ଘନଉଛି ରତ୍ନଭଣ୍ତାର ଚାବି ବିବାଦ; ଡୁପ୍ଲିକେଟ୍ ଚାବିରେ ଖୋଲିଲାନି ତାଲା! କାହିଁକି ନଥିଲା ଜଉମୁଦ?

ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲା ଯାଇଥିଲେ ବି, ବିବାଦ ଥମୁନି ।

Ratna Bhandar

ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲା ଯାଇଥିଲେ ବି, ବିବାଦ ଥମୁନି । ଅସଲି ଚାବି କୁଆଡ଼େ ଗଲା, ସେ ପ୍ରଶ୍ନ ଏବେବି ଅସମାହିତ ଥିବା ବେଳେ, ଡୁପ୍ଲିକେଟ୍ ଚାବିକୁ ନେଇ ବି ଉପୁଜିଛି ସନ୍ଦେହ । ଗତକାଲି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୩ଟି ତାଲାରୁ ଗୋଟିଏ ବି ତଥାକଥିତ ଡୁପ୍ଲିକେଟ୍‌ ଚାବିରେ ନଖୋଲିବା ଏବଂ ଦୁଇଟି ତାଲାରେ ଜଉମୁଦ ନଥିବାରୁ ଉଠୁଛି ଅନେକ ପ୍ରଶ୍ନ ।

ଆଗାମୀ ଦିନରେ ଏସବୁର ତଦନ୍ତ କରି ସତ ସାମ୍ନାକୁ ଅଣାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ? ଆପେ ଖସିଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲା ? କାହିଁକି ଡୁପ୍ଲିକେଟ୍ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା?

ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ୍ ଚାବି ନଥିଲା କି ? ନା ଅସଲି ତାଲାକୁ ପୂର୍ବରୁ କେବେ ବଦଳାଇ ଅନ୍ୟ ତାଲା ପକାଯାଇଛି ? ଗତକାଲି ତାଲା ଭାଙ୍ଗି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯିବା ପରେ, ସାମ୍ନାକୁ ଆସୁଛି ଏଭଳି ଅନେକ ପ୍ରଶ୍ନ । ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବହୁ ବାଦବିବାଦର ସାମ୍ନା କରିଥିଲେ ତତ୍କାଳୀନ ବିଜେଡି ସରକାର ।

ଏହାପରେ ଅତି ରହସ୍ୟଜନକ ଭାବେ ପ୍ରଘଟ କରା ଯାଇଥିଲା ପୁରୀ ଜିଲ୍ଲା ଟ୍ରେଜେରୀ ଅଫିସରୁ ଡୁପ୍ଲିକେଟ୍ ଚାବି ମିଳିବା କଥା । ତେଣୁ ସନ୍ଦେହ ଉପୁଜୁଛି ଯେ, ଏହା ବାସ୍ତବରେ ଡୁପ୍ଲିକେଟ୍ ଚାବି ଥିଲା ତ ? ଯଦି ହଁ, ତେବେ ଗୋଟିଏ ବି ତାଲା ଖୋଲିଲାନି କାହିଁକି? ନା ବିବାଦରୁ ବର୍ତ୍ତିବା ପାଇଁ ପୂର୍ବ ସରକାରରେ ମିଛ କୁହାଯାଇଥିଲା?

ଏ ବାବଦରେ ନିଶ୍ଚିତ ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ସେ ଚାବି କଥା କିଏ କହିଥିଲା, କାହିଁକି କହିଥିଲା, ନା କିଏ କୁହାଇଥିଲା? ତାର ତର୍ଜମା ହେବ । ଗତ ସରକାରରେ କାହିଁକି ମିଥ୍ୟା କୁହାଯାଇଥିଲା, ତାର ବି ତଦନ୍ତ କରାଯିବ । ୨ଟି ତାଲାରେ ଜଉମୁଦ ନଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଟାମ୍ପରିଂ ହୋଇ ନଥିବ ବୋଲି ଆଶା କରାଯାଉଛି । ଗଣତି ମଣତି ପରେ ସ୍ପଷ୍ଟ ଚିତ୍ର ମିଳିପାରିବ ।

କଂଗ୍ରେସ ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରିଥିବା ବେଳେ, ବିଜେଡି କହିଛି ଯିଏ ଦୋଷୀ ସିଏ ଦଣ୍ଡ ପାଇବା ଉଚିତ । ପୁଣି ତଦନ୍ତ କମିଟି କି କମିଶନ ବସାଇଲେ ସମୟ ଗଡ଼ିବ । ତେଣୁ ତତ୍କାଳୀନ ସରକାର ବସାଇଥିବା କମିଶନ ଯେଉଁ ରିପୋର୍ଟ ଦେଇଥିଲେ, ବିଜେପି ସରକାର ତାକୁ ଆଗାମୀ ବିଧାନସଭା ଅଧିବେଶନରେ ସାର୍ବଜନୀନ କରନ୍ତୁ ।

ଗତ ମେ ମାସରେ ଫୁଲବାଣୀ ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଚାବି ହଜିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଡୁପ୍ଲିକେଟ୍ ଚାବି ତିଆରି ହେବା ତାଠୁ ଅତି ଗମ୍ଭୀର ବିଷୟ । କିଏ ଓ କାହିଁକି ଡୁପ୍ଲିକେଟ୍ ଚାବି ବନାଇଥିଲା, ରାତିରେ ରତ୍ନଭଣ୍ଡାର ଖୋଲି କେହି ଦୁର୍ମୂଲ୍ୟ ଆଭୂଷଣ ଚୋରି କରୁଥିଲା କି ବୋଲି ଖୋଲାଖୋଲି ପଚାରିଥିଲେ ମୋଦି । ଆଉ ଗତକାଲିର ଘଟଣା ଏହି ସନ୍ଦେହକୁ ଆହୁରି ଘନୀଭୂତ କରିଛି ।