ଜୀବନ ସହ ଖେଳ!! ବ୍ଲଡ୍ ପ୍ଲେଟଲେଟ୍ ନାଁରେ ଠକେଇ ଅଭିଯୋଗ

ରୋଗୀଙ୍କ ଜୀବନ ସହ ଖେଳ । ବ୍ଲଡ୍ ପ୍ଲେଟଲେଟ୍ ଦେବା ନାଁରେ ଠକେଇ ଅଭିଯୋଗ । ଭୁଲ ପ୍ଲେଟଲେଟ୍ ଦେଇ ଟଙ୍କା ଠକେଇ ଅଭିଯୋଗରେ ଜଣେ ଦଲାଲକୁ ବାନ୍ଧିଛି କଟକ ସଦର ଥାନା ପୋଲିସ ।

Blood Platelet

ରୋଗୀଙ୍କ ଜୀବନ ସହ ଖେଳ । ବ୍ଲଡ୍ ପ୍ଲେଟଲେଟ୍ ଦେବା ନାଁରେ ଠକେଇ ଅଭିଯୋଗ । ଭୁଲ ପ୍ଲେଟଲେଟ୍ ଦେଇ ଟଙ୍କା ଠକେଇ ଅଭିଯୋଗରେ ଜଣେ ଦଲାଲକୁ ବାନ୍ଧିଛି କଟକ ସଦର ଥାନା ପୋଲିସ । ଗିରଫ ଦଲାଲ ଠାରୁ ୬ ପ୍ୟାକେଟ ବ୍ଲଡ ପ୍ଲେଟଲେଟ ଜବତ କରିଛି ପୋଲିସ । କଟକ ମହାନଦୀ ବିହାରରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ AB ନେଗେଟିଭ ପ୍ଲେଟଲେଟ ଆବଶ୍ୟକ ଥିଲା ।

ସେ ବିଡାନାସୀ ଅଞ୍ଚଳରେ ଭଡ଼ାରେ ରହୁଥିବା ବାପି ଓରଫ ଅଜୟ କୁମାର ନାୟକଙ୍କୁ ବ୍ଲଡ ପ୍ଲେଟଲେଟ ପାଇଁ କହିଥିଲେ । ୬ଟି ପ୍ଲେଟଲେଟକୁ ୬୦୦୦ ଟଙ୍କା ନେବେ ବୋଲି କହିଥିଲେ ଅଜୟ । ରୋଗୀଙ୍କ ଏବି ନେଗେଟିଭ ବ୍ଲଡ ପ୍ଲେଟଲେଟ ଆବଶ୍ୟକ ଥିବାବେଳେ ତାଙ୍କୁ ଏବି ପଜେଟିଭ ପ୍ଲେଟଲେଟ ଦେଇଥିଲେ ଅଜୟ ।

ଏହାପରେ ଡାକ୍ତର ମନାକରିବାରୁ ତାଙ୍କୁ ପ୍ଲେଟଲେଟ ଫେରେଇ ନେଗେଟିଭ ପ୍ଲେଟଲେଟ ଦେବା ପାଇଁ କହିଥିଲେ । ତେବେ ଅଜୟ ପାଖରେ ନେଗେଟିଭ ପ୍ଲେଟଲେଟ ନଥିବାରୁ ସେହି ବ୍ଲଡ ପ୍ଲେଟଲେଟକୁ ନେଗେଟିଭ ଲେଖିଦେଇଥିଲା । ଏହା ଡାକ୍ତର ଜାଣିବା ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ କହିଥିଲେ ।

ଏନେଇ ରୋଗୀଙ୍କ ସମ୍ପର୍କୀୟ ସଦର ଥାନାରେ ଏତଲା ଦେବାପରେ ପୋଲିସ ଅଭିଯୁକ୍ତ ଅଜୟକୁ ଗିରଫ କରିଛି । ତେବେ ସେ ଏତେ ସଂଖ୍ୟକ ବ୍ଲଡ ପ୍ଲେଟଲେଟ କେଉଁଠୁ ଆଣିଲା ସେ ଦିଗରେ ତଦନ୍ତ କରାଯାଉଥିବା କହିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର ।