Advertisment

Disabled Couple: ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ଭିନ୍ନକ୍ଷମ ଦମ୍ପତି, ଭିକ୍ଷାବୃତ୍ତି ହିଁ ଏକମାତ୍ର ସାହାରା

ପତ୍ନୀ ମଧ୍ୟ ଜଣେ ଭିନ୍ନକ୍ଷମ। କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହି ପାରନ୍ତି ନାହିଁ। ସେ ମଧ୍ୟ ଭିନ୍ନକ୍ଷମ ସ୍ଵାମୀଙ୍କ ଭିକ୍ଷା କରି ଫେରିବାର ବାଟକୁ ଅପେକ୍ଷା କରନ୍ତି। ଘରକୁ ଫେରିଲା ପରେ ତାଙ୍କ ଦୁଃଖରେ ଭାଗି ହୋଇ ସ୍ଵାମୀଙ୍କ ଯନ୍ତ୍ରଣାକୁ ବୁଝି ପାରନ୍ତି।

ଅଦ୍ୟତନ ହୋଇଛି
ଭଙ୍ଗାଘରେ କଟୁଛି ଜୀବନ

ଭଙ୍ଗାଘରେ କଟୁଛି ଜୀବନ

Advertisment

ନିଜେ ଦୁଃଖରେ ରହି ପରିବାରର ଅନ୍ୟ ମାନଙ୍କୁ ଖୁସି କରାଇବାକୁ ଯେତେ କଷ୍ଟ ପଡ଼ିଲେ ବି ଜୀବନ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି ଭିନ୍ନକ୍ଷମ ଅସହାୟ ବଳରାମ ବାରିକ। ଗୋଡ଼ ନାହିଁ, ତା ସହିତ ହାତ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ତଥାପି ଗୁରୁଣ୍ଡି ଗୁରୁଣ୍ଡି ପେଟ ଚାଖଣ୍ଡେ ପାଇଁ ଵାର ଦୁଆରେ ଭିକ୍ଷା ବୃତ୍ତି କରୁଛନ୍ତି ବଳରାମ। ନିଜର ଅକ୍ଷମତା ଯୋଗୁଁ ପରିବାର ଏବଂ ପିଲାଙ୍କ ଖୁସି ପାଇଁ ଖରା, ବର୍ଷା, ଶୀତ କାକରରେ ଗାଁ ଠୁଁ ବଜାର ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ବେଳେ ଦେଖିଲେ ଆଖିରୁ ଲୁହ ଆସିଯିବ।

Advertisment

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତ ଚରଦିଆ ଗାଁରେ। ଛୋଟ ବେଳୁ ବାପା ମା ଙ୍କ ମୃତ୍ୟୁ ପରେ ବଳରାମ ବାରିକ ଏକା ହୋଇ ଯାଇଥିଲେ। ୧୨ ବର୍ଷ ବୟସରେ ଗୋଡ଼ରେ ଘା ହୋଇ କର୍କଟ ରୋଗରେ ପଡି ଥିଲେ। ଶେଷରେ ଜୀବନ ବଞ୍ଚାଇବାକୁ ଯାଇ ଗୋଡ଼ ଦୁଇଟାକୁ କାଟି ଦିଆ ଯାଇ ଥିଲା। ସେବେ ଠାରୁ ୩୦ ବର୍ଷ ଧରି ଭିନ୍ନକ୍ଷମ ହୋଇଗଲା ପରେ ତାଙ୍କ ଉପରେ ଦୁଃଖର ପାହାଡ ଯେମିତି ମାଡ଼ି ବସିଛି।

ଜୀବନ ଯୁଦ୍ଧରେ ଏବେ ଭିନ୍ନକ୍ଷମ ପତ୍ନୀ ହେମଲତା ସହ ପିଲାଙ୍କ ମୁହଁରେ ହସ ଫୁଟିବା ପାଇଁ ଚାନ୍ଦବାଲି, ଧାମରା,ମତୋ ଭଳି ବିଭିନ୍ନ ସ୍ଥାନରେ ଭିକ୍ଷା ସଂଗ୍ରହ କରି ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରୁଛନ୍ତି। ଘର ଖଣ୍ଡିଏ ପାଇଁ ଦୀର୍ଘ ବର୍ଷ ହେଲା ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି ତଥାପି ଶୁଣୁ ନାହିଁ ପ୍ରଶାସନ। ଭଙ୍ଗା ଦଦରା ଚାଳ ଛପର ନୁଆଁଣିଆ କୁଡିଆ ଘରେ କଟୁଛି ଅସହାୟ ଜୀବନ। 

Advertisment

ସରକାରୀ ସ୍ତରରେ ଆବାସ ଯୋଜନାରେ ଘର କିମ୍ବା ଟ୍ରାଇ ସାଇକେଲଟିଏ ହେଲେ ଯିବା ଆସିବା ସହିତ ମୁଣ୍ଡ ଗୁଞ୍ଜି ପାରନ୍ତେ ବୋଲି ବଳରାମ କହିଛନ୍ତି। ଦିନ ସାରା ଦୁଃଖ କଷ୍ଟରେ ଭିକ୍ଷା କରି ଘରକୁ ଫେରିଲା ପରେ ପିଲାଙ୍କ ନିକଟରେ ପହଞ୍ଚି ଖୁସି କରି ଥାଆନ୍ତି। ପତ୍ନୀ ମଧ୍ୟ ଜଣେ ଭିନ୍ନକ୍ଷମ। କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହି ପାରନ୍ତି ନାହିଁ। ସେ ମଧ୍ୟ ଭିନ୍ନକ୍ଷମ ସ୍ଵାମୀଙ୍କ ଭିକ୍ଷା କରି ଫେରିବାର ବାଟକୁ ଅପେକ୍ଷା କରି ଘରକୁ ଫେରିଲା ପରେ ତାଙ୍କ ଦୁଃଖର ଭାଗି ହୋଇ ସ୍ଵାମୀଙ୍କ ଯନ୍ତ୍ରଣାକୁ ବୁଝି ପାରନ୍ତି।

