ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକୁଛି କାଳିଆ ସାଆଁନ୍ତ

ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ ।

Divyang Devotee

ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ । ବାଡ଼ି ଖଣ୍ଡକ ଯୁବତୀଙ୍କ ପାଇଁ ସାଜିଛି ସାହାରା... ଧୀରେ ଧୀରେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହ ଦ୍ୱାର ଦେଇ ଚଢ଼ି ଚାଲିଛନ୍ତି ୨୨ ପାହାଚ । ପାଖରେ ପରିବାର ସଦସ୍ୟ ନାହାନ୍ତି.. କି ସାହାରା ଦେବାକୁ ନାହାନ୍ତି କେହି । ସାଥି ବୋଇଲେ ଏଇ ବାଡ଼ି ଖଣ୍ଡକ ।

ସତେ ଯେମିତି ଜଗା ତାଙ୍କ ହାତ ଧରି ଗୋଟିଏ ଗୋଟିଏ ପାହାଚ ଚଢ଼ାଇ ୨୨ ପାହଚ ଅତିକ୍ରମ କରାଉଛନ୍ତି । ଆଉ ତାଙ୍କୁ ଟାଣି ନେଉଛନ୍ତି ତାଙ୍କର ରତ୍ନସିଂହାସନ ସମ୍ମୁଖକୁ । ଦିବ୍ୟାଙ୍ଗ ଯୁବତୀଙ୍କ ମୁହଁରେ ନା କଷ୍ଟ ଅଛି... ନା ତଳେ ପଡ଼ି ଯିବାର ଭୟ । ସବୁ କିଛି ନିଜେ ନିଜେ କରି ସାରିବା ପରେ ବଡ଼ଦେଉଳକୁ ପ୍ରବେଶ କରୁଛନ୍ତି ।

ଆମ ମହାପ୍ରଭୁ ଯେମିତି ଭାବର ଠାକୁର... ସେମିତି ଭକ୍ତ ବି ତା’ ଭାବରେ ବନ୍ଧା । ଯୁବତୀ ଜଣକ ଦିବ୍ୟାଙ୍ଗ ହେଲେ ବି ତାଙ୍କୁ ଯେମିତି କୌଣସି ଅକ୍ଷମତା ସ୍ପର୍ଶ କରିପାରିନି । ସେଇଥିପାଇଁ ତ ଆଜି ଭକ୍ତଟିଏ ଭଗବାନଙ୍କ ଦାରହରେ ଛିଡ଼ା ହୋଇଛି । ତା’ର ମନକଥାକୁ ଅରୁଣସ୍ତମ୍ବ ନିକଟରେ ଜଣାଇବା ପରେ ଜଗା ଆଖିରେ ଆଖି ମିଶାଇବାକୁ ବଡ଼ଦେଉଳକୁ ଧାଇଁ ଯାଉଛି । ସତରେ ଏ ଦିବ୍ୟାଙ୍ଗ ଭକ୍ତର ଭକ୍ତି ଆଗରେ ସବୁ କିଛି ଯେମିତି ହାର୍ ମାନିଛି । ଭକ୍ତି ଆଗରେ ହାରିଯାଇଛି ଅକ୍ଷମତା ।