ମୁହାଣକୁ ନେଇ ବଢିଲା ଚିନ୍ତା, କୂଳ ଲଘିଂବା ସମ୍ଭାବନା ! ସହରମୁହାଁ ନଦୀ ଜଳରାଶି

ଦାନା ଯିବା ପରେ ପୁଣି ପୁରୀର ମଙ୍ଗଳା ମୁହାଣକୁ ନେଇ ଚିନ୍ତା ବଢିଛି । ଉଚ୍ଚ ଜୁଆର ଯୋଗୁଁ ମୁହାଣର ଗତିପଥରେ ବାଲୁକା ରାଶି ଜମା ହେବାରୁ ନଦୀର ଗତିପଥ ପରିବର୍ତ୍ତନ ହୋଇଛି ।

Mangala River

ଦାନା ଯିବା ପରେ ପୁଣି ପୁରୀର ମଙ୍ଗଳା ମୁହାଣକୁ ନେଇ ଚିନ୍ତା ବଢିଛି । ଉଚ୍ଚ ଜୁଆର ଯୋଗୁଁ ମୁହାଣର ଗତିପଥରେ ବାଲୁକା ରାଶି ଜମା ହେବାରୁ ନଦୀର ଗତିପଥ ପରିବର୍ତ୍ତନ ହୋଇଛି । ବାଲୁକା ଝଡ ଯୋଗୁଁ ଜମା ହୋଇଥିବା ବାଲି ଏବେ ମଙ୍ଗଳା ନଦୀ ଓ ସମୁଦ୍ରର ମିଳନ ସ୍ଥାନକୁ ଅବରୋଧ କରିଛି । ଗତିପଥ ବାମ ମୁହାଁ ହୋଇ ବେଳାମାର୍ଗ ବା ସହରମୁହାଁ ହୋଇଛି ।

ମଙ୍ଗଳା ନଦୀର ଜଳସହ ସମୁଦ୍ରର ଉଛୁଳା ଜଳରାଶି ବେଳାଭୂମି ମୁହାଁ ହୋଇଛି । ଏବେଠୁ ନିୟନ୍ତ୍ରଣ କରାନଗଲେ ପୁଣି କୂଳ ଲଂଘିବାର ସମ୍ଭାବନା ଦେଖାଦେଇଛି । ପୁଣି ଗତିପଥ ବଦଳାଇଲା ମଙ୍ଗଳା ନଦୀ । ବାତ୍ୟା ପ୍ରଭାବରେ ମେଲିଲା ମଙ୍ଗଳା ମୁହାଣ । ପୁରୀରେ ବାତ୍ୟା 'ଦାନା'ର ପ୍ରଭାବ ଏତେଟା ପଡି ନଥିବା ସତ୍ତ୍ୱେ ମୁହାଣର ଗତିପଥ ଉପରେ ପ୍ରଭାବ ପଡିଛି ।

ଉଚ୍ଚ ଜୁଆର ଯୋଗୁଁ ବାଲୁକାରାଶି ଜମା ହୋଇ ମୁହାଣର ସଳଖ ଗତିପଥକୁ ଅବରୋଧ କରିବା ଯୋଗୁ ଅନ୍ୟ ଏକ ମୁହଁ ବେଳାମାର୍ଗ ଆଡ଼କୁ ମୁହାଁଇଛି । ଯେଉଁଠି ମଙ୍ଗଳା ମୁହାଣ ଓ ସମୁଦ୍ର ଜଳରାଶି ମିଶୁଥିଲା ଏବେ ସେଠି ଗତିପଥର ପରିବର୍ତ୍ତନ ଚିନ୍ତା ବଢ଼ାଇଛି । ଏବେଠୁ ନିୟନ୍ତ୍ରଣ କରାନଗଲେ ବାରମ୍ବାର କୂଳ ଖାଇବା ସମ୍ଭାବନା ଦେଖାଦେଇଛି ।

ଏଭଳି ଅବକ୍ଷୟ ପାଇଁ ମନୁଷ୍ୟ ଦାୟୀ ବୋଲି ମଧ୍ୟ କହିଛନ୍ତି ବୁଦ୍ଧିଜୀବୀ ଓ ପରିବେଶବିତ । ମଙ୍ଗଳା ନଦୀ ଧୀରେ ଧୀରେ ବିଷାକ୍ତ ହେଉଛି । ଟ୍ରିଟମେଣ୍ଟ ପ୍ଳାଣ୍ଟର ଜଳ ନଦୀରେ ମିଶିବା ଯୋଗୁଁ ପ୍ରଦୂଷିତ ହେଉଛି ଜଳରାଶି । କୁଢ଼କୁଢ଼ ଆବର୍ଜନା ଏହାର ଗତିପଥରେ ବାଧକ ସାଜିଛି । ଏଠିକାର ପୂତି ଗନ୍ଧମୟ ପରିବେଶ ପର୍ଯ୍ୟଟକଙ୍କ ପାଇଁ ତିକ୍ତ ଅନୁଭୂତି ଆଣୁଛି ।

ସେପଟେ ଏହାର ପ୍ରଦୂଷିତ ଜଳରାଶି ସାମୁଦ୍ରିକ ଜୀବନ ପ୍ରତି ବିପଦ ଆଣିବ ବୋଲି ମଧ୍ୟ କହିଛନ୍ତି ଆଗନ୍ତୁକ । ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏହାର ତଦାରଖ କରାଯାଇଛି ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ବନ୍ୟା ଯୋଗୁ ମୁହାଣର ଗତିପଥରେ ସାମାନ୍ୟ ପରିବର୍ତ୍ତନ ଦେଖାଦିଏ ।

ମାତ୍ର ୨୦୦୬, ୨୦୦୯, ୨୦୧୪ ମସିହାର ବାତ୍ୟା ପ୍ରଭାବରେ ଏଭଳି ଗତି ପରିବର୍ତ୍ତିତ ହୋଇଥିଲା । ସେ ସମୟରେ ଭିନ୍ନ ଏକ ବସ୍ତା ମାନଙ୍କରେ ବାଲି ଭର୍ତ୍ତି କରାଯାଇ ବନ୍ଧ ସୃଷ୍ଟି କରାଯାଇଥିଲା । ଯାହା ଏବେ ନଷ୍ଟ ହୋଇଗଲାଣି । ଯଦି ସମସ୍ୟା ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆନଯାଏ ଆଗକୁ ସ୍ଥିତି ସଙ୍କଟାପନ୍ନ ହୋଇପାରେ ।