Advertisment

Terror Attack on Pilgrims in Kashmir: ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ସିନ୍ଥିରୁ ଲିଭାଇଲେ ସିନ୍ଦୁର; ଆଖି ଆଗରେ ନାଚୁଛି ମୃତ୍ୟୁ...

ଏବେବି କାନରେ ଶୁଭୁଛି ଗୁଳିର ଶବ୍ଦ... ଆଖି ଆଗରେ ଭାସିଉଠୁଛି ରକ୍ତର ଛିଟା... ଛାତିକୁ ଥରାଉଛି ଆତଙ୍କୀର ସେଇ ଗୋଟିଏ ପ୍ରଶ୍ନ- 'ତୁମେ ହିନ୍ଦୁ ନା ମୁସଲିମ୍'।

ଅଦ୍ୟତନ ହୋଇଛି
Terror Attack on Pilgrims in Kashmir

Terror Attack on Pilgrims in Kashmir

Advertisment

ଏବେ ବି ଆଖି ଆଗରେ ନାଚୁଛି ମୃତ୍ୟୁ। ମାତ୍ର ୫ ଫୁଟ୍ ଦୂରରେ ଥିବା ଆତଙ୍କୀଠୁ ବର୍ତ୍ତି ଘରକୁ ଫେରିବା ପରେ ପହଲଗାମ୍ ଅନୁଭୂତି ବଖାଣିଲେ କଟକର ଭୋଳ ପରିବାର। ୪ ସଦସ୍ୟଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ବେଳେ, ବଞ୍ଚିଥିବା ଯାଏଁ ଆଉ କାଶ୍ମୀର ଯିବୁନି ବୋଲି କହିଛନ୍ତି ସେମାନେ। ସେପଟେ ଅନ୍ୟ ପ୍ରତ୍ୟକ୍ଷଦର୍ଶୀ ବି ବଖାଣିଛନ୍ତି ସେଦିନର ଲୋମଟାଙ୍କୁରା କାହାଣୀ। ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ଜଣେ ମହିଳାଙ୍କୁ କିଭଳି ସିନ୍ଥିରୁ ସିନ୍ଦୁର ପୋଛିବା ଯାଏଁ କଥା ଯାଇଥିଲା, ଆସନ୍ତୁ ଜାଣିବା...

Advertisment

ଏବେବି କାନରେ ଶୁଭୁଛି ଗୁଳିର ଶବ୍ଦ... ଆଖି ଆଗରେ ଭାସିଉଠୁଛି ରକ୍ତର ଛିଟା... ଛାତିକୁ ଥରାଉଛି ଆତଙ୍କୀର ସେଇ ଗୋଟିଏ ପ୍ରଶ୍ନ- 'ତୁମେ ହିନ୍ଦୁ ନା ମୁସଲିମ୍'। ହନୁମାନଙ୍କ ଭକ୍ତ ହୋଇ ବି ସେଦିନ କଲମା ପଢ଼ିବାକୁ ପଡ଼ିଥିଲା କଟକର ଯୁବକଙ୍କୁ। ନଚେତ୍ ହୁଏତ ଜୀବନ ନେଇ ଘରକୁ ଫେରି ପାରିନଥାନ୍ତେ। ବୁଡ଼ିଯାଉଥିବା ଲୋକ କୁଟା ଖିଅକୁ ଆଶ୍ରା କଲା ଭଳି, ସେଦିନ ପ୍ରାଣ ବିକଳରେ AK-47 ଗୁଳି ରୋକିବାକୁ ମୁଣ୍ଡ ଆଗରେ ଖଡ଼ିକା ବେଣ୍ଟ ଧରିଥିଲେ ଓ ସାର୍ଟ ଭିତରେ ଚଦର ପୂରାଇଥିଲେ ତାଙ୍କ ବାପା। ଆମେ ପହଲଗାମ୍ ନରସଂହାରକୁ ଟିଭି ଓ ମୋବାଇଲରେ ଦେଖୁଛେ ସିନା। ହେଲେ ସେଇ ଲୋମହର୍ଷକ ଘଟଣାକୁ ଅଙ୍ଗେ ନିଭାଇଛନ୍ତି କଟକ ଦେଉଳସାହିର ରଞ୍ଜିତ ଭୋଳଙ୍କ ପରିବାର। ରଞ୍ଜିତଙ୍କ ପତ୍ନୀ ଆହତ ହୋଇଛନ୍ତି, ମାତ୍ର ୫ ଫୁଟ୍ ଦୂରରେ ଥିବା ଆତଙ୍କୀ କବଳରୁ ଖସିଆସିବା ବେଳେ।

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ଆଖି ଦେଖା ଘଟଣା ବଖାଣିଲେ କଟକର ରଞ୍ଜିତଙ୍କ ପରିବାର

