ଏଠି ବିକାଶ ପାଇଁ ଯୋଜନା ପ୍ରସ୍ତୁତି ହୋଇଛି । ଉନ୍ନତି ପାଇଁ ନକ୍ସା କଟା ଯାଇଛି। ହେଲେ ତଥାପି ଯିବାକୁ ଯେମିତି ବାଟ ପାଉନି ବିକାଶ। ଆମେ କହୁଛୁ ମାଲକାନଗିରି ସ୍ବାଭିମାନ ଅଞ୍ଚଳର କଥା। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନାଞ୍ଚଳର ଟ୍ୟାଗ୍ ହଟାଇ ତତ୍କାଳୀନ ସରକାର ସିନା ସ୍ବାଭିମାନର ନାଁ ଟିଏ ଦେଲେ। ହେଲେ ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା କଥା ଛାଡ଼ନ୍ତୁ ସବୁଦିନିଆ ରାସ୍ତାଟିଏ ପାଇଁ ବି କିଭଳି ଦହଗଞ୍ଜ ହେଉଛନ୍ତି ଆଦିବାସୀ ମଣିଷ।
Also Read
ପାହାଡ଼ ବୁକୁରେ ପଥର ଚିରି ବସତି । ଏଠି ବାଟ ଶେଷ, ବିକାଶ ବି ଯେମିତି ଶେଷ । ଅପହଞ୍ଚ ଏତେ, ସହାୟତାର ହାତ ଚାହିଁଲେ ବି ବଢ଼ାଇ ହେଉନି କିମ୍ବା ଇଚ୍ଛାଶକ୍ତିର ଅଭାବ ସହାୟତାକୁ ପହଞ୍ଚାଇ ଦେଉନି । ମାଲକାନଗିରିର ଦୁର୍ଗମ ଚିତ୍ରକୋଣ୍ଡା । ପାହାଡ଼, ଝରଣା, ଅକାତ ଅକାତ ପାଣି ଭିତରେ ଠାଏଁ ଠାଏଁ ଆଦିବାସୀ ଗାଁ । ଦିନ ପରେ ଦିନ, ରାତି ପରେ ରାତି ବିତି ଚାଲିଛି । ନକ୍ସଲଠୁ ନେତା, ପ୍ରତିଶ୍ରୁତିରୁ ନିର୍ମାଣ ଅନେକ କିଛି ଦେଖିଛନ୍ତି ବିଚ୍ଛିନ୍ନାଞ୍ଚଳ ଲୋକେ । ହେଲେ ତାହା ଗ୍ରାଉଣ୍ଡରେ କେମିତି ପହଞ୍ଚିଛି ଆଉ ଲୋକେ କେତେ ପାଇଛନ୍ତି ଇଏ ତାର ଚିତ୍ର।
ଅଧିକ ପଢ଼ନ୍ତୁ: ଛାଡ଼ିଗଲା ବର୍ଷା, ଏବେ ବି ପାଣିରେ ବତୁରୁଛି ବର୍ଷକର ଦାନା
ଚିତ୍ରକୋଣ୍ଡାର ଚିକଟପଲ୍ଲୀ ଗାଁ...ଆଜି ବି ଘୋଡ଼ା ଏଠି ଗମନାଗମନାର ବିଶ୍ବସ୍ତ ମାଧ୍ୟମ, ଭାତ ଆଉ ତେନ୍ତୁଳି ପାଣି ନିତିଦିନିଆ ଆହାର। ଅତ୍ୟାବଶ୍ୟକ ଜିନିଷ ଟିଏ କିଣିବାକୁ ବି ଆନ୍ଧ୍ର ଯିବାକୁ ପଡ଼ୁଛି । ତା ପୁଣି ଚାଲି ଚାଲି, ଏମିତି ପାଦଚଲା ପାହାଡ଼ ଡେଇଁ ଡେଇଁ। ଆଉ ଶିକ୍ଷା, ସ୍ବାସ୍ଥ୍ୟ ତ କାହିଁ କେତେ ଦୂରରେ...ନା ବାପା ପାଠ ପଢ଼ିଥିଲେ ନା ତାଙ୍କ ପିଲା ଏବେ ପଢ଼ୁଛନ୍ତି। ବାସ୍ ବିକାଶର କାହାଣୀ ବିଚ୍ଛିନ୍ନାଞ୍ଚଳରେ କିଛି ଏମିତି ।
୨୦୧୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁର ଉଦଘାଟନ କରିଥିଲେ। ପ୍ରତିଶ୍ରୁତିର ପାହାଡ଼ରେ ସାତ ସ୍ବପ୍ନ ଦେଖାଇଥିବା ସରକାର ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳର ଆଖ୍ୟା ବି ଦେଇଥିଲା। ହେଲେ ୬ ବର୍ଷ ପରେ ସ୍ବାଭିମାନ ଅଞ୍ଚଳବାସୀଙ୍କ ସ୍ବାଭିମାନ କେମିତି ମାଟିରେ ଲୋଟୁଛି ଇଏ ତାରି ଚିତ୍ର । ସରକାରଙ୍କ ସବୁ ଯୋଜନା ଯେମିତି ଗୁରୁପ୍ରିୟା ସେତୁ ଡେଇଁ ପାରୁନି। ଅନେକ ଗାଁରେ ବିଜୁଳି ନାହିଁ, ପିଇବା ପାଣି ନାହିଁ, ଆବାସ ନାହିଁ...ବାସ୍ ଅଛି ତ ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି । ସଡ଼କ ପଥରେ ଯୋଗାଯୋଗ ନଥିବାରୁ ଯନ୍ତ୍ରୀ ପଞ୍ଚାୟତ, ସନ୍ୟାସୀଗୁଡ଼ା ଭଳି ଅନେକ ଗାଁ ଲୋକଙ୍କ ପାଇଁ ଏବେ ବି ଏ ଦୀର୍ଘ ଜଳପଥକୁ ଆଶ୍ରା। ମାଲକାନଗିରି ଜିଲ୍ଲା ପ୍ରଶାସନ ପାଖରେ ଏସବୁ ଖବର ତ ଅଛି କିନ୍ତୁ ସମାଧାନର ସୂତ୍ର ଖୋଜା ସରିନି ।