Cyclone Dana: କମିଲା ପ୍ରକୋପ, ନଦୀ ଦେଖାଉଛି ଉଗ୍ର ରୂପ! ପ୍ରବଳବର୍ଷା ପରେ ଫୁଲୁଛି

ପ୍ରବଳବର୍ଷା ପରେ ଫୁଲୁଛି ନଦୀ । ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ବାଙ୍ଗିରିପୋଷି ବ୍ଲକ୍‌ର ଜାମତାଳିଆ ପାଖରେ ନଦୀର ଉଗ୍ର ରୂପ ।

Cyclone Dana

ପ୍ରବଳବର୍ଷା ପରେ ଫୁଲୁଛି ନଦୀ । ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ବାଙ୍ଗିରିପୋଷି ବ୍ଲକ୍‌ର ଜାମତାଳିଆ ପାଖରେ ନଦୀର ଉଗ୍ର ରୂପ । ଶିମିଳିପାଳ ଉପର ମୁଣ୍ଡରେ ଥିବା ଚହଲା ରେଞ୍ଜରେ ୧୩୦ ମିଲିମିଟର ବର୍ଷା ହୋଇଥିଲା । ନଅଣା ନର୍ଥ ରେଞ୍ଜରେ ୧୩୭ ମିଲିମିଟର ମିଟର ବର୍ଷା ହୋଇଥିଲା । ଏଥିସହ ବାରିପଦାରେ ୧୮ ମିଲିମିଟର ବର୍ଷା ହୋଇଛି ।

ପିଠାବଟା ରେଞ୍ଜର ସାଉଥ୍ ପଳପଳା ନଦୀ କୂଳରେ ୩୩ ମିଲିମିଟର ବର୍ଷା ହୋଇଛି । ଏସବୁ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀ ଫୁଲିବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପାଣିପାଗ ବିଭାଗ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ସହ ଅତି ପ୍ରବଳ ବର୍ଷା ନେଇ ସୂଚନା ଦିଆଯାଇଛି । ଅନ୍ୟପଟେ ବାତ୍ୟା ଜନିତ ଏବଂ ତା’ପରବର୍ତ୍ତୀ ବର୍ଷାରେ ୧୬ ଜିଲ୍ଲାକୁ ଏବେ ଦେଖାଦେଇଛି ଫ୍ଲାସ୍ ଫ୍ଲଡ ଆଶଙ୍କା । ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ଅନୁଗୁଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ ।

ଆଇଏମଡି ପକ୍ଷରୁ ଏନେଇ ଦିଆଯାଇଛି ସୂଚନା । ଅପରପକ୍ଷେ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଳ ହୋଇଛି । ବାତ୍ୟା ପରର ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟୁଛି ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ୱାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ୬ ହଜାର ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୬୦୦ ଶିଶୁ ଜନ୍ମ ନେଇଛନ୍ତି ବୋଲି ମୁଖମନ୍ତ୍ରୀ ସୂଚନା ଦେଇଛନ୍ତି । ବତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଗ୍ରାଉଣ୍ଡରେ ସ୍ଥିତି ତଦାରଖ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।