 ଦିନ ୨ଟା ବେଳେ ବୈସାରନ ଭ୍ୟାଲିରେ ପହଞ୍ଚିଥିଲେ ରଞ୍ଜିତ, ତାଙ୍କ ପତ୍ନୀ ଓ ପୁଅ-ବୋହୂ। ହେଲେ କେଇ ମିନିଟ୍ ଭିତରେ ଶୁଭିଲା ଆତଙ୍କୀଙ୍କ ଗୁଳି ଶବ୍ଦ। ୪ ଆତଙ୍କୀଙ୍କ ଭିତରୁ ଜଣେ ଏମାନଙ୍କ ପାଖକୁ ଆସି, ୮-୧୦ ଫୁଟ୍ ଦୂରରେ ଥିବା ୩ ଜଣଙ୍କୁ କଲମା ପଢ଼ିବାକୁ କହିଲେ ଓ ନପଢ଼ିପାରିବାରୁ ଗୁଳି ମାରିଦେଲେ। ସମ୍ଭବତଃ ସେହି ମୃତକଙ୍କ ମଧ୍ୟରୁ ଜଣେ ଥିଲେ କର୍ଣ୍ଣାଟକର ମଞ୍ଜୁନାଥ ରାଓ। ଯାହାଙ୍କ ପତ୍ନୀଙ୍କୁ ଆତଙ୍କୀ କହିଥିଲେ ତୁମକୁ ମାରିବୁନି, ଏକଥା ଯାଇ ମୋଦିଙ୍କୁ କୁହ। ସେତେବେଳକୁ କେବଳ ଭଗବାନଙ୍କୁ ଡାକିବା ଛଡ଼ା ଏମାନଙ୍କ ପାଖରେ କିଛି ଚାରା ନଥାଏ।

Advertisment

ପ୍ରାୟ ଅଧଘଣ୍ଟା ଧରି ନରସଂହାର ଚାଲିବା ପରେ, ଥମିଥିଲା ଗୁଳିଶବ୍ଦ। ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ ଆତଙ୍କୀ। ଆଉ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର। ହେଲେ ମନରେ ଭୟ ଏଭଳି ବସିଯାଇଛି ଯେ, ଆଉ ଜୀବ ଥିବା ଯାଏଁ କେବେ କାଶ୍ମୀର ଯିବୁନି ବୋଲି କହିଛନ୍ତି ସେମାନେ ।

ସେମିତି ଆଉ ଏକ ଦଂପତି, ଯିଏକି ଅଳ୍ପକେ ବର୍ତ୍ତିଯାଇଛନ୍ତି ଆତଙ୍କୀ ଗୁଳିରୁ। ଉତ୍ତରପ୍ରଦେଶ ଜୋନପୁରର ସୂର୍ଯ୍ୟମଣି ପାଣ୍ଡେ ଓ ବିଜୟଲକ୍ଷ୍ମୀ। ଘୋଡ଼ା ଚଢ଼ିବା ବେଳେ ପତ୍ନୀଙ୍କ ହାତରେ ଆଘାତ ଲାଗିବାରୁ ଭ୍ୟାଲିକୁ ଯାଇନଥିଲେ ସୂର୍ଯ୍ୟମଣି। ହେଲେ ଗୁଳି ଶବ୍ଦ ଶୁଣି, ଯେତେବେଳେ ଆତଙ୍କୀମାନେ ହିନ୍ଦୁଙ୍କୁ ବାଛିବାଛି ମାରୁଛନ୍ତି ଜାଣିଲେ, ଏମାନଙ୍କୁ ହାତରୁ କଲାୱା ସୂତା ଛିଣ୍ଡାଇଦେବାକୁ, ମୁଣ୍ଡରୁ ବିନ୍ଦି ଓ ସିନ୍ଦୁର ପୋଛି ଦେବାକୁ କହିଥିଲା ଘୋଡ଼ାବାଲା। ସେପଟେ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା କାନପୁରର ଶୁଭମ୍ ଦ୍ବିବେଦୀଙ୍କ ବିଧବା ପତ୍ନୀ କହିଛନ୍ତି, ମୋ ସ୍ବାମୀଙ୍କୁ ଆତଙ୍କୀ ଏଭଳି ମାରିଥିଲେ ଯେ, ତାଙ୍କ ମୁହଁକୁ ଶେଷଥର ପାଇଁ ଦେଖି ବି ପାରିଲୁନି। ୨ ମାସ ତଳେ ବିବାହ ପରେ ହନିମୁନରେ କାଶ୍ମୀର ଯାଇଥିଲେ ଦଂପତି। ସମୟ ଗଡ଼ିବ, କ୍ୟାଲେଣ୍ଡର୍ ବଦଳିବ। ହେଲେ ପ୍ରତ୍ୟକ୍ଷଦର୍ଶୀଙ୍କ ମନରେ ଅଲିଭା ଦାଗ ଛାଡ଼ିଯିବ, ସେଦିନ ଆଖିରେ ଦେଖିଥିବା ଆତଙ୍କର ଚିତ୍ର।

Advertisment

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

Terror Attack In Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