• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ବୟସ ମାତ୍ର ୩୭ । ମାତ୍ର ୧୦ ବର୍ଷର ଚାକିରି । ଆଉ ଏହି ସମୟ ଭିତରେ ଖଣି ବିଭାଗର ସରକାରୀ ବାବୁ ଯେମିତି ସଂପତ୍ତିର ଖଣି ଖୋଳି ଦେଇଛନ୍ତି । ଭୁବନେଶ୍ୱର ପଟିଆରେ କୋଟିଏ ୩୦ ଲକ୍ଷର ଫ୍ଲାଟ୍, ସୁନ୍ଦରପଦାରେ ଡୁପ୍ଲେକ୍ସ, ତେଲକୋଇରେ ୨ଟି ମାର୍କେଟ୍ କଂପ୍ଳେକ୍ସ । ଇଏ ତ କାଣିଚାଏ ମାତ୍ର, ସରକାରୀ ବାବୁଙ୍କ ପାଖରେ ସଂପତ୍ତିର ଖଣି । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।

ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି ୩ଟି ଦାମୀ ପ୍ଲଟ୍, କେନ୍ଦୁଝର ସହରରେ ଗୋଟିଏ ଏବଂ ତେଲକୋଇରେ କିଣିଛନ୍ତି ୭ଟି ପ୍ଲଟ୍। ଏଥିସହ ତେଲକୋଇରେ ଗୋଟିଏ କୋଠା ଥିବାବେଳେ, ଆଉ ଗୋଟେ ନିର୍ମାଣ ଚାଲିଛି । ଭୁବନେଶ୍ବର ଓ ତେଲକୋଇ ଘରୁ ମିଳିଛି ନଗଦ ୯ ଲକ୍ଷ ୮୫ ହଜାର । ବିଭିନ୍ନ ଜମା ବାବଦରେ ୫୩ ଲକ୍ଷ ୫୩ ହଜାର ଟଙ୍କା ଏବଂ ୫୪ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ରହିଛି । ଗୋଟିଏ କାର ମଧ୍ୟ ଠାବ ହୋଇଛି । ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ହେଉଛି, ଧରଣୀଧର ୨୦୨୨ରେ ୭୫ ଲକ୍ଷର ଋଣ ନେଇଥିଲେ । ହେଲେ ତାକୁ ମାତ୍ର ୨ ବର୍ଷରେ ସୁଝି ଦେଇଛନ୍ତି । ଅସତ୍ ଉପାୟରେ ଅର୍ଜିତ ଧନରେ ଏତେବଡ଼ ଋଣ ସୁଝା ଯାଇଥିବା ସନ୍ଦେହ କରିଛି ଭିଜିଲାନ୍ସ । 

ଏଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୋହନ ଛାଟ । ଆଜି ବିଧାନସଭାରେ ସରକାରୀ ବାବୁଙ୍କ ଉପରେ ଭିଜିଲାନ୍ସ ଚଢାଉ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବାର ୨ ମାସରୁ ଅଧିକ ସମୟ ଭିତରେ ୩୯ ଜଣ ସରକାରୀ କର୍ମଚାରୀଙ୍କ ଉପରେ ହୋଇଛି ଭିଜିଲାନ୍ସ ରେଡ୍ । ସେମାନଙ୍କ ଠାରୁ ମୋଟ ୪୯ କୋଟି ୩୫ ଲକ୍ଷ ୯୮ ହଜାର  ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି । ଭିଜିଲାନ୍ସ ଟ୍ରାପରେ ପଡିଛନ୍ତି ୮ ଜଣ କ୍ଲାସ୍ ୱାନ୍ ଅଫିସର, ୨ ଜଣ କ୍ଲାସ୍ ଟୁ ଏବଂ ଜଣେ କ୍ଲାସ୍ ଥ୍ରୀ ଅଫିସର। କେବଳ ୪ ଜଣ ଚିଫ୍ ଇଞ୍ଜିନିୟର ରାଙ୍କ୍ ଅଫିସରଙ୍କ ଠାରୁ ମିଳିଛି  ୧୯୬ଟି ପ୍ଲଟ୍, ୨୪ ଟି କୋଠା, ୪ କିଲୋଗ୍ରାମରୁ ଅଧିକ ସୁନା ଏବଂ ୯ କୋଟିରୁ ଅଧିକ ଜମା । 

ସୂଚନା ଅନୁସାରେ, ମୋହନ ସରକାରଙ୍କ ସ୍କାନରରେ ରହିଛି ପିସି ଓ କମିଶନି କାରବାର ଅଧିକ ଚାଲିଥିବା ବିଭାଗ। ପୂର୍ତ୍ତ, ଅବକାରୀ, ଜଳସମ୍ପଦ, ଖଣି, ଖାଦ୍ୟ ଯୋଗାଣ, ଗ୍ରାମ୍ୟ ଉନ୍ନୟନ ସହ ଦୁର୍ନୀତିଗ୍ରସ୍ତ ପୋଲିସ ବଡ଼ ବାବୁଙ୍କ ଉପରେ ବି ରହିଛି ସରକାରଙ୍କ ତୀକ୍ଷ୍ଣ  ନଜର । ଏ ନେଇ କୁଆଡ଼େ ଏକ ତାଲିକା ପ୍ରସ୍ତୁତ କରିଛି ଦୁର୍ନୀତି ନିବାରଣ ବିଭାଗ । ଖୁବଶୀଘ୍ର ସେମାନଙ୍କ ଉପରେ ବି ପଡିପାରେ ରେଡ୍ । ଭିଜିଲାନ୍ସର ନନଷ୍ଟପ୍ ଆକ୍ସନକୁ ନେଇ ପ୍ରମାଦ ଗଣିଲେଣି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ । କିଏ ଜାଣିଛି, କେତେବେଳେ, କାହା ଉପରେ ହେବ ଚଢାଉ ।

  • Reported by:
  • GAUTAM PANDA , CHANDAN PAIKRAY , Chinmaya Sahoo , MANIL MOHARANA

OTV is now on Whatsapp

Join and get latest news update delivered to you via whatsapp

Join Now