ତାଙ୍କର ଗୋଡ଼ ହାତରୁ ବ୍ୟଥା ଦୂର ପାଇଁ ଗୋଡ଼ ହାତକୁ ମୋଡ଼ି ଦେଇଥାଆନ୍ତି ପତ୍ନୀ। ସ୍ୱାମୀ ହାତରେ ଗୁଣ୍ଡେ ଖାଇ ପାରୁନଥିଲା ବେଳେ ପତ୍ନୀ ମଧ୍ୟ ଖୁଆଇ ଦେଇ ଥାଆନ୍ତି। ଏମିତି ଦୁଃଖ କଷ୍ଟରେ ଜୀବନ ଯନ୍ତ୍ରଣାରେ ଯୋଡ଼ି ହୋଇ ଚାଲିଛନ୍ତି ଭିନ୍ନକ୍ଷମ ଅସହାୟ ଦମ୍ପତି।

Advertisment

ସରକାରୀସ୍ତରରେ ଚାଉଳ ଓ ଭତ୍ତାରେ ଅଟକି ଯାଇଛି ଭିନ୍ନକ୍ଷମ ଅସହାୟ ପରିବାରର ଜୀବନ। ଭିକ୍ଷା ସଂଗ୍ରହ ପାଇଁ ଏକ ପ୍ଲାଷ୍ଟିକ ଡବାକୁ କାଟି ତାହାରି ସାହାଯ୍ୟରେ ବସି ହାତରେ ଭରା ଦେଇ ଭିକ୍ଷା ସଂଗ୍ରହ କରୁଛନ୍ତି। ଦୁଃଖ କଷ୍ଟର ଜୀବନ ଯନ୍ତ୍ରଣା ବେଳେ ତାଙ୍କର ବଡ ଝିଅଟି ମଧ୍ୟ ଘର ପାଖ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛି। ଏବେ ଭିକ୍ଷା ବୃତ୍ତିରୁ ଫେରି ଗୋଟିଏ ଝିଅ ଏବଂ ପୁଅକୁ ଧରି ଜୀବନ କାଟୁଛନ୍ତି ଏହି ଭିନ୍ନକ୍ଷମ ଦଂପତି।

ଅସହାୟ ଅବସ୍ଥାରେ ଭିକ୍ଷା ସଂଗ୍ରହକୁ ଦେଖି ଚାନ୍ଦବାଲିରେ ସର୍ଭିସ୍ ଇଜ୍ ଗଡ଼ ସ୍ଵେଚ୍ଛାସେବୀ ସଙ୍ଗଠନର ସଦସ୍ୟ କୁକୁଡ଼ା ଚାଷ ପାଇଁ ତାଙ୍କୁ କିଛି କୁକୁଡ଼ା ଛୁଆ ପ୍ରଦାନ କରିଛନ୍ତି। ତେବେ ତାଙ୍କୁ କୋୖଣସି ଆବାସ ଯୋଜନାରେ ସାମିଲ କରି ଏକ ଆବାସ ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ସାକ୍ଷାତ ପରେ ସେ କହିଛନ୍ତି ବଳରାମ ବାରିକଙ୍କୁ ପୂର୍ବରୁ ଘର ଦିଆ ଯାଇଥିଲା। କିନ୍ତୁ ସେ ଘର କରି ପାରି ନାହାଁନ୍ତି।

ଯେତେବେଳେ ୭୦ ହଜାର ଟଙ୍କା ଥିଲା ସେ ସମୟରେ ଘର କରି ନାହାଁନ୍ତି କିନ୍ତୁ ଏବେ ଏକ ଲକ୍ଷ କୋଡିଏ ହଜାରକୁ ବୃଦ୍ଧି ପାଇଛି। ବଳରାମଙ୍କୁ ଘର ବାବଦରେ ଯେଉଁ ଟଙ୍କା ମିଳି ଥିଲା ଘର ତିଆରି ନ କରିବାରୁ ଆସିଥିବା ଟଙ୍କା ପ୍ରଶାସନକୁ ଫେରସ୍ତ ଯାଇଛି। ଏବେ ତାଙ୍କର ପତ୍ନୀଙ୍କ ନାମରେ ଘର ପାଇଁ ଅନ ଲାଇନ୍ ଲିଷ୍ଟ ରହିଛି । ଅନ୍ୟ ପଟେ ଟ୍ରାଇ ବାଇ ସାଇକେଲ ନାହିଁ ସେଥିପାଇଁ ବ୍ଲକ ପ୍ରଶାସନ ସହିତ ଯୋଗାଯୋଗ ପରେ ଏହାର ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)

Couple Disabled Survivors Odisha Disabled Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