No Basic Amenities
ନାଁକୁ ଥିଲେ ବିଧାୟକ, ହେଲେ ଦୀପ ତଳ ଅନ୍ଧାର । ଶାସନରେ ଥାଇ କ’ଣ କରୁଥିଲେ ଦେବୀ ମିଶ୍ର ? ନିଜ ଘର ପାଖ ଦଳିତ ପରିବାର ସରକାରୀ ଯୋଜନାରୁ ବଞ୍ଚିତ । ବାରମ୍ବାର ବିଧାୟକ ହୋଇ ମନ୍ତ୍ରୀ ପଦରେ ବସୁଥିଲେ ଦେବୀ । ଏ ହେଉଛି ବିଜେଡିର ପୂର୍ବତନ ବିଧାୟକ ଦେବୀ ମିଶ୍ରଙ୍କ ଖୋଦ୍ ପଞ୍ଚାୟତ । ଖାଲି ପଞ୍ଚାୟତ ତ ନୁହେଁ, ନିଜ ଗାଁ କହିଲେ ଭୁଲ ହେବନାହିଁ । କିନ୍ତୁ କ୍ଷମତା ନିଶା ଦେବୀଙ୍କୁ ଏମିତି ଘାରିଥିଲାଯେ, ତାଙ୍କୁ ଦିଶୁନଥିଲା ଏ ଗରିବଙ୍କ ଅସହାୟ ପଣିଆ । କାହାର ଏଠି ଘରବାଡ଼ି ପ୍ରମାଣପତ୍ର ନାହିଁ ତ କାହା ପାଖରେ ନାହିଁ ଘର ଖଣ୍ଡେ, କି ନାହିଁ ପାଇଖାନା । ଏଭଳି ୨୭ ପରିବାର ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି । କୁନିକୁନି ପିଲାଙ୍କ ପାଠ ପଢ଼ାରେ ବି ପଡ଼ୁଛି ଡୋରୀ ।
ଏମାନେ ହେଲେ କଟକ ଜିଲ୍ଲା ନରସିଂହପୁର ବ୍ଲକ ନିମସାହି ପଞ୍ଚାୟତ ଡ଼ମକଟା ଡ଼ମସାହିର ବାସିନ୍ଦା । ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରନ୍ତି । ଆଉ କିଛି ଲୋକ ନିଜ କୌଳିକ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏମାନେ ଯେଉଁ ଜାଗାରେ ରହିଛନ୍ତି ସେ ତାଙ୍କର ନିଜର ବି ନୁହେଁ । ଏପରିକି ଏମାନେ କୌଣସି ସରକାରୀ ସୁବିଧା ମଧ୍ୟ ପାଉନାହାନ୍ତି ।
୨୫ ବର୍ଷର ବିଜେଡି ସରକାର କି ନିଜ ଅଞ୍ଚଳର ବିଧାୟକ ଦେବୀ ମିଶ୍ରଙ୍କ ନଜର ଏହି ଗ୍ରାମବାସୀଙ୍କ ଉପରେ ପଡ଼ିନାହିଁ । ତେଣୁ ଏମାନଙ୍କ ପାଇଁ ସବୁ କିଛି ଆଜି ଯାଏଁ ନାହିଁ ନାହିଁରେ ରହିଯାଇଛି । ପ୍ରାୟ ସମସ୍ତେ ରାସନ କାର୍ଡ଼, ଶ୍ରମିକ କାର୍ଡ଼ ଓ ଜବ୍ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ପୂର୍ବତନ ବିଧାୟକଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହାଫଳରେ ଏହି ଲୋକମାନେ ନିଜ ଭାଗ୍ୟକୁ ଆଦରି ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି । ତେବେ ନୂଆ ସରକାର ଓ ପ୍ରଶାସନ ଏମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଡମସାହିର ବାସିନ୍ଦା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746172192.jpg)