‘ଦାନା’ ରଚିଥିବା ପ୍ରଳୟ ପରର ପୁଳା ପୁଳା ଚିହ୍ନ; କେଉଁଠି ମାଟିରେ ଲୋଟିଛି ଘର, ତ କେଉଁଠି ଛାରଖାର ଜୀବିକା

ଦାନା ନେଇଗଲା ବାତ୍ୟା ଦାନା। ଚାଷଜମିରେ ଅଣ୍ଟାଏ ପାଣିରେ ବୁଡି ରହିଛି ଚାଷୀର ଫସଲ। କେଉଁଠି ବିଶାଳ ଗଛ ଉପୁଡି ପଡିଛି ତ କେଉଁଠି ବର୍ଷା ଓ ପବନରେ ଭାଙ୍ଗି ଯାଇଛି ଘର।

Cyclone Dana

କେନ୍ଦ୍ରାପଡା ରାଜନଗର ବ୍ଲକର ହବାଳିଖଟି ନେଚର କ୍ୟାମ୍ପ । ବାତ୍ୟା ଦାନା ଲ୍ୟାଣ୍ଡଫଲର କେନ୍ଦ୍ରସ୍ଥଳ । ଆଉ ଇଏ ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ରାଜନଗର ବ୍ଲକ୍ । ଦାନା ଛୁଇଁଯିବା ପରେ ଚାରିଆଡେ ଉଜୁଡା ଚିତ୍ର । କେଉଁଠି ବିରାଟ ଗଛ ମାଟିରେ ଧରାଶାୟୀ ତ କେଉଁଠି ଘର ଉପରେ ମାଡ଼ି ବସିଛି । ଉପୁଡି ପଡିଛି ହଜାର ହଜାର ଗଛଲତା । ଘର ଭାଙ୍ଗିଛି, ଜୀବିକା ଉଜାଡିଦେଇଛି । ଗାଁ ଗାଁରେ କ୍ଷତ ଚିହ୍ନ ଛାଡିଯାଇଛି ବାତ୍ୟା । ରାଜନଗର ବ୍ଲକର ସାତଭାୟା, ବଗପାଟିଆ, ପେଣ୍ଠ ଓ ତାଳଚୁଆ ପଂଚାୟତରେ ବାତ୍ୟା ଏମିତି ଦୁଃଖ ଦେଇଛି, ଯାହାର ଭରଣା କଷ୍ଟକର । ଚାଷ ବାସ କଥା ତ ନକହିଲେ ଭଲ । ବିଲରେ ଆଣ୍ଠୁଏ ପାଣି । ବୁଡିକି ରହିଛି ବର୍ଷକର ଫସଲ । ଯେତିକି ବଂଚିଛି, ଅଗାଡି ହୋଇଯିବା ଆଶଙ୍କା ଅଧିକ ।

ବାତ୍ୟାରେ ପ୍ରଭାବିତ ହୋଇଛି କେନ୍ଦ୍ରାପଡାର ୯ଟି ଯାକ ବ୍ଲକ୍ ଓ ୨ଟି ମ୍ୟୁନିସିପାଲଟି । ରାଜନଗର ବ୍ଲକର ୨୯ଟି ପଂଚାୟତରେ ତ କ୍ଷତିର ହିସାବ କରିବା ମୁସ୍କିଲ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଜୁଳି ସଂଯୋଗ । ଦିନ ରାତି ଏକ କରି ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାରେ ଲାଗିପଡିଛି ଶକ୍ତି ବିଭାଗ । ସେପଟେ ଏବେବି ପାଣି ଘେରରେ ରହିଛି ବ୍ଲକର ବଗପାଟିଆ ଅଂଚଳ । କଲୋନୀ ଭିତରେ ଆଣ୍ଠୁଏ ପାଣି। ଜଳନିଷ୍କାସନ ପାଇଁ ମାଷ୍ଚର ପ୍ଲାନ୍ ପ୍ରସ୍ତୁତ କରୁଛି ପ୍ରଶାସନ ।

କ୍ଷୟକ୍ଷତିରେ ରାଜନଗର ପଛକୁ ରହିଛି ପଟ୍ଟାମୁଣ୍ଡାଇ। ବ୍ଲକର ଅଧାରୁ ଅଧିକ ଅଂଚଳ ଏବେ ବି ଜଳବନ୍ଦୀ । ବାତ୍ୟା ଆଣିଥିବା ଲଗାଣ ବର୍ଷା ଉଜାଡି ଦେଇଛି ଧାନ ଓ ପନିପରିବା ଫସଲ । ଏକର ଏକର ଜମି ବୁଡି ରହିଛି । ପନିପରିବା ଚାଷ ବି ଉଜୁଡିଛି । ଆଳି ବ୍ଲକର ଜୁଆଣିଆ ପଂଚାୟତରେ ଚାଷୀ ପନିପରିବା ଆଦାୟ କରି ପରିବାର ପୋଷୁଥିବା ବେଳେ ଚାଷୀଙ୍କ ଦାନା ପାଣି ବୁଡାଇଦେଇଛି ପବନ ଓ ବର୍ଷା ।

ଏପଟେ ବାତ୍ୟା ବିପନ୍ନଙ୍କ ପାଖରେ ପହଁଚିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ପଟ୍ଟାମୁଣ୍ଡାଇ ବ୍ଲକରୁ ଅଧିକ ପ୍ରଭାବିତ ରାଜନଗରର ତାଳଚୁଆ ପଞ୍ଚାୟତ ଯାଏଁ ୬୦ କିଲୋମିଟର ଅଂଚଳ ବୁଲି ଦେଖିଛନ୍ତି । ମଦନପୁର, ରାଜନଗର, ଜରିମୂଳ, ନଳିତପାଟିଆ, ଘଡିଆମାଳ, ଈଶ୍ବରପୁର, ଡ଼lଙ୍ଗମାଳ, ତlଳଚୁଆ ଆଦି ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କଥା ପଚାରି ବୁଝିଛନ୍ତି ବୈଜୟନ୍ତ । ଗାଁକୁ ଗାଁ ଯାଇ ଦେଖିଛନ୍ତି ବାତ୍ୟା ଛାଡିଯାଇଥିବା କ୍ଷତର ଚିହ୍ନ । ଏସବୁ ସ୍ଥାନରେ ସରକାରଙ୍କ ସୁବିଧା ସୁଯୋଗ କିପରି ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେନେଇ ପ୍ରଶାସନିକ ସ୍ତରରେ କଥା ହୋଇ ତ୍ୱରାନ୍ୱିତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା ।