Pahalgam Massacre
ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସାରନ ଘାଟିରେ କେମିତି ହୋଇଥିଲା ଛାତିଥରା ଆକ୍ରମଣ ? କେମିତି ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ସେ ଭୟାନକ ମୂହୂର୍ତ୍ତର କାହାଣୀ ବଖାଣିଛନ୍ତି ଅଳ୍ପକେ ବର୍ତ୍ତିଯାଇଥିବା କଟକର ଏକ ପରିବାର ।
କଟକ ଦେଉଳସାହିରେ ରହୁଥିବା ରଞ୍ଜିତ କୁମାର ଭୋଳ ଓ ତାଙ୍କ ପରିବାର ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିବା ବେଳେ ତାଙ୍କ ଆଖି ସାମ୍ନାରେ ଘଟିଥିଲା ପହଲଗାମର ଲୋମହର୍ଷଣକାରୀ ଘଟଣା। ତେବେ ଏଥିରେ ରଞ୍ଜିତଙ୍କ ପତ୍ନୀ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତେ ସୁସ୍ଥ ଅଛନ୍ତି । ତେବେ ସେଦିନର ଲୋମହର୍ଷଣକାରୀ ଘଟଣା କିପରି ଥିଲା ସେ ସମ୍ପର୍କରେ ଆସନ୍ତୁ ଜାଣିବା ।
ତେବେ ଏଥିରେ ଆହତ ହୋଇଥିବା ରଞ୍ଜିତଙ୍କ ପତ୍ନୀ ଶଶି କୁମାରୀ ନାୟକ ନିଜ ଆଖିରେ ଦେଖିଥିବା ମୃତ୍ୟୁର ତାଣ୍ଡବର ଯେଉଁ କାହାଣୀ ବଖାଣିଛନ୍ତି ତାହା ଶୁଣିବା ପରେ ଯେ କେହି ବି ଭୟରେ ଥରିବ ନିଶ୍ଚୟ । ସେ କହିଛନ୍ତି ' ଆତଙ୍କବାଦୀ ଆମ ପାଖରେ ଛିଡା ହୋଇଥିଲେ । ଆମ ଆଗରେ ତିନି ଜଣଙ୍କୁ ମାରିଦେଲେ । ଆମେ ସେଇଠି ଲୁଚିଗଲୁ, ଟିକେ ବୁଲିଥିଲେ ଆମକୁ ସଫା କରିଦେଇଥା'ନ୍ତା । ଭାଗ୍ୟ ଭଲ ବୋଲି ଆମେ ଚାରି ଜଣ ବଞ୍ଚିଗଲୁ ।
ଆମେ ତାକୁ ଦେଖିଛୁ । ଆଉ ଜଣେ ସ୍ତ୍ରୀ ଲୋକ କହିଲେ, ମୋ ସ୍ୱାମୀଙ୍କୁ ମାରିଲ, ମତେ ବି ମାରିଦିଅ । ଆତଙ୍କବାଦୀ ପଳେଇବା ପରେ ଦୌଡିକି ଆସିବା ବେଳେ ପଡିଯିବା ଫଳରେ ମୁଁ ଆହତ ହେଲି। ଉପରେ ପ୍ରଥମେ ବ୍ଳାଙ୍କ ଫାୟାରିଂ ହେଲା । ଆମେ ଫଟୋ ଉଠାଉଥିଲୁ । ସେଠାରେ ଆମେ ୮ ଜଣ ଥିଲୁ । ମୁଁ ଜଗନ୍ନାଥଙ୍କୁ ଡ଼ାକିଲି ଆମକୁ ବଞ୍ଚାଅ । ଆତଙ୍କବାଦୀ ତିନି ଜଣଙ୍କୁ ମାରି ପଳେଇଲା । ପଳେଇଲା ପରେ ସମସ୍ତେ ଦୌଡିଲେ । ଆଖି ଆଗରେ ଏତେ ମୃତ୍ୟୁ ଦେଖି ଆମେ ଆଉ ରାତିରେ ଶୋଇପାରିଲୁ ନାହିଁ ।‘
