Crop Loss: ଛାଡ଼ିଗଲା ବର୍ଷା, ଏବେ ବି ପାଣିରେ ବତୁରୁଛି ବର୍ଷକର ଦାନା

ବିଲକୁ ବାରମ୍ବାର ଆସୁଥିଲେ, ଉଜୁଡ଼ା କ୍ଷେତକୁ ଦେଖୁଥିଲେ ହେଲେ ଧୈର୍ଯ୍ୟ ରହୁନଥିଲା ବିଚଳିତ ଲାଗୁଥିଲା-ଶେଷରେ ହୃଦଘାତରେ ଜୀବନ ଚାଲିଗଲା। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ପରେ ଏମିତି ଶୋକାକୁଳ ପରିବେଶ ତାଙ୍କ ପରିବାରରେ ।

କ୍ଷେତ ଦେଖିଲେ ଛାତି ଫାଟୁଛି

ଦୁଃଖ ଦେଇଗଲା ଲଗାଣ ବର୍ଷା । ବିଲରେ ପଡ଼ି ଭାସୁଥିବା ଅବସ୍ଥାରେ ହେଉ କି କେଣ୍ଡାରେ ଝୁଲୁଥିବା ଧାନ, ସବୁଥିରେ ଗଜା ଧରିଲାଣି । ଉଜୁଡ଼ା କ୍ଷେତର ଦୁଃସ୍ଥିତି ଦେଖି ଡେରାବିଶରେ ଜଣେ ଚାଷୀଙ୍କର ହୃଦଘାତରେ ପ୍ରାଣ ଯାଇଥିବା ଅଭିଯୋଗ ହୋଇଥିଲା ବେଳେ ଛତ୍ରପୁରରେ ଜଣେ ଚାଷୀ ଆତ୍ମହତ୍ୟାର ଚରମ ପଥ ବାଛିଥିବାର ପରିବାର ଲୋକେ କହିଛନ୍ତି । ତେଣେ ଯୋଗାଣ ମନ୍ତ୍ରୀ କହିଛନ୍ତି- ଧାନର FAQ ମାନ କୋହଳ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ । ଚାଷୀ, ମିଲର ଓ ପ୍ରଶାସନ ବସି ଧାନର ମାନ ସ୍ଥିର କରିବେ । ଏଭଳି ସ୍ଥିତିରେ ବୀମା କଂପାନୀ, ଚାଷୀଙ୍କୁ ହଇରାଣ କଲେ ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ ବି ଚେତାବନୀ ଦେଲେଣି ରାଜସ୍ବ ମନ୍ତ୍ରୀ ।

ବିଲକୁ ବାରମ୍ବାର ଆସୁଥିଲେ, ଉଜୁଡ଼ା କ୍ଷେତକୁ ଦେଖୁଥିଲେ ହେଲେ ଧୈର୍ଯ୍ୟ ରହୁନଥିଲା ବିଚଳିତ ଲାଗୁଥିଲା-ଶେଷରେ ହୃଦଘାତରେ ଜୀବନ ଚାଲିଗଲା। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ପରେ ଏମିତି ଶୋକାକୁଳ ପରିବେଶ ତାଙ୍କ ପରିବାରରେ । ୭ ଏକର ଜମିରେ ହାଡ଼ଭଙ୍ଗା ପରିଶ୍ରମ କରି ଏସନ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସୁନା ଫଳାଇଥିଲେ ଭାବଗ୍ରାହୀ । ହେଲେ ଅଦିନିଆ ବର୍ଷା ସବୁ ସାରିଦେଲା । ସେମିତି ଉଜୁଡ଼ା ଧାନ କିଆରିକୁ ଦେଖି ହୃଦ ସହିଲାନି ଛତ୍ରପୁର ବ୍ଲକ ବଡ଼ମାଧପୁର ବରଙ୍ଗ ଗାଁର ଚାଷୀ ବନମାଳୀ ପେଣ୍ଠେଇଙ୍କର। ୨ଲକ୍ଷ ଉଧାର କରି ଚଳିତ ବର୍ଷ ୫ ଏକର ଜମିରେ ଧାନ ଚାଷ କରିଥିଲେ, ଲଗାଣ ବର୍ଷା ସବୁ ଛାରଖାର କରିଦେଲା, ତେଣୁ ବିଲରୁ ଫେରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିକୁ ଆପଣାଇନେଲେ ପେଣ୍ଠେଇ ।

