ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼, ବଜାରରୁ ଉଭାନ୍ ଆଳୁ-ପିଆଜ

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କଥା ଛାଡ଼ନ୍ତୁ, ମାର୍କେଟରୁ ଏକ ପ୍ରକାର ଉଭାନ୍ ହୋଇଗଲାଣି ଆଳୁ, ପିଆଜ ।

Vegetables Price

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କଥା ଛାଡ଼ନ୍ତୁ, ମାର୍କେଟରୁ ଏକ ପ୍ରକାର ଉଭାନ୍ ହୋଇଗଲାଣି ଆଳୁ, ପିଆଜ । ଯେଉଁଠି ବି ମିଳୁଛି ତାହା ଏବେ ଶତକ ମୁହାଁ । ଅର୍ଥାତ ବ୍ୟାପକ କଳାବଜାରୀ ହେଉଛି, ଆବଶ୍ୟକଠୁ ଅଧିକ ବୋହି ନେଉଛନ୍ତି ଲୋକେ ।

ଫଳରେ ବଜାରରେ କୃତ୍ରିମ ସଙ୍କଟ ଦେଖା ଦେଇଥିବା ବେଳେ ଅଯଥାରେ କେହି ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ସମୁଦ୍ର ଗର୍ଭରେ ସିନା ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ଦାନା... ହେଲେ ହାଟ ବଜାରରେ କିନ୍ତୁ ତାଣ୍ଡବ ରଚୁଛି ଆଳୁ, ପିଆଜ ଝଡ଼ ।

ହାଉଜାଉ ହେଉଛନ୍ତି ଲୋକେ, କିଏ ପିଆଜ ପାଇଁ ତ ଆଉ କିଏ ଆଳୁ ନେବାକୁ ଠେଲାପେଲା ଅବସ୍ଥା । ଆଠଗଡ଼ କନ୍ତୋଲ ହାଟରେ ଅସମ୍ଭାଳ ଭିଡ଼ ଭିତରେ ଆଳୁ ନେବାକୁ ସତେ ଯେମିତି ଲାଗି ରହିଛି ପ୍ରତିଯୋଗିତା । କାରଣ ବାତ୍ୟା ଖବର ଶୁଣିବା ପରଠୁ ଏହି ମାର୍କେଟରେ ଆଳୁ ପିଆଜ ଆଉ ନାହିଁ । କଟକ ଛତ୍ରବଜାରରେ ଆଳୁ ପିଆଜ ଦରରେ ଅହେତୁକ ବୃଦ୍ଧି । ଯେଉଁଠି ଆଳୁ କିଲୋ ଗତକାଲି ୩୦-୩୫ ଥିଲା, ଆଜି ସେଠି ୫୦ ଟଙ୍କାରେ ପହଞ୍ଚିଲାଣି ।

ଠିକ୍ ସେହିଭଳି ଗତକାଲି ସୁଦ୍ଧା ୪୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ୭୦ରେ ପହଞ୍ଚିଛି । ସ୍ଥିତି ଦେଖିଲେ ଲାଗୁଛି, ବାତ୍ୟା ନାଁରେ ଅତ୍ୟାବଶ୍ୟକ ସାମଗ୍ରୀର ଆରମ୍ଭ ହୋଇଛି କଳାବଜାରୀ । ଭୁବନେଶ୍ୱର ଏକ ନମ୍ବର ହାଟରେ ଆଳୁ କିଲୋ ୪୦ ରହିଛି ସତ, କିନ୍ତୁ ଲୋକେ ଆବଶ୍ୟକଠୁଁ ଅଧିକ ନେଉଥିବାରୁ ଆଉ ୩/୪ ଦିନ ଆଳୁ ମିଳିବନି ବୋଲି କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

ଭୁବନେଶ୍ୱର ହେଉ କି ବାଲେଶ୍ୱର, କଟକ ହେଉ କି ଆଠଗଡ଼ । ହାଟରେ ତାଣ୍ଡବ ରଚୁଛି ଦରବୃଦ୍ଧି । ଏନେଇ ଖବର ପ୍ରସାରଣ ପରେ କଟକ ଛତ୍ରବଜାରରେ ଛାପା ମାରିଛି ଯୋଗାଣ ବିଭାଗ । ବିଭିନ୍ନ ହୋଲସେଲ୍ ପଏଣ୍ଟ ଏବଂ ଗୋଦାମ ଉପରେ ଚଢ଼ାଉ କରିବା ସହ ଚଢ଼ା ଦରରେ ଆଳୁ ପିଆଜ ବିକ୍ରି ହେଉଥିବା ଜାଣି ପାରିଥିଲେ ଯୋଗାଣ ଅଧିକାରୀ । କହିଛନ୍ତି, ଆଗକୁ ଆକ୍ସନ ନିଆଯିବ । ଅପରପକ୍ଷେ ଦର ନିୟନ୍ତ୍ରଣ ହୋଇ ପାରୁନଥିବାରୁ ଅନ୍ୟାନ୍ୟ ସ୍ଥାନରେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି ଖାଉଟି ।

ସେପଟେ ଖାଦ୍ୟ ସାମଗ୍ରୀ ସହ ଆଳୁ, ପିଆଜର କଳାବଜାରୀ ଅଭିଯୋଗ ଭିତରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ ରାଜ୍ୟ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମହଜୁଦକାରୀଙ୍କ ବିରୋଧରେ କଡ଼ା ଚେତାବନୀ ଶୁଣାଇବା ସହ କହିଛନ୍ତି, ବାତ୍ୟାର ମୁକାବିଲା ବେଳେ ସମସ୍ତଙ୍କ ସହଯୋଗ ଦରକାର ।

ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କିମ୍ବା ଲୋକଙ୍କୁ ହଇରାଣ କରିବେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୋଟିଏ ପଟେ ବାତ୍ୟା, ଆରପଟେ କାର୍ତ୍ତିକ ମାସ । ତା’ରି ଭିତରେ ଆଳୁ ପିଆଜ ସହ ପରିବା ଦର ହାଟ ବଜାରରେ ଅସ୍ଥିରତା ସୃଷ୍ଟି କରୁଛି । ଫଳରେ ସାଧାରଣ ଖାଉଟି ଏବେ ନାକେଦମ୍ ।