Advertisment

ଉଜୁଡ଼ା ଚିତ୍ର ! କେଉଁଠି ବତୁରିଛି ଫସଲ, କାହାର ବୁଡ଼ିଛି କୂଳ ବେଉଷା

୨ ଦିନ ପରେ ଆଲୋକର ପର୍ବ । ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି ।

ଅଦ୍ୟତନ ହୋଇଛି
undefined

Cyclone Dana

Advertisment

ଦିନେ ଘିରି ଘିରି ହୋଇ ଚକ ବୁଲୁଥିଲା ...ଏମିତି ଚକ ଘୁରିଲେ ଦି’ମୁଠା ଦାନା ମିଳୁଥିଲା...ପେଟ ବି ପୁରୁଥିଲା...ଏବେ କିନ୍ତୁ ପେଟର ସେହି ଭୋକ ସତେ ଯେମିତି ବତୁରିଯାଇ ବାତ୍ୟା ପରବର୍ତ୍ତୀ ବର୍ଷା ପାଣିରେ ମିଳେଇ ଯାଇଛି । ଯେଉଁ କୁମ୍ଭାର ପରିବାରଟିଏ ଦୀପାବଳି ଆସିଲେ ଦି’ପଇସା ରୋଜଗାର ଆଶା ରଖୁଥିଲା, ଆଶା ଏବେ ଧୋଇଯାଇଛି ।

Advertisment

୨ ଦିନ ପରେ ଆଲୋକର ପର୍ବ । ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି । ଭାଟିର ଏହି ଦରପୋଡ଼ା କାଠ ଭଳି ସତେ ଯେମିତି ଏହି କୁମ୍ଭାରପୁଅର ଭାଗ୍ୟ ବି ଅଙ୍ଗାର ପାଲଟିଯାଇଛି । ଏ ହେଲେ ପୁରୁଣା ବାଲେଶ୍ୱର କୁମ୍ଭାରସାହିର କାର୍ତ୍ତିକ ଦାସ । ଜଳନ୍ତା ଭାଟିରେ ନିଷ୍ଠୁର ବର୍ଷା ପାଣି ପଶି ବରବାଦ କରିଦେଇଛି ଦାନାପାଣିର ଉତ୍ସକୁ ।

ଏବେ କରିବେ କ’ଣ, ମୁଣ୍ଡକୁ ଉପାୟ ଜୁଟୁନି । ସେହିପରି ଭଦ୍ରକ ବାସୁଦେବପୁର ବ୍ଲକ ସୁଦର୍ଶନପୁର ଗାଁର ଗୌତମ ମଳିକ । ସମୁଦ୍ରରେ ମାଛମାରି ପେଟ ପୋଷୁଥିଲେ । ତେବେ ବାତ୍ୟା ଆସିବାରୁ ମାଛ ଧରା ଭୁଟୁଭୁଟିକୁ ଗମେଇ ନଦୀ କୂଳକୁ ଆଣି ଭୈରବପୁର ପୋଲ ପାଖରେ ରଖିଥିଲେ ।

Advertisment

ଏବେ ସେହି ଭୁଟୁଭୁଟିକୁ ଖୋଜି ଖୋଜି ନୟାନ୍ତ ହେଲେଣି, କିନ୍ତୁ ମିଳୁନଥିବାରୁ ଭାଙ୍ଗି ପଡିଛନ୍ତି ଏହି ମତ୍ସ୍ୟଜୀବୀ ପରିବାର । ଏପଟେ ଅମଳ ହେବା ଆଗରୁ ଉଜୁଡ଼ା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଆଳି ବ୍ଲକ ଧୋୟା ଅଞ୍ଚଳର । ବରବାଦ୍ ହୋଇଯାଇଛି ବିରି ଫସଲ ।

୨ଦିନର ଲଗାଣ ବର୍ଷା ଯୋଗୁ ୧୦ଟି ପଞ୍ଚାୟତରେ ଏଭଳି ଭାବେ ହେକ୍ଟର ହେକ୍ଟର ଜମିର ବିରି ଫସଲ ନଷ୍ଟ ହୋଇଛି । ଋଣବାଡ଼ି କରି ଚାଷ କରିଥିବା ଚାଷୀ ଏବେ ୠଣ କେମିତି ସୁଝିବ, ଚିନ୍ତାରେ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଂଶବାଂଶ ନଈ ଫୁଲି ବରଣତୁଆ ଏବଂ ସୁଦର୍ଶନପୁର ପଞ୍ଚାୟତରେ ଶତାଧିକ ହେକ୍ଟର ଜମିର ଧାନ ଫସଲ ଉଜୁଡ଼ିଯାଇଛି ।

Advertisment

ବାତ୍ୟା ଦାନା ଫେରିଯିବାର ୪ ଦିନ ବିତିଗଲାଣି । ହେଲେ ସେହି କାଳରାତିର କରାଳ ରୂପର ପଦଚିହ୍ନ ଏବେ ବି ଦାଉ ଦାଉ ଦେଖାଯାଉଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ । ଏବେ ବି ପଡ଼ିରହିଛି ଟଳିପଡ଼ିଥିବା ଗଛ, ସ୍ୱାଭାବିକ ହୋଇନି ବିଦ୍ୟୁତ ସେବା । ସ୍କୁଲକୁ ଫେରିନାହାଁନ୍ତି ଛାତ୍ରଛାତ୍ରୀ ।

ସେପଟେ ସୋର, ସିମୁଳିଆ, ରେମୁଣାର ଶହ ଶହ ହେକ୍ଟର ଜମିରେ ଏବେ ବି ଜମିରହିଛି ପାଣି । ବାଲେଶ୍ୱର ସହରର ୨୪ ନମ୍ବର ୱାର୍ଡର ବିପନ୍ନଙ୍କ ପାଇଁ ତ ଏବେ ବି ତମ୍ବୁ ପାଲଟିଛି ଘର । ଭଦ୍ରକ ଜିଲ୍ଲାର ସମସ୍ତ ୭ଟି ବ୍ଲକରେ ହୋଇଥିବା କ୍ଷୟକ୍ଷତିର ଆକଳନ ବି ଜାରି ରହିଛି । ବାତ୍ୟା ପରଠୁ ଜୀବନ ଜୀବିକାକୁ ନେଇ ଚିନ୍ତାରେ ଥିବା ଏଭଳି ବିପନ୍ନଙ୍କ ପାଇଁ ଏବେ କେବଳ ସରକାରୀ ସହାୟତା ହିଁ ଶେଷ ଭରସା ।

Heavy Rainfall Cyclone Cyclone Dana Agriculture
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