ଅଧିକ ପଢ଼ନ୍ତୁ: ପ୍ରତିଷ୍ଠା ଦିବସରେ ବିଜେଡି ନେତ୍ରୀ ହାତାହାତି, ଶଙ୍ଖ ଭବନରେ ଇପ୍‌ସିତା ସାହୁଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ

ନୟାଗଡ଼ରୁ ନିଆଳି, ଆଠଗଡ଼ରୁ କେନ୍ଦ୍ରାପଡ଼ା ଅଦିନିଆ ଲଗାଣ ବର୍ଷାରେ ଧାନଠୁ ପନିପରିବା ଯାଏଁ, ସବୁଆଡୁ ଉଜୁଡ଼ା କ୍ଷେତ୍ରର ବିକଳ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ତେଣେ ବର୍ଷା ମାଡ଼ ଖାଇ କିଆରିରେ ଶୋଇ ପଡ଼ିଥିବା ଧାନ ହେଉ କି କେଣ୍ଡାରେ ଥାଇ ଗଜା ମାରିଯିବା କାରଣ, କେମିତି ଏ ଖରାପ ଧାନକୁ ଅମଳ କରି ଏଫଏକ୍ୟୁ ମାନରେ ମଣ୍ଡିରେ ବିକିବେ ଚାଷୀ, ତାକୁ ନେଇ ବଢ଼ିଛି ଚିନ୍ତା । ଏଭଳି ସ୍ଥିତିରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସାମାନ୍ୟ ଆଶ୍ବସ୍ତି ଦେଇ କହିଛନ୍ତି- ଧାନର FAQ ମାନ କୋହଳ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ । ଜିଲ୍ଲାସ୍ତରରେ ଚାଷୀ, ମିଲର ଓ ପ୍ରଶାସନ ବସି ସ୍ଥିର କରିବେ । ତେବେ FAQ ମାନ ଉପରେ ସମ୍ପୂର୍ଣ୍ଣ କମ୍ପରମାଇଜ କରି ହେବନି କି ଧାନ ପୂରା ନଷ୍ଟ ହୋଇଥିଲେ ମଣ୍ଡିରେ ନେଇ ହେବନି- ବୋଲି ସ୍ପଷ୍ଟ କରିଛନ୍ତି ଯୋଗାଣମନ୍ତ୍ରୀ । ତେଣେ ଚାଷୀ କହିଲେଣି ସରକାର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ନେଦେଲେ ବାଧ୍ୟହୋଇ ଦାଦନ ଖଟିବାକୁ ଚାଲିଯିବେ ।

ଏସବୁ ଭିତରେ ଫସଲ ବୀମା ନେଇ ବୀମା କମ୍ପାନୀକୁ ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । କହିଛନ୍ତି- ଫସଲ ବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ, ୨୪ ତାରିଖ ଯାଏଁ ୨୦ ହଜାର ଚାଷୀ ବୀମା ଆବେଦନ କରିସାରିଲେଣି । ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ ଆକ୍ସନ ହେବ । ତାସହ ଫସଲ ନଷ୍ଟ ହେତୁ ଅନେକ ସ୍ଥାନରେ ମଣ୍ଡି ଖୋଲିବା ତାରିଖ ଘୁଞ୍ଚାଯାଇଛି ଓ ପରିସ୍ଥିତିକୁ ଦେଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏବେ ଦେଖିବାର କଥା କେତେଶୀଘ୍ର ସରକାର ଲଗାଣ ବର୍ଷା କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଖୋଲା ଆକାଶ ତଳେ ପଡିରହିଛି ସୁନାର ଫସଲ...ଚାଷୀକୁ ବର୍ଷା ଚିନ୍ତା...