ବଳୁଆ ହେଉଛି ସମ୍ଭାବ୍ୟ ବାତ୍ୟା 'ଦାନା', କାଲି ନେବ ବାତ୍ୟା ରୂପ

ସେଇ ଅନୁମାନ, ସମାନ ଆକଳନ .. ଗଭୀର ସମୁଦ୍ରରେ ବଳୁଆ ହେଉଛି ସାଇକ୍ଲୋନ୍ ପାରାଦୀପଠୁ ପ୍ରାୟ ୭ ଶହ କିମି ଦୂର କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଶକ୍ତିଶାଳୀ ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ଦାନା ।

Cyclone Dana

ସେଇ ଅନୁମାନ, ସମାନ ଆକଳନ .. ଗଭୀର ସମୁଦ୍ରରେ ବଳୁଆ ହେଉଛି ସାଇକ୍ଲୋନ୍ ପାରାଦୀପଠୁ ପ୍ରାୟ ୭ ଶହ କିମି ଦୂର କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଶକ୍ତିଶାଳୀ ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ଦାନା । ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରିଛି, କାଲି ବାତ୍ୟା ରୂପ ନେଇଯିବ । ସାଇକ୍ଲୋନର ସମ୍ଭାବ୍ୟ ଗତିପଥକୁ ଦେଖାଇ ଆଜି ପୁଣି ଆଇଏମଡି ଡିଜି କହିଛନ୍ତି- ଭୀଷଣ ବାତ୍ୟା ୨୪ ରାତି ଓ ୨୫ ପାହାନ୍ତା ଭିତରେ ହିଁ ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ଉପକୂଳ ପାର୍ କରିବ ।

ସେତେବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ । ତେବେ ବାତ୍ୟା ବେଶୀ କୋପ ଦେଖାଇବ ଉତ୍ତର ଓଡ଼ିଶାରେ । ସେଠି ଘାଇଁ ଘାଇଁ ପବନ ସାଙ୍ଗକୁ ପ୍ରବଳ ବର୍ଷାର ରହିଛି ଆଶଙ୍କା । ଏଣେ ବାତ୍ୟାର ଗତିପଥ ଓ ପ୍ରକୋପ ଏକ ପ୍ରକାର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଛି ମୁକାବିଲା ତୟାରି ।

ଇଏ କଟକ ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ବାଟାଲିୟନ । ଯେଉଁଠୁ ଆଜି ସକାଳେ ପ୍ରଥମ ଦଫାରେ ୯ଟି ଜିଲ୍ଲାକୁ ଟିମ୍ ବାହାରି ସାରିଛି । ସେହିପରି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାରେ ମୁତୟନ ରହିବେ ୧୭ ଓଡ୍ରାଫ ଟିମ୍ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ୨ଟି ଲେଖାଏଁ ଟିମ୍ ମୁତୟନ ହେବାକୁ ଥିବାବେଳେ ଭଦ୍ରକ ଓ ବାଲେଶ୍ୱରରେ ୨ଟି ଏବଂ ଗଞ୍ଜାମ, କଟକ ଓ ମୟୂରଭଞ୍ଜରେ ବି ଟିମ୍ ସଜାଗ ରହିବେ ।

ଅଧିକ ୩ ଓଡ୍ରାଫ ଟିମ୍ ରିଜର୍ଭ ରଖିବାକୁ ବି ଆଇନଶୃ୍ଙ୍ଖଳା ଏଡିଜିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି SRC । ଅନ୍ୟପକ୍ଷରେ ଅତିରିକ୍ତ ୧୦ଟି NDRF ଟିମ୍ ପାଇଁ ବି କେନ୍ଦ୍ରକୁ ଚିଠି ଲେଖାଯାଇଛି । ସେପଟେ ଆସନ୍ତାକାଲି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି-ଆଗେ ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି । ସରକାରୀ ଆଶ୍ରୟସ୍ଥଳୀ ବାଦ୍ ଆଉ ୫ଶହ ଅସ୍ଥାୟୀ ଆଶ୍ରୟ ଶିବିର ବି ପ୍ରସ୍ତୁତ ରହିଛି । ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା ହୋଇଛି । ସବୁ ସେଣ୍ଟରରେ ମହିଳା ପୋଲିସ ରହିବେ । ସବୁଠି ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ।

ସେପଟେ ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗ ପୁରା ତୟାର ରହିଥିବା କହିଛନ୍ତି ବିଭାଗୀୟ ସଚିବ ହେମନ୍ତ ଶର୍ମା । ତାସହ ସୂଚନା ଦେଇଛନ୍ତି-ପବନ ବଢିଲେ ପାୱାର କଟ୍ ହେବ । ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ୧୦ ହଜାର ଷ୍ଟାଫ୍, ୮ ହଜାର ପୋଲ୍ ଓ ୫୦୦ ଟ୍ରାନ୍ସଫର୍ମର ରହିଛି ।

ହସ୍ପିଟାଲରେ ପାଣି ଓ ବିଦ୍ୟୁତ୍ ସେବା ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି । ସେପଟେ ବାତ୍ୟାକୁ ଦେଖି ସବୁ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆସୁଛି, କାଲିଠୁ ବଦଳିବ ପାଗ ।

୭ ଜିଲ୍ଲାରେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି ।