'ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା', ଜଏନିଂ ବେଳେ ବିରୋଧ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୀବ୍ର ହେଲା- "ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା" ନାରା ।

Protest

ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୀବ୍ର ହେଲା- "ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା" ନାରା । ପ୍ରଥମେ ଚୁକ୍ତିନାମା ଦିନ, ଆଉ ଆଜି ନିଯୁକ୍ତି ଦିନରେ ବି ବାହାର ଜିଲ୍ଲା ଶିକ୍ଷକଙ୍କୁ ଜୋରଦାର ବିରୋଧ । ଶ୍ରୁତିଲିପି ସାହୁ, ଘର ବାଲେଶ୍ୱର । ନବରଙ୍ଗପୁର ଝରିଗାଁ ବ୍ଲକ୍ ଏକାମ୍ବ-ଏ ସ୍କୁଲର ନବନିଯୁକ୍ତ କନିଷ୍ଠ ଶିକ୍ଷୟିତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କଠାରୁ ନିଯୁକ୍ତିପତ୍ର ପାଇଥିବା ଶ୍ରୁତିଲିପି ଆଜି ସ୍କୁଲରେ ଜଏନ କରିବାର ଥିଲା । କିନ୍ତୁ ସ୍କୁଲରେ ପହଞ୍ଚିବା ବେଳକୁ ଭିନ୍ନ ଥିଲା ପରିସ୍ଥିତି । ତାଙ୍କୁ ଭବ୍ୟ ସ୍ୱାଗତ ବଦଳରେ ଜୋରଦାର ବିରୋଧ କରିବାକୁ ଯେମିତି ପୂର୍ବରୁ ପ୍ରସ୍ତୁତ ରହିଥିଲେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ସ୍ଥାନୀୟ ଲୋକେ ।

ଶେଷରେ ଜଏନ କରିନପାରି ବାଧ୍ୟ ହୋଇ ବିଇଓ ଅଫିସ୍ ଯାଇଥିଲେ । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ଅଲିପ୍ସା ସାହୁ । ଆଜି ସେହି ନବରଙ୍ଗପୁର ଉମରକୋଟ ବ୍ଲକ୍ ମାଝିଆ ବିଦ୍ୟାଳୟରେ ଜଏନ୍ କରିଥାନ୍ତେ । କିନ୍ତୁ ଗାଁ ଲୋକଙ୍କ ସମ୍ମିଳିତ ପ୍ରତିବାଦ ପରେ ପୋଲିସର ସହୟତା ନେଇଥିଲେ ।

ହେଲେ କୌଣସି ନିଷ୍କର୍ସ ନବାହାରିବାରୁ ଶେଷରେ ଘଟଣା ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ । କେବଳ ଝରିଗାଁ କି ଉମରକୋଟ ନୁହେଁ, ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅପ୍ରୀତିକର ପରିସ୍ଥିତି । ଏପଟେ ସ୍କୁଲରେ ଉତ୍କଟ ଶିକ୍ଷକ ଅଭାବ ଭିତରେ ବି ବାହାର ଜିଲ୍ଲାର ପିଲାଙ୍କ ନିଯୁକ୍ତିକୁ କୌଣସି ପ୍ରକାରେ ଫଳବତି କରାଇ ନଦେବା ଦାବିରେ ଅଟଳ ଆନ୍ଦୋଳନକୁ ଓହ୍ଲାଇଥିଲା କ୍ରିୟାନୁଷ୍ଠାନ କମିଟି ।

କୋରାପୁଟରୁ ରାୟଗଡ଼ା, ମାଲକାନଗିରିରୁ ନବରଙ୍ଗପୁର, ସବୁଠି ଏଭଳି ସ୍ଥିତି ପରେ ଅଡୁଆରେ ପଡ଼ିଛନ୍ତି ବିଭିନ୍ନ ଜିଲ୍ଲାର ବିଇଓ ଓ ଡିଇଓ । ଗୋଟେ ପଟେ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତିପତ୍ର ପାଇ ବି ଜଏନ୍ କରିନପାରିବା, ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ବିରୋଧ ଭିତରେ, ସରକାରଙ୍କ ଯେଉଁ ନିର୍ଦ୍ଦେଶ ଆସିବ, ସେହି ଅନୁସାରେ ପଦକ୍ଷେପ ଲାଗି ଅପେକ୍ଷା ଅଛନ୍ତି ଶିକ୍ଷା ଅଧିକାରୀ ।

ସେପଟେ ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି ଉପରେ ସରକାର ବିଚାର କରୁଛନ୍ତି, ଆଗାମୀ ଦିନରେ ଏ ଉପରେ କିଛି ପଦକ୍ଷେପ ନିଆ ଯାଇପାରେ । କିନ୍ତୁ ରାଜ୍ୟରେ ଶିକ୍ଷକ ଅଭାବ ଭିତରେ ଏକକାଳୀନ ୧୬ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସମୟରେ ଏ ବିରୋଧଭାଷ ଠିକ୍ ନୁହେଁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।