ଅନ୍ୟପଟେ ଘଟଣାକୁ ନେଇ ରଞ୍ଜିତ କହିଛନ୍ତି, ' ଆମେ ଦିନ ଦୁଇଟା ବେଳେ ମିନି ସ୍ୱିଜରଲ୍ୟାଣ୍ଡ ନାମକ ଜାଗାରେ ପହଞ୍ଚିଥିଲୁ । ସେଠାରେ ୨୦୦୦ରୁ ଉର୍ଦ୍ଧ ପର୍ଯ୍ୟଟକ ରହିଥିଲେ । ପୁଅ ବୋହୁ ଆମକୁ ଛିଡ଼ା କରାଇ ମନରୋମ ଦୃଶ୍ୟର ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରୁଥିଲେ । ସେହି ସମୟରେ ବ୍ଳାଙ୍କ ଫାୟାରିଂ ଶୁଣାଯାଇଥିଲା ।
ଏହାପରେ ପୁଅ କହିଲା ସମସ୍ତେ Rak ତଳେ ଲୁଚିଯାଅ । କିଛି ନା କିଛି ଅଘଟଣ ଘଟିବାକୁ ଯାଉଛି । ପ୍ରଥମେ ସିକ୍ୟୁରିଟିକୁ ଗୁଳି କଲେ । ତା'ପରେ ପର୍ଯ୍ୟଟକ ମାନେ ଦୌଡ଼ି ବାହାରିକୁ ଯିବା ବେଳେ ଯେଉଁ ଚାରି ଜଣ ଆତଙ୍କବାଦୀ ଥିଲେ ସେମାନଙ୍କ ମଧ୍ୟରୁ ତିନି ଜଣ ପୁରୁଷ ମାନଙ୍କୁ ମାରି ଚାଲିଲେ ।
ଏହା ଭିତରେ ସେହି ୪ ଜଣଙ୍କ ଭିତରୁ ଜଣେ ଆମ ପାଖକୁ ପଳାଇ ଆସିଥିଲା । ମୁଁ କହିଲି ହର ହର ମହାଦେବ ଆମକୁ ବଂଚାଇଦିଅ । ସେମାନେ କହିଲେ କଲମା ପଢ଼ ଯେଉଁମାନେ ପଢ଼ିପାରିଲେ ନାହିଁ , ତାଙ୍କୁ ମାରିଦେଲେ । ଏହାପରେ ଆତଙ୍କବାଦୀ ଦୌଡ଼ି ପଳେଇଲେ । ତା'ପରେ ଆମେ ସେଠାରୁ ବାହାରିବା ସମୟରେ ମୁଁ ୧୪ ଟି ମୃତ ଦେହ ଗଣିଥିଲି ।‘
ରଞ୍ଜିତଙ୍କ ପୁଅ କହିଛନ୍ତି, ‘ଆମେ ଆଉ କେବେ କଶ୍ମୀର ଯିବୁନି । ଆତଙ୍କବାଦୀମାନେ ଶେଷରେ ଯାହାକୁ ମାରିଲେ ତା'ପରେ ମୋ ପାଳି ଥିଲା । ମୁଁ ମନେ ମନେ ହନୁମାନଙ୍କୁ ସ୍ମରଣ କରୁଥିଲି ।‘ ତେବେ ମୃତ୍ୟୁକୁ ଏତେ ପାଖରୁ ଦେଖି ଫେରିଥିବା କଟକର ରଞ୍ଜିତଙ୍କ ପରିବାର ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କଥା ମନେ ପଡିଲେ, ଏବେ ଦେହ ଥରିଯାଉଛି । କିନ୍ତୁ ଏହି ନରସଂହାର ପରେ କାଶ୍ମୀର ଲୋକମାନେ ଯେଉଁ ସହାୟତା ପ୍ରଦାନ କରିଛନ୍ତି, ତାହା ଭୁଲିହେବନି ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745757822.jpg)