ଦୁର୍ଗାପୂଜା ଭସାଣିରେ ବାଜିବନି DJ, ଜୋର ଜବରଦସ୍ତ ଚାନ୍ଦା ମାଗିଲେ ହେବ ଏତଲା

ଅକ୍ଟୋବର ୧୪ରେ ଭସାଣି ଅନୁଷ୍ଠିତ ହେବ । ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇପାରିବେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

DJ Ban

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ । ଭସାଣି ଉତ୍ସବରେ ଡିଜେ ସମ୍ପୂର୍ଣ୍ଣ ବାରଣ ହୋଇଥିବା କହିଲେ ପୋଲିସ କମିଶନର ସଞ୍ଜବ ପଣ୍ଡା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ପୋଲିସ୍‌ କମିଶନର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଅକ୍ଟୋବର ୧୪ରେ ଭସାଣି ଅନୁଷ୍ଠିତ ହେବ । ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇପାରିବେ ବୋଲି ସେ କହିଛନ୍ତି ।

ସେହିପରି ଦୁର୍ଗାପୂଜାରେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ । ଅନ୍ୟପଟେ ଜୋର ଜବରଦସ୍ତ ଚାନ୍ଦା ମାଗିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଏତଲା ହେବ ବୋଲି ମଧ୍ୟ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

ତେବେ ଏହା ପୂର୍ବରୁ ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ କରାଯାଇଥିଲା । ଡିଜେ ବଦଳରେ ପାରମ୍ପରିକ ବାଦ୍ୟ ବାଜିବ । ଉଭୟ ମେଲୋଡି ଓ ଭସାଣୀରେ ବି ଡିଜେ ବ୍ୟାନ୍ କରାଯାଇଛି । ତା ସହ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ଏଥର ସେପ୍ଟେମ୍ୱର ୭ରେ ପଡୁଛି ଗଣେଶ ପୂଜା । ତା ପୂର୍ବରୁ ଅଗଷ୍ଟ ୧୮ରେ ଏକ କୋ-ଅର୍ଡିନେସନ ମିଟିଂ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ବସିଥିଲା । ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଥିଲା।

ତେବେ ଏଥର ଭସାଣ ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ନେବା ଜରୁରୀ କରାଯାଇଛି । ଚଳିତ ଥର ପୂଜା ପାଇଁ ସିସିଟିଭି ନଜରରେ ସାରା ସହରରେ ରହିବ । ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି । ୭ରେ ଗଣେଶ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣି ପାଇଁ ସ୍ଥିର କରାଯାଇଛି । ପୋଲିସର ସମସ୍ତ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଥିଲେ ରାଜଧାନୀର ସମସ୍ତ ପୂଜା କମିଟି ।