ ସହ ତୁଳନା କରୁଥିଲେ । ଆଜି ଦିନରେ ବହୁତ ଭଲ ସ୍ଥିତିରେ ଶାସନ କରୁଛୁ । ଏଥିରେ ଗଣତନ୍ତ୍ର ଅଛି, ଲିଡରଶିପ୍ ଅଛି ।
ପ୍ରଶ୍ନ – ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆପଣଙ୍କ ସରକାର ୧୮ ମାସରେ କ୍ଷତିପୂରଣ ଦେବାକୁ ବିଜେପି ଇସ୍ତାହାରରେ ଘୋଷଣା କରିଥିଲା । କେବେ ସେମାନେ ପାଇବେ କ୍ଷତିପୂରଣ ?
ମୁଖ୍ୟମନ୍ତ୍ରୀ – ଚିଟଫଣ୍ଡ କ୍ଷତିଗ୍ରସ୍ତ ଲୋକଙ୍କୁ ଦଳ ପ୍ରତିଶ୍ରୁତି ଦେଇଥିଲା । ତାହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଉଛି । SOP ତିଆରି ହେଉଛି । ଆଗାମୀ ଦିନରେ ସମାଧାନ ହୋଇଯିବ । ବାଟ ଫିଟିଯାଇଛି । ଖୁବଶୀଘ୍ର ଘୋଷଣା ହେବ ।
ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା କ୍ଷେତ୍ରରେ ମଧ୍ୟ ଗୋଦାବରୀଶ ମଡେଲ୍ ସ୍କୁଲ ପ୍ରତିଷ୍ଠା ହେବ । ପ୍ରାଥମିକ ସ୍ତରରୁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି । ଡବଲ୍ ଇଞ୍ଜିନ ସରକାର ଠିକ୍ ଭାବେ କାମ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ସରକାରର ଅପକର୍ମ ମୁଖ୍ୟମନ୍ତ୍ରୀ ଭୁଲିନାହାନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧାକୁ ନେଇ ମେଗା ସିଟି କରାଯିବାର ଯୋଜନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀମାନଙ୍କୁ ସେମାନଙ୍କ ରିପୋର୍ଟ କାର୍ଡ ମଗାଯାଇଛି । ଖୁବ ଶୀଘ୍ର ଖାଲି ପଡିଥିବା ୬ ମନ୍ତ୍ରୀ ପଦ ପୂରଣ ହେବ ବୋଲି ସେ ସୂଚନା ଦେଇଛନ୍ତି ।