ବାଲେଶ୍ବରରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ, ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ୍

ଶାନ୍ତ ହେଉଛି ବାଲେଶ୍ବର ସହର, ଫେରୁଛି ସ୍ବାଭାବିକ ସ୍ଥିତି । ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ ।

Group Clash

ଶାନ୍ତ ହେଉଛି ବାଲେଶ୍ବର ସହର, ଫେରୁଛି ସ୍ବାଭାବିକ ସ୍ଥିତି । ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ । ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଓଟି ରୋଡକୁ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମ୍ବେଦନଶୀଳ ଅଂଚଳରେ ଇଣ୍ଟରନେଟ୍ ବି ବନ୍ଦ ରହିବ ବୋଲି ସୂଚନା ମିଳିଛି । ତେବେ ଏହି କର୍ଫ୍ୟୁ କାଳରେ ଜରୁରୀ ସେବା କଟକଣା ମୁକ୍ତ ଥିବାବେଳେ, ପରୀକ୍ଷାର୍ଥୀଙ୍କ ଉପରେ କଟକଣା ଲାଗୁ ହେବନି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆବଶ୍ୟକ ନ ଥିଲେ କର୍ଫ୍ୟୁ କାଳରେ ଘରୁ ପଦାକୁ ନବାହାରିବାକୁ ଅପିଲ୍ କରିଛି ପୋଲିସ।

ସେପଟେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବାବେଳେ ସ୍ଥିତି ଉପରେ ନଜର ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଘଟଣାର ଅନୁଧ୍ୟାନ କରୁଥିବା ସେ କହିଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ବି କରାଯାଇଥିଲା ।

ଗତ ସୋମବାର ରାତିଠୁ ପୋଲିସ ଛାଉଣୀ ପାଲଟିବା ସହ ବାଲେଶ୍ବର ସହରରେ ଘନଘନ ପଇଁତରା ମାରୁଛି ପୋଲିସ ଫୋର୍ସ । ଡାକବାଜି ଯନ୍ତ୍ରରେ କର୍ଫ୍ୟୁ କଟକଣା ପାଳନ କରିବାକୁ ଏବଂ ଶାନ୍ତିରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅପିଲ କରାଯାଉଛି

ସୂଚନା ଅନୁସାରେ ସୋମବାର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ପରେ ଅଶାନ୍ତ ହୋଇପଡ଼ିଥିଲା ସ୍ଥିତି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ୍‌ ଫୋର୍ସ ସହ ଏସପି ନିଜେ ଘଟଣାସ୍ଥଳକୁ ଆସିଥିଲେ । ବିଳମ୍ବିତ ରାତିରେ ମଧ୍ୟ ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା ।

ସେପଟେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ ସୋମବାର ରାତି ପ୍ରାୟ ୨ଟା ବେଳେ ବାଲେଶ୍ବର ଟାଉନ ଥାନାରେ ବସିଥିଲା ଜରୁରୀ ବୈଠକ । ସ୍ଥିତି ସମୀକ୍ଷା କରିଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ବାଲେଶ୍ବର ଏସପି ସାଗରିକା ନାଥ ।