ଲାଇଟ୍ କାଢ଼ି ନେଇ ଅନ୍ଧାର କରିବା ଚିନ୍ତାଜନକ ବିଷୟ, କାର୍ଯ୍ୟାନୁଷ୍ଠାନ ନିଆଯାଉ: ବିଜେପି

ଶ୍ରୀମନ୍ଦିର ଚାରି ପାଖ ଲାଇଟ୍ ଖୋଲାଯିବା ପଛରେ ରହିଛି ଷଡ଼ଯନ୍ତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଲାଇଟ୍ କାଢ଼ି ନେଇ ଅନ୍ଧାର କରାଯିବା ଚିନ୍ତାଜନକ ବିଷୟ ବୋଲି କହିଛି ବିଜେପି ।

Sri Mandir

ଶ୍ରୀମନ୍ଦିର ଚାରି ପାଖ ଲାଇଟ୍ ଖୋଲାଯିବା ପଛରେ ରହିଛି ଷଡ଼ଯନ୍ତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଲାଇଟ୍ କାଢ଼ି ନେଇ ଅନ୍ଧାର କରାଯିବା ଚିନ୍ତାଜନକ ବିଷୟ ବୋଲି କହିଛି ବିଜେପି । ଯେଉଁ ଅଧିକାରୀ ମାନେ ଦାୟିତ୍ୱରେ ଅଛନ୍ତି, ଯେଉଁମାନେ କାମଚଳା ସରକାରରେ ଅଛନ୍ତି, ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି ।

ତା’ସହ ପ୍ରଶ୍ନ ଉଠାଇ ବିଜେପି କହିଛି, ଲାଇଟ୍ ଲଗାଇବା ପାଇଁ ଏଭଳି ସଂସ୍ଥାକୁ କେମିତି ଦେଲେ ଦାୟିତ୍ୱ ? ବିଜେପି ସରକାର ଶପଥ ନେବା ପରେ ଯେଉଁ ମାନେ ଏଥିରେ ସଂପୃକ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଠିକା ସଂସ୍ଥା ଯଦି ଲଗାଇଥିଲା ସେ ମନ ଇଚ୍ଛା ଲଗାଇ ନଥିବ । ସରକାରଙ୍କ ଅନୁମତି ଅନୁଯାୟୀ କରିଥିବ ।

ତେଣୁ ଆଉ ଗୋଟେ ସରକାର ନ ଆସୁଣୁ କାହାର ଅନୁମତି ନନେଇ ଏପରି କାର୍ଯ୍ୟ କରାଯାଇଛି, ଏହା ନିନ୍ଦନୀୟ ଏବଂ ଯେଉଁ ମାନେ ଏଥିରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଦାୟିତ୍ୱରେ ଅଛନ୍ତି, ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ବିଜେପି କହିଛି । ସେପଟେ ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାରେ ଚାଲିଛି ତଦନ୍ତ ।

କାହିଁକି ନଜଣାଇ ଇଭେଣ୍ଟ ସଂସ୍ଥା ହଠାତ ଲାଇଟ କାଢିନେଲା ସେନେଇ ତଦନ୍ତ ଚାଲଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ଏଥିସହ ଲାଇଟ କାଢୁଥିବା ବେଳେ କିଛି ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଲାଇଟ ପୁଣି କିଭଳି ଲଗାଯିବ ସେନେଇ ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ଶ୍ରୀମନ୍ଦିର ପରିସରରେ ଆଲୋକୀକରଣ ବ୍ୟବସ୍ଥା ହଠାତ ବନ୍ଦ ପରେ ରାଜ୍ୟବ୍ୟାପୀ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ପରେ ସରକାରୀ ସ୍ତରରେ ଦେଖାଦେଇଛି ତତ୍ପରତା । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏନେଇ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହାର ଯେପରି ସ୍ଥାୟୀ ସମାଧାନ ହୋଇପାରିବ ଏବଂ ପୁନଃ ଆଲୋକୀକରଣ ବ୍ୟବସ୍ଥା କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବାନେଇ ସୋସିଆଲ୍ ମିଡିଆ Xରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଉଲ୍ଲେଖ କରିଥିଲେ । ନିର୍ବାଚନ ଫଳାଫଳ ଘୋଷଣା ପରଠୁ ବଡଦେଉଳକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଇଭେଣ୍ଟ କମ୍ପାନୀ ପକ୍ଷରୁ ଖୋଲି ଦିଆଯାଇଥିବା ଅଭିଯୋଗ ହୋଇଛି ।

ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ବଡ଼ଦାଣ୍ଡ, ମେଘନାଦ ପ୍ରାଚୀରର ଆଲୋକୀକରଣ ପାଇଁ ବ୍ୟାପକ ଫୋକସଲାଇଟ ଲଗାଯାଇଥିଲା ।