Female Devotee
ଆକାଶରୁ ଝରୁଛି ମୁଷଳ ଧାରାର ବର୍ଷା । ସତେ ଯେମିତି ମହିଳା ଭକ୍ତର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସ୍ୱୟଂ ଇନ୍ଦ୍ର ଦେବ । ଆଉ ସେଇଥିପାଇଁ ତ ତା’ର ଆଖିର ଲୁହକୁ ଲୁଚାଇ ଦେବାକୁ ସେ ଚେଷ୍ଟା କରୁଛନ୍ତି । ତଥାପି ନା ସେ ଲୁହ ଝରିବା ବନ୍ଦ ହେଉଛି, ନା ସେ ଛାତି ଭିତରେ ଥିବା କୋହ ସବୁ ଅଟକି ରହୁଛି । କେବଳ ମହିଳା ଭକ୍ତ ତା’ ନିଜକୁ କଷ୍ଟ ଦେଇଦେଇ ସିଂହଦ୍ୱାରରେ ଦଣ୍ଡ ପ୍ରଣାମ କରି ଚାଲିଛନ୍ତି । ଆଉ ନିଜ ହୃଦୟରେ ପୂଜା କରୁଥିବା ତା’ ମନର ମୁରବିକୁ ଦେଖାକରି ସବୁ ଦୁଃଖକୁ କହିବାକୁ ଆଗେଇ ଚାଲିଛି ରତ୍ନ ସିଂହାସନ ପାଖକୁ ।
କେମିତି ଅବା ସହିବ ତା’ର ସେହି ଦୁଃଖକୁ ଆଉ ସେ କଷ୍ଟକୁ । ଯଦି ମହିଳା ଜଣକ କାଳିଆର ଭକ୍ତ ହୋଇ ନିଜେ ମହାପ୍ରଭୁ ତା’ ଉପରେ ଦୁଃଖର କଳା ବାଦଲ ଢ଼ାଙ୍କି ଦେଇଛନ୍ତି , ତେବେ ସେହି ହିଁ ତାଙ୍କୁ ଦୁଃଖ ଭିତରୁ ବାହାର କରି ଖୁସି ଟିକିଏ ଦେଇପାରିବେ । ଆଉ ସେଇଥି ପାଇଁ ଭକ୍ତ ଦେଉଛି ଭକ୍ତିର ପରୀକ୍ଷା । ଆଖିରେ ଆଖିଏ ଲୁହ ନେଇ ଜଗା ଦୂଆରେ କରିଚାଲିଛି ଦଣ୍ଡ ପ୍ରଣାମ । ଜଗାର ଦୂଆରେ ଥିବା ପଥର ଉପରେ ନିଜକୁ ଶୁଆଇ ଦେଉଛି । ଆଉ ପୁଣି ଉଠିପଡ଼ି ଆଗକୁ ଯାଉଛି ।
ଶ୍ରୀମନ୍ଦିରର ବାଇଶି ପାହାଚରୁ ଯେମିତି ଚାଲିଆସୁଛି କାଳିଆର ଆଶୀର୍ବାଦର ବନ୍ୟା । ସେଇ ଆଶୀର୍ବାଦ ମହିଳା ଭକ୍ତଙ୍କ ମଥାକୁ ଛୁଇଁ ଯାଉଛି । ଆଉ ଯେମିତି କହୁଛି ତୁନି ହୋଇଯା । ମା’ ମୁଁ ପରା ଅଛି । ତୋର କିଛି ହେବନି । ତୋ କାଳିଆ ସାଆଁନ୍ତ ଯଦି ତୋ ପାଖରେ ଅଛନ୍ତି , ତୋର ଆଉ କ’ଣ ହେବ । ତୁନି ହୋଇଯା ମା’ । ତୁ ତୁନି ହୋଇ ଯା..ଯାହାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି...
କାଳିଆ ଭକ୍ତର କୋହଭରା ପ୍ରାର୍ଥାନା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶ୍ରୀମନ୍ଦିର ଆଗରେ ଯେମିତି ଭକ୍ତଟିଏ ଭଗବାନଙ୍କୁ ମୁଣ୍ଡ ବାଡ଼େଇ ତା’ ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷକୁ ମାଗୁଛି । ଆଉ ମହାପ୍ରଭୁ ସେ ସବୁ ରତ୍ନସିଂହାସନରୁ ଦେଖୁଛନ୍ତି । ଆଉ ସିଂହଦୂଆରେ ପତିତପାବନ ମଧ୍ୟ ପଲକ ପକାଉନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724048962.jpg